ପିଲେଟ୍‌ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି: ଖଣି, କାରଖାନା କାରବାର ଠପ୍‌; ଖଣି ଅଞ୍ଚଳରେ ଜୀବନ ଜୀବିକା ପ୍ରଭାବିତ

କେନ୍ଦୁଝର, : ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଅର୍ଥନୀତିରେ ଲାଗିଛି ଗ୍ରହଣ। କେନ୍ଦ୍ର ସରକାର ପିଲେଟ୍‌ର ରପ୍ତାନି ଶୁଳ୍କ ବୃଦ୍ଧି କରିବା ଯୋଗୁଁ ଜିଲ୍ଲାରେ ପିଲେଟ୍‌ ପ୍ରସ୍ତୁତ କରୁଥିବା ଶିଳ୍ପସଂସ୍ଥାମାନେ ଉତ୍ପାଦନ ବନ୍ଦ କରିଛନ୍ତି। ଯେଉଁଥିପାଇଁ ସେମାନେ ଖଣିରୁ ଲୁହାପଥର ମଧ୍ୟ କିଣୁନାହାନ୍ତି। ଫଳରେ ଉଭୟ ଖଣି ଏବଂ ଶିଳ୍ପସଂସ୍ଥା ଗୁଡ଼ିକର କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

କେନ୍ଦୁଝର ଜିଲ୍ଲାର ଖଣି ରାଜସ୍ବ ରାଜ୍ୟ ରାଜକୋଷକୁ ପରିପୂର୍ଣ୍ଣ କରିଥାଏ। ଏଠାକାର ଖଣିରୁ ମିଳୁଥିବା ରାଜସ୍ବ ଦ୍ବାରା ବସ୍ତୁତଃ ରାଜ୍ୟ ଅର୍ଥନୀତି ଚାଲିଥାଏ। ଦୁଇମାସ ତଳେ କେନ୍ଦ୍ର ସରକାର ପିଲେଟ୍‌ (ଲୁହାଗୁଲି) ଉପରେ ରପ୍ତାନି ଶୁଳ୍କ ବଢ଼ାଇବା ଦ୍ବାରା ପିଲେଟ୍‌ ପ୍ରସ୍ତୁତ କରୁଥିବ କାରଖାନା ଗୁଡ଼ିକ ଆଉ ପିଲେଟ୍‌ ଉତ୍ପାଦନ କରୁନାହାନ୍ତି। ଲୁହାପଥର ମଧ୍ୟ କିଣୁ ନାହାନ୍ତି। କେନ୍ଦୁଝର ଜିଲ୍ଲାରେ କିଛି ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ ସହିତ ପିଲେଟ୍‌ ପ୍ଲାଣ୍ଟ ମଧ୍ୟ ରହିଛି। ଏମ୍‌ଏସ୍‌ପି ଷ୍ଟିଲ୍‌, ଆର୍‌ଡେଣ୍ଟ୍‌ ଷ୍ଟିଲ, ଶ୍ରୀ ମେଟାଲିକ୍ସ, ଜଗନ୍ନାଥ ଷ୍ଟିଲ୍‌, ଆର୍‌ୟା ଷ୍ଟିଲ୍‌ ଏବଂ ପ୍ରୋ ମିନେରାଲ ଭଳି ୬ଟି କମ୍ପାନି ପିଲେଟ୍‌ ପ୍ରସ୍ତୁତ କରି ବିକ୍ରି କରିଥା’ନ୍ତି। ବିଦେଶକୁ ମଧ୍ୟ ରପ୍ତାନି କରିଥା’ନ୍ତି। ପୂର୍ବରୁ ପିଲେଟ୍‌ ବିଦେଶକୁ ରପ୍ତାନି କରିବା ଉପରେ ମାତ୍ର ୫ ପ୍ରତିଶତ ରପ୍ତାନି ଶୁଳ୍କ ଦେବାକୁ ପଡ଼ୁଥିଲା। ଦୁଇମାସ ତଳେ କେନ୍ଦ୍ର ସରକାର ଏହାକୁ ୪୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଯାହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଏକ ହିସାବ ଅନୁସାରେ, ପୂର୍ବରୁ ହାଇଗ୍ରେଡ୍‌ ଲୁହାପଥର ଫାଇନ୍‌ସ ଟନ୍‌ ପ୍ରତି ୪ ହଜାର ଟଙ୍କାରେ କିଣାଯାଉଥିଲା। ଏଥିରେ ଆନୁସଙ୍ଗିକ ଖର୍ଚ୍ଚ ବାଦକୁ ପ୍ରାୟ ୨୫୦୦ ଟଙ୍କା ଖର୍ଚ୍ଚ କରିବା ପରେ ଗୋଟିଏ ଟନ୍‌ ପିଲେଟ୍‌ ପ୍ରସ୍ତୁତ ହୋଇଥାଏ। ଅର୍ଥାତ ଗୋଟିଏ ଟନ୍‌ ପିଲେଟ୍‌ ପ୍ରସ୍ତୁତ ପାଇଁ କମ୍ପାନି ଗୁଡ଼ିକୁ ପ୍ରାୟ ୬୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଚୀନ୍‌, ଦୁବାଇ ଭଳି ରାଷ୍ଟ୍ରକୁ ପିଲେଟ୍‌ ରପ୍ତାନି କରିବା ପାଇଁ ୫ ପ୍ରତିଶତ ଶୁଳ୍କ ଦେବାପରେ ବି ଟନ୍‌ ପିଛା ସର୍ବନିମ୍ନ ୫୦୦ ଟଙ୍କା ଲାଭ ମିଳୁଥିଲା। ବର୍ତ୍ତମାନ ରପ୍ତାନି ଶୁଳ୍କକୁ ୪୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ବିଦେଶକୁ ପିଲେଟ ରପ୍ତାନି କରିବା ଅସମ୍ଭବ। ଯେଉଁଥିପାଇଁ ପିଲେଟ୍‌ ପ୍ରସ୍ତୁତ କରୁଥିବା କାରଖାନା ଗୁଡ଼ିକ ଉତ୍ପାଦନ ବନ୍ଦ କରିଦେଇଛନ୍ତି।

The Northern Miner

ଏହାର ପ୍ରଭାବ ମଧ୍ୟ ଖଣି କାରବାର ଉପରେ ପଡ଼ିଛି। କାରଖାନା ଗୁଡ଼ିକ ପିଲେଟ୍‌ ଉତ୍ପାଦନ କରୁନଥିବାରୁ ସେମାନେ ଖଣିରୁ ଲୁହାପଥର ଫାଇନ୍‌ସ ମଧ୍ୟ କିଣୁନାହାନ୍ତି। କାରଣ ଗୋଟିଏ ଟନ୍‌ ଲୁହାପଥର ଫାଇନ୍‌ସ କିଣିବା ପରେ ଏଥିରେ ପିଲେଟ୍‌ ପ୍ରସ୍ତୁତ କରିବା‌କୁ ଯେତିକି ଖର୍ଚ୍ଚ ହେଉଛି ଘରୋଇ ବଜାରରେ ତାହାକୁ ବିକ୍ରି କଲେ ଟନ୍‌ ପିଛା ପ୍ରାୟ ଏକ ହଜାର ଟଙ୍କା କ୍ଷତି ହେଉଛି। ଅର୍ଥାତ୍‌ ଗୋଟିଏ ଟନ୍‌ ପିଲେଟ୍‌ ଉତ୍ପାଦନ ପାଇଁ ୬୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବଜାରରେ ପିଲେଟ୍‌ ଟନ୍‌ ମୂଲ୍ୟ ହେଉଛି ପ୍ରାୟ ୫୫୦୦ ଟଙ୍କା। ଯେଉଁଥିପାଇଁ କମ୍ପାନି ଗୁଡ଼ିକ ଲୁହାପଥର ଫାଇନ୍‌ସ କିଣୁ ନାହାନ୍ତି କି ପିଲେଟ୍‌ ଉତ୍ପାଦନ କରୁନାହାନ୍ତି। ଓଏମ୍‌ସି ଏବଂ ସେଲ୍‌ ଭଳି ଖଣିର ଉଦାହରଣ ଦେଲେ ଆହୁରି ସ୍ପଷ୍ଟ ‌ହେବ। ଗତକାଲି ଓଏମ୍‌ସିର ଲୁହାପଥର ଫାଇନ୍‌ସ ନିଲାମ ଥିଲା। ୧.୬୨ ମିଲିୟନ ଟନ୍‌ ଫାଇନ୍‌ସ ନିଲାମ ଡକା ଯାଇଥିଲା। ନିଲାମ ପ୍ରକ୍ରିୟାରେ କମ୍ପାନିମାନେ ଯେଭଳି ଭାଗନେବା କଥା ନେଇନାହନ୍ତି। ଏଥିରୁ ମାତ୍ର ୩୯ ପ୍ରତିଶତ ଫାଇନ୍‌ସ ନିଲାମ ହୋଇଛି। ପୂର୍ବରୁ ମଧ୍ୟ ଦୁଇ ଦୁଇଥର ଓଏମ୍‌ସି ନିଲାମ ଡାକିଥିଲେ ବି ଅତି ନଗଣ୍ୟ ସଂଖ୍ୟାରେ କମ୍ପାନି ଏଥିରେ ଭାଗ ନେଇଥିଲେ।

ସେହପିରି ସେଲ୍‌ର ବଲାଣି ଲୁହାପଥର ଖଣିରୁ ୪ ତାରିଖରେ ୪୦ ହଜାର ଟନ୍‌ ଲୁହାପଥର ଫାଇନ୍‌ସ ନିଲାମ ଡକା ଯାଇଥିଲା। ମାତ୍ର କୌଣସି କମ୍ପାନି ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇନଥିଲେ। ଖଣି ଗୁଡ଼ିକର ଲୁହାପଥର ଫାଇନ୍‌ସ ବିକ୍ରି ହେଉ ନଥିବାରୁ ସେମାନେ ମଧ୍ୟ ଉତ୍ପାଦନ କମାଇ ଦେଇଛନ୍ତି। କିଛି ଖଣି ପ୍ରାୟତଃ ଉତ୍ପାଦନ ସମୟକୁ ଅଧା କରି ଦେଇସାରିଲେଣି। ‌ଏ ସମ୍ପର୍କରେ ଏମ୍‌ଏସ୍‌ପି ଷ୍ଟିଲ୍‌ର ସିଇଓ ଇଂ ଦେବବ୍ରତ ସ୍ବାଇଁଙ୍କୁ ପଚାରିବାରୁ, ପିଲେଟ୍‌ ଉପରେ ରପ୍ତାନି ଶୁଳ୍କ ୪୫ ପ୍ରତିଶତ ବଢ଼ିବା ପରଠାରୁ ଉତ୍ପାଦନ ବନ୍ଦ ରହିଛି। ପିଲେଟ୍‌ କାରଖାନା ଗୁଡ଼ିକ ଆଗାମୀ ଦିନରେ ଚାଲିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର