ଭୁବନେଶ୍ୱର : ଭୁବନେଶ୍ବର ଆଇଗିଣିଆସ୍ଥିତ ପାଇକାରୀ ବଜାରରେ ୪୬ କେଜି ଆଳୁ ବସ୍ତା ପ୍ରତି ଦର ୯୨୦ ଟଙ୍କା। ଅର୍ଥାତ୍ ଏକ କେଜି ଆଳୁ ଦାମ୍ ୨୦ ଟଙ୍କା। କେବଳ ଆଇଗିଣିଆ ନୁହେଁ, ସହିଦନଗର ଠାରୁ ଭିଏସଏସ ନଗର ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ପାଇକାରୀ ବେପାରୀ ମଧ୍ୟ ଏହି ଦରରେ ଆଳୁ ବିକ୍ରି କରୁଛନ୍ତି।
ହେଲେ ଖୁଚୁରା ବ୍ୟବସାୟୀ ଏସବୁ ଗୋଦାମରୁ ଆଳୁ ଆଣି କିଛି କିଲୋମିଟର ଦୂରରେ ବିକ୍ରି କରୁଛନ୍ତି କେଜି ପ୍ରତି ୩୦ଟଙ୍କା ଦରରେ। ଭୁବନେଶ୍ବର ୧ ନମ୍ବର ମାର୍କେଟରେ କେଜି ପିଛା ୨୮ ଟଙ୍କାରେ ଆଳୁ ବିକ୍ରି ହେଉଛି। କୋରାପୁଟରେ ଖୁଚୁରା ବଜାରରେ ଆଳୁ ଦର କେଜି ୩୦ଟଙ୍କା, ବାଲେଶ୍ବରରେ କେଜି ୨୭ ଟଙ୍କା। କଟକ ଛତରବଜାରରେ ଧଡ଼ା (୩କେଜି) ୭୫ ଟଙ୍କାରେ ବିକ୍ରି ହେଉଛି, ଖୁଚୁରା ବଜାରରେ ଏତିକି ପରିମାଣ ଆଳୁ ଦର ୮୫ ଟଙ୍କା।

Advertisment

ରାଉରକେଲାରେ ଗୋଲ ଆଳୁ ପାଇକାରୀ ବଜାରରେ କେଜି ୧୮ ଟଙ୍କା ଓ ଖୁଚୁରାରେ ୨୨ ଟଙ୍କାରେ ବିକ୍ରି ହେଉଛି। ସେଠାରେ ଲମ୍ବା ଆଳୁ ଦାମ୍ ପାଇକାରୀରେ ୨୧ ଟଙ୍କା ଓ ଖୁଚୁରାରେ ୨୫ ଟଙ୍କା ରହିଛି। ସେହିଭଳି ସମ୍ବଲପୁରରେ ଆଳୁ କେଜି ୨୮ରୁ ୩୦ ଟଙ୍କା ରହିଛି। ବ୍ରହ୍ମପୁରରେ ମଧ୍ୟ େକଜି ୨୮ ଟଙ୍କା, ଅନୁଗୁଳରେ ୩୦ଟଙ୍କାରେ ବିକ୍ରି ହେଉଛି।

ପାଇକାରୀ ଓ ଖାଉଟି ଦରରେ ବ୍ୟବଧାନ ୪୦%ରୁ ଅଧିକ
ପାଇକାରୀ ଦର କେଜି ୨୦ ଟଙ୍କା, ବଜାରରେ ୨୮-୩୦ଟଙ୍କାରେ ବିକ୍ରି
ଆଗକୁ ଆହୁରି ବଢ଼ିପାରେ, ନିଘୋଡ଼ ନିଦ୍ରାରେ କୃଷି ଓ ଯୋଗାଣ ବିଭାଗ

publive-image Healthline

ଏବେ ଖାଉଟିଙ୍କୁ ଯେଉଁ ପ୍ରଶ୍ନଟି ବେଶି ଆନ୍ଦୋଳିତ କରୁଛି, ତାହା ହେଲା ପାଇକାରୀ ଓ ଖୁଚୁରା ବଜାର ଦରରେ ପାଖାପାଖି ୪୦% ଅନ୍ତର କାହିଁକି? କେଉଁ କାରଣ ପାଇଁ ଖୁଚୁରା ବ୍ୟବସାୟୀମାନେ କେଜି ପିଛା ୮ରୁ ୧୦ ଟଙ୍କା ଅଧିକ ନେଉଛନ୍ତି? ପାଇକାରୀ ବେପାରୀଙ୍କ ପାଖରେ ଏହାର ଉତ୍ତର ନାହିଁ। ସେମାନଙ୍କ କହିବା କଥା, ଖୁଚୁରା ବଜାର ଉପରେ ସେମାନଙ୍କର ନିୟନ୍ତ୍ରଣ ନାହିଁ। ଏପଟେ ରାଜ୍ୟ ସରକାରଙ୍କ ନିରବତା ଅନେକ କିଛି କଥା କହୁଛି। ପର୍ଯ୍ୟବେକ୍ଷକ ମହଲ ଯେଉଁ ଦିଗକୁ ଇଙ୍ଗିତ କରୁଛନ୍ତି, ତାହା ହେଲା; ଆଳୁ ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବା ମଧୁଚନ୍ଦ୍ରିକାରେ ପୂରା ବେପାର ଚାଲିଛି। କାରଣ ଯାହା ହେଉନା କାହିଁକି, ଖାଉଟିଙ୍କ ସ୍ଥିତି ସଙ୍ଗିନ୍ ହେଲାଣି। ଏଇଥିପାଇଁ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ବ ବହନ କରୁଛି ଯେ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି, ହେଲେ କେଜିଏ ଚାଉଳ ଦାମ ଠାରୁ ଗୋଟିଏ ଆଳୁର ଦାମ୍ ଏବେ ଅଧିକ ହେଲାଣି। ଗୋଟିଏ ପଟେ ଖାଉଟି ମୂଲ୍ୟସୂଚୀରେ ବେଶ୍ କିଛି ଦିନ ଧରି ମୁଦ୍ରାସ୍ଫୀତି ୭% ଉପରେ ରହିଛି। ଏଭଳି ସମୟରେ ସାଧାରଣ ଲୋକର ଭାତ ସହିତ ସବୁଠାରୁ ଅଧିକ ବ୍ୟବହାର ପରିବା ‘ଆଳୁ’ ଦର ବୃଦ୍ଧି ତାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେବା ସ୍ବାଭାବିକ।

ବିଶିଷ୍ଟ ବ୍ୟବସାୟୀ ତଥା ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହୁଛନ୍ତି ଯେ ସଂପ୍ରତି କୋଲକାତାରେ ଆଳୁ କ୍ବିଣ୍ଟାଲ ଦର ୧୮୦୦ରୁ ୧୮୫୦ ଟଙ୍କା ରହିଛି। ପ୍ରତି କ୍ବିଣ୍ଟାଲ ଆଳୁ ପାଇଁ ପରିବହନ ଖର୍ଚ୍ଚ ୧୪୦ ଟଙ୍କା। ଏସବୁକୁ ବିଚାରକୁ ନେଇ ଆଳୁ ୨୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ କେତେ ଦରରେ ବିକ୍ରି ହେବ, ତାହା ଆମ ଆୟତ୍ତ ବାହାରେ। ବରଂ ପ୍ରଶାସନର ବଜାର ଉପରେ ନିୟନ୍ତ୍ରଣ ରହିଛି। ତେବେ ବର୍ତ୍ତମାନର ସ୍ଥିତି ଯାହା, ଆଳୁ ଦର କେଜି ପ୍ରତି ଅତି ବେଶୀରେ ୨୪ ଟଙ୍କା ଡେଇଁବା କଥା ନୁହେଁ। ପାଇକାରୀ ଓ ଖୁଚୁରା ବଜାର ଦରରେ ବ୍ୟବଧାନ ଅଧିକ ରହୁଥିବା ସଂପର୍କରେ ଥରେ ନୁହେଁ, ଅନେକ ଥର ଆେଲାଚନା ଲାଗି ବ୍ୟବସାୟୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ମାତ୍ର ସରକାର ବ୍ୟବସାୟୀଙ୍କୁ କେବେ ଗୁରୁତ୍ବ ଦେଇନାହାନ୍ତି। ବ୍ୟବସାୟୀ-ପ୍ରଶାସନ ମଧ୍ୟରେ ଦୂରତା ଯେତେ ଅଧିକ ହେଉଛି, ଖାଉଟି ସେତିକି ଅଧିକ ହନ୍ତସନ୍ତ ହେଉଛନ୍ତି।

publive-image

ବିଶିଷ୍ଟ ଆଳୁ ବ୍ୟବସାୟୀ ମନୋଜ ଜେନାଙ୍କର କହିବା କଥା ହେଉଛି ଯେ ସଂପ୍ରତି କୋଲକାତାରୁ ଦୈନିକ ୪୦୦ରୁ ୪୫୦ ଟ୍ରକ୍ ଆଳୁ ଆସୁଛି। ଉତ୍ତରପ୍ରଦେଶରୁ ଆଳୁ ନ ଆସୁଥିଲେ, ସ୍ଥିତି ବିଗିଡିସାରନ୍ତାଣି। ପାଇକାରୀ ବଜାରରେ ଆଳୁ ୩୦ ଟଙ୍କା ଛୁଇଁଥାନ୍ତା। କିନ୍ତୁ ଉତ୍ତରପ୍ରଦେଶରୁ ଯେତେ ଅଧିକ ଆଳୁ ଆସୁଛି, ବ୍ୟବସାୟୀ ସେତେ ଅଧିକ କ୍ଷତି ସହୁଛନ୍ତି। ସେଠାରୁ ଆଳୁ ଆସି ଏଠି ବଜାରରେ ପହଞ୍ଚିବା ଲାଗି ଚାରିଦିନ ସମୟ ଲାଗୁଛି ଏବଂ ଅଧା ଆଳୁ ପଚିଯାଉଛି। ଅନ୍ୟଥା ବଜାର ଉପରେ ଆଉ ଟିକେ ନିୟନ୍ତ୍ରଣ ଆସିପାରନ୍ତା।

ପୂର୍ବତନ ପ୍ରଶାସକ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକ କିନ୍ତୁ ରାଜ୍ୟରେ ଆଳୁ ଦର ପାଇଁ ସିଧାସଳଖ ସରକାରଙ୍କୁ ଆଙ୍ଗୁଠି ଦେଖାଇଛନ୍ତି। ସେମାନଙ୍କର କହିବା କଥା ହେଉଛି, ସରକାରଙ୍କ ବାମ ହାତ କଣ କରୁଛି, ଡାହାଣ ହାତ ଜାଣିପାରୁନାହିଁ। ସଂପ୍ରତି ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗ ଅତନୁ ସବ୍ୟସାଚୀଙ୍କ ହାତରେ ରହିଛି। ସେହିଭଳି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ କୃଷି ବିଭାଗ ଦାୟିତ୍ବରେ ଅଛନ୍ତି। ଲୋକସେବା ଭବନରେ ଏମାନେ କେଇ ଫୁଟ ଦୂରତାରେ ବସୁଛନ୍ତି। ହେଲେ ଏମାନଙ୍କ ଭିତରେ ସର୍ବନିମ୍ନ ସମନ୍ବୟ ନ ଥିବା ଯୋଗୁଁ ଖାଉଟିଙ୍କ ଉପରେ ଆଳୁ ଚଡ଼କ ପଡ଼ିଛି। ତୁଚ୍ଛା କଥାରେ ଏମାନେ ଏକାଠି ବସନ୍ତି, ହେଲେ ଆଳୁ ତିରୋଟ ସ୍ଥିତିରେ ଥିଲେ ବି ଏକାଠି ବସି ରାସ୍ତା କାଢ଼ିବା ଲାଗି ଉଦ୍ୟମ କରିନାହାନ୍ତି। ଏହା ପୂର୍ବରୁ ବି ଦାୟିତ୍ବରେ ଥିବା ମନ୍ତ୍ରୀ ଏ ନେଇ ଉଦ୍ୟମ କରିନଥିଲେ। ଏହାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବନି ତ ଆଉ କାହା ଉପରେ ପଡ଼ିବ?