କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫର୍ମପୂରଣ ସମୟସୀମା ପୁଣି ବୃଦ୍ଧି ପାଇଛି। ଫେବ୍ରୁଆରି ୧୨ ତାରିଖ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ।
ତେବେ ପୂର୍ବରୁ ମାଟ୍ରିକ ଫର୍ମପୂରଣ ତାରିଖ ଫେବ୍ରୁଆରି ୨ ତାରିଖ ଥିଲା। ଏହି ଅବଧି ବୃଦ୍ଧି କରାଯାଇ ଫେବ୍ରୁଆରି ୧୦ ତାରିଖ କରାଯାଇଥିଲା। ଆଜି ପୁଣି ଏହି ସମୟସୀମା ବୃଦ୍ଧି ପାଇ ଫେବ୍ରୁଆରି ୧୨ ତାରିଖ କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଧ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା। ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇ କହିଥିଲେ, ଫର୍ମ ପୂରଣର ଆବଶ୍ୟକତାକୁ ଦେଖି ମାଟ୍ରିକ ଫର୍ମପୂରଣ ସମୟସୀମାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯାଇପାରେ।
ଏଥିସହିତ ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ଚଳିତ ୨୦୨୧ ମେ ମାସରେ ମାଟ୍ରିକ ବୋର୍ଡ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଫର୍ମ ପୂରଣ ତାରିଖ ବଢ଼ାଇବାର ଆବଶ୍ୟକତା ରହିଛି । ତେଣୁ ଗୋଟିଏ ଦିନରେ ଯଦି ସମ୍ପୂର୍ଣ୍ଣ ଫର୍ମ ପୂରଣ ହୋଇ ନ ପାରିଲା ତେବେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଆଉ ଦୁଇ ଦିନ ବୃଦ୍ଧି କରାଯିବା ନେଇ ବୋଲି ମନ୍ତ୍ରୀ କହିଥିଲେ।