ଏସ୍‌ଟି ଓ ଏସ୍‌ସି ପିଲାଙ୍କ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧି

ଭୁବନେଶ୍ୱର : ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧି କରାଯାଇଛି। ଛାତ୍ରଙ୍କ ଲାଗି ପୂର୍ବରୁ ୭୫୦ ଟଙ୍କା ଥିବା ବେଳେ ଏବେ ୯୫୦ ଟଙ୍କା କରାଯାଇଛି। ସେହିପରି ଛାତ୍ରୀଙ୍କ ପାଇଁ ୮୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। ପ୍ରି-ମାଟ୍ରିକ ଛାତ୍ରବୃତ୍ତି ମୁଖ୍ୟତଃ ହଷ୍ଟେଲର ପରିଚାଳନା ପାଇଁ ଉଦ୍ଦିଷ୍ଟ। ଏହି ଛାତ୍ରବୃତ୍ତି ଉକ୍ତ ଦୁଇ ବର୍ଗର ଅନ୍ତେବାସୀଙ୍କ ଶିକ୍ଷାଗତ ତଥା ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରି ଦିଆଯାଏ। ଅଧିକାଂଶ ଅନ୍ତେବାସୀଙ୍କର ପୁଷ୍ଟିକର ସୁରକ୍ଷା ପାଇଁ ହଷ୍ଟେଲ ମେନୁରେ ମିଲେଟ(ମାଣ୍ଡିଆ) ଆଧାରିତ ଖାଦ୍ୟ ସାମଗ୍ରୀ ସାମିଲ ହେବ।

ଏହି ଯୋଜନାରେ ୫ ଲକ୍ଷରୁ ଅଧିକ ଅନ୍ତେବାସୀ ଉପକୃତ ହେବେ। ପ୍ରତିବର୍ଷ ଛାତ୍ରବୃତ୍ତି ଲାଗି ୪୯୦ କୋଟି ଟଙ୍କା ବ୍ୟୟ ଅଟକଳ ହେବ। ଶେଷ ଥର ଲାଗି ୨୦୧୫ରେ ଛାତ୍ରବୃତ୍ତି ବୃଦ୍ଧି କରାଯାଇଥିଲା। ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସ୍କୁଲଗୁଡ଼ିକର ଏସ୍‌ଟି ଓ ଏସ୍‌ସି ଅନ୍ତେବାସୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ।

ସମ୍ବନ୍ଧିତ ଖବର