ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ବୃଦ୍ଧି ପାଇଁ କସରତ; ଘରେ ପ୍ରାକ୍ଟିସ୍ ପରୀକ୍ଷା, ବିଦ୍ୟାଳୟରେ ଖାତା ଜମା

କଟକ : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ବୃଦ୍ଧି ପାଇଁ ଏବେ ବିଦ୍ୟାଳୟସ୍ତରରେ କସରତ ଆରମ୍ଭ ହୋଇଯାଇଛି। ପୂର୍ବରୁ ହୋଇଥିବା ପ୍ରାକ୍ଟିସ୍ ପରୀକ୍ଷା ଦେଇ ନ ଥିବା ବା ପରୀକ୍ଷାରେ ଖରାପ କରିଥିବା ପରୀକ୍ଷାର୍ଥୀଙ୍କୁ ଏବେ ପୁଣିଥରେ ପରୀକ୍ଷା କରାଯାଉଛି। ପିଲାମାନେ ଶିକ୍ଷକଙ୍କ ସହାୟତାରେ ଘରେ ପରୀକ୍ଷା ଦେଇ ସଂପୃକ୍ତ ପରୀକ୍ଷା ଖାତାକୁ ବିଦ୍ୟାଳୟରେ ଦାଖଲ କରୁଛନ୍ତି। ବିଦ୍ୟାଳୟ ପକ୍ଷରୁ ଖାତା ମୂଲ୍ୟାୟନ କରାଯାଇ ରେକର୍ଡ ଠିକ୍ କରାଯାଉଥିବା ସୂଚନା ମିଳିଛି। କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ଘୋଷଣା ପରେ କାଳେ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ, ସେଥିପାଇଁ ଅନେକ ବିଦ୍ୟାଳୟ ପୂର୍ବରୁ ଏପରି କୌଶଳ ଜାରି ରଖିଥିବା ଜଣାପଡ଼ିଛି। ଏପରିକି କିଛି ବିଦ୍ୟାଳୟରେ ଏପ୍ରିଲ୍ ୩୦ ତାରିଖକୁ ପରୀକ୍ଷା ଖାତା ଦାଖଲର ଶେଷ ତାରିଖ ବୋଲି ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବାତିଲ କରିଛନ୍ତି। କିନ୍ତୁ କେଉଁ ଆଧ‌ାରରେ ପିଲାଙ୍କୁ ନମ୍ବର ଦିଆଯାଇ ପାସ୍ କରାଯିବ ତାହା ଚୂଡାନ୍ତ ହୋଇନାହିଁ। ଏହି ପ୍ରସଙ୍ଗକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ଜାରି ରହିଛି। କିନ୍ତୁ ଚଳିତ ବ‌ର୍ଷ ଦଶମ ପିଲାଙ୍କର ୧୦୦ ଦିନର ଶ୍ରେଣୀଗୃହ ପାଠପଢ଼ାରେ ବୋର୍ଡ ପକ୍ଷରୁ ୪ଟି ପ୍ରାକ୍ଟିସ୍ ପରୀକ୍ଷା କରାଯାଇଥିଲା। ପ୍ରଥମ ପରୀକ୍ଷାଟି ଜାନୁଆରିରେ ହୋଇଥିଲା ଓ ଏଥିରେ ସବୁ ବିଷୟରୁ ୪୦ ନମ୍ବର ପରୀକ୍ଷା ହୋଇଥିଲା। ଦ୍ବିତୀୟ ପ୍ରାକ୍ଟିସ୍ ପରୀକ୍ଷାଟି ଫେବ୍ରୁଆରିରେ ଓ ପ୍ରତି ବିଷୟରେ ୬୦ ନମ୍ବର (ସବ୍‌ଜେକ୍ଟିଭ୍ ୩୦ ଓ ଅବ୍‌ଜେକ୍ଟିଭ୍ ୩୦) ପରୀକ୍ଷା ହୋଇଥିଲା। ତୃତୀୟ ପ୍ରାକ୍ଟିସ୍ ପରୀକ୍ଷା ମାର୍ଚରେ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ଏପ୍ରିଲ୍ ମାସରେ
ହୋଇଥିଲା। ୩ୟ ଓ ୪ର୍ଥ ପ୍ରାକ୍ଟିସ୍ ଟେଷ୍ଟ ମାଟ୍ରିକ୍ ପରୀକ୍ଷା ଶୈଳୀରେ ସବୁ ବିଷୟରୁ ୮୦ ନମ୍ବର( ଅବ୍‌ଜେକ୍ଟିଭ୍‌ ୪୦ ଓ ସବ୍‌ଜେକ୍ଟିଭ୍ ୪୦) ପରୀକ୍ଷା ହୋଇଥିଲା। ବିଦ୍ୟାଳୟମାନଙ୍କର ଧାରଣା ଯେ, ପ୍ରାକ୍ଟିସ୍ ଟେଷ୍ଟ ନମ୍ବରକୁ ବିଚାର କରି ପିଲାଙ୍କୁ ମାଟ୍ରିକ୍ ପରୀକ୍ଷାରେ ନମ୍ବର ଦିଆଯିବ। ଏଥିପାଇଁ ସେମାନେ ସବୁ ପିଲାଙ୍କୁ ଆଉଥରେ ପରୀକ୍ଷା କରାଇ ଏହାର ନମ୍ବରକୁ ନିଜ ବିଦ୍ୟାଳୟରେ ରେକର୍ଡ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ‌

ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ପ୍ରାକ୍ଟିସ୍ ଟେଷ୍ଟ ପାଇଁ ବୋର୍ଡ ପକ୍ଷରୁ ପୂର୍ବଦିନ ପ୍ରଶ୍ନପତ୍ର ବୋର୍ଡ ୱେବ୍‌ସାଇଟ୍‌ରେ ଛାଡି ଦିଆଯାଉଥିଲା ଓ ସକାଳେ ପିଲାଙ୍କୁ ପ୍ରଶ୍ନପତ୍ରର ଜେରକ୍ସ ଦେଇ ପରୀକ୍ଷା କରାଯାଉଥିଲା। କିନ୍ତୁ ଏଥିରେ ସବୁ ପିଲା ଉପସ୍ଥିତ ରହୁ ନଥିଲେ। କିନ୍ତୁ ‌ବୋର୍ଡ ପକ୍ଷରୁ ଏହି ମାର୍କ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ କହିଛନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ସ୍କୁଲର ଜ‌‌ଣେ ବରି‌ଷ୍ଠ ଶିକ୍ଷକ କହିଛନ୍ତି ଯେ, ଏଭଳି ବ୍ୟାପକ ଭାବରେ ବହୁ ସ୍ଥାନରେ ଚାଲିଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ରହିଛି। ପ୍ରାକ୍ଟିସ୍ ଟେଷ୍ଟ ନମ୍ବରକୁ ବିଚାର କଲେ, ଏକ୍ସ-ରେଗୁଲାର, ପତ୍ରବିନିମୟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପିଲାଙ୍କ କଥା କିପରି ବିଚାର କରାଯିବ ବୋଲି ପ୍ରଶ୍ନ ଉଠୁଛି। ତେଣୁ ଏଭଳି ପ୍ରାକ୍ଟିସ୍ ଟେଷ୍ଟ ନମ୍ବରକୁ ବିଚାର କରା ନଯାଇ ଏକ କମନ୍‌ ଷ୍ଟାଣ୍ଡାର୍ଡ ପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଚାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର