ବଢ଼ିବ ରେଳ ସୁପରଭାଇଜର୍ କ୍ୟାଡର୍‌ କର୍ମଚାରୀଙ୍କ ବେତନ, ଡିସେମ୍ବର ୧ରୁ ଲାଗୁ ହେବ

ଭୁବନେଶ୍ବର : ପୂର୍ବତଟ ରେଳପଥର ସୁପରଭାଇଜର କ୍ୟାଡ୍‌ରର କର୍ମଚାରୀଙ୍କ ‌ଦରମା ବୃଦ୍ଧି ହେବ। ଗ୍ରୁପ୍-ସି ବିଭାଗରେ କାର୍ଯ୍ୟ କରୁଥିବା ୫୦ ପ୍ରତିଶତ କର୍ମଚାରୀ, ଯେଉଁମାନେ ସପ୍ତମ ବେତନ କମିସନ୍‌ ସୁପାରିସ୍‌ ଅନୁସାରେ ଦରମା ପାଉଥିଲେ, ସେମାନେ ଏବେ ଅଷ୍ଟମ ବେତନ କମିସନ୍‌ ସୁପାରିସ୍‌ ଅନୁସାରେ ଦରମା ପାଇବେ। ଏହାଦ୍ବାରା ସର୍ବଭାରତୀୟ ସ୍ତରରେ ପ୍ରାୟ ୮୦ ହଜାର କର୍ମଚାରୀ ଉପକୃତ ହେବାକୁ ଯାଉଥିବା ବେଳେ ପୂର୍ବତଟ ରେଳପଥର ପ୍ରାୟ ୩ ହଜାର ୫ଶହ ୨୧ଜଣ କର୍ମଚାରୀ ଉପକୃତ ହେବେ। ଆଗାମୀ ଡିସେମ୍ବର ୧ରୁ ଏହା ସାରା ଦେଶରେ ଲାଗୁ ହେବ ବୋଲି ଆଜି ରେଳ ସଦନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ସୂଚନା ଦେଇଛନ୍ତି।

ଶ୍ରୀ ସୁନକର କହିଛନ୍ତି ଯେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର୍ କ୍ୟାଡର୍‌ର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଥିଲେ। ରେଳବାଇରେ ସୁପରଭାଇଜର୍ କ୍ୟାଡ୍‌ରରେ ମୁଖ୍ୟତଃ ଗ୍ରୁପ୍‌-ସି ଗ୍ରେଡ୍‌ରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସୁବିଧା ନ ଥିବାରୁ ସେମାନେ ବହୁ ଅସୁବିଧା ଦେଇ ଗତି କରୁଥିଲେ। ଏହି ସୁବିଧା ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦ ହଜାର ସୁପରଭାଇଜର୍‌ ଉପକୃତ ହେବେ ବୋଲି ଶ୍ରୀ ସୁନକର କହିଛନ୍ତି। ଖୋର୍ଧା-ବଲାଙ୍ଗୀର ରେଳପଥର ୩୦୦ କି.ମି. ରାସ୍ତାରୁ ୧୫୧ କି.ମି. ରାସ୍ତା ଶେଷ ହୋଇଛି। ୨୦୨୫ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସୁନକର କହିଛନ୍ତି।

ସମ୍ବନ୍ଧିତ ଖବର