ଭୁବନେଶ୍ୱର: ଐତିହ୍ୟ ଓ ସଂସ୍କୃତି ନୀତି ପ୍ରଣୟନ ପାଇଁ ବୁଦ୍ଧିଜୀବୀ ଓ ସଚେତନ ବ୍ୟକ୍ତିବିଶେଷଙ୍କଠାରୁ ପ୍ରସ୍ତାବ ଓ ପରାମର୍ଶ ନିଆଯିବ। ପରାମର୍ଶକୁ ଆଧାର କରି ନୀତି ପ୍ରଣୟନ ହେବ। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୨୭ ତାରିଖରେ ଐତିହ୍ୟ କ୍ୟାବିନେଟ୍ର ପ୍ରଥମ ବୈଠକରେ ଗୃହୀତ ପ୍ରସ୍ତାବ ପରେ ବହୁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ତାହାକୁ କାର୍ଯ୍ୟକାରୀ କରାଯିବା ସହ ପୂର୍ବରୁ ହୋଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରୀ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆସିଥିବା ଆବେଦନଗୁଡ଼ିକର ବିଚାର କ୍ରମେ ଅଗଷ୍ଟ ୧୫ରୁ କଳାକାରଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ। ବର୍ଷା ଋତୁ ପରେ ପ୍ରତି ଜିଲ୍ଲାରେ ପୁସ୍ତକମେଳା ଆୟୋଜନ କରାଯିବ। ଏ ବାବଦରେ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅର୍ଥରାଶି ପ୍ରଦାନ କରାଯିବ। ସେପ୍ଟେମ୍ବର ୧୨ରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର, ସାଧନାପୀଠ ସାତଲହଡ଼ି ମଠ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ସମାରୋହ ହେବ। ଜନ୍ମ ପୀଠରେ ପ୍ରତିମୂର୍ତି ଅନାବରଣ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଦିଆଯାଉଥିବା ପୁରସ୍କାରର ବିଭାଗ ସମ୍ପ୍ରସାରିତ ହେବ। ପୂର୍ବରୁ ୯ଟି ବିଭାଗରେ ପୁରସ୍କାର ଦିଆଯାଉଥିବା ବେଳେ ଏଣିକି ବିଜ୍ଞାନ ରଚନା, ଐତିହାସିକ ଗବେଷଣା, ସୋସିଆଲ୍ ମିଡିଆରେ ଓଡ଼ିଆ ବ୍ଲଗ ଲିଖନ ପାଇଁ ପୁରସ୍କାର ଦେବାକୁ ବୈଠକରେ ସ୍ଥିର ହୋଇଛି। ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ପ୍ରଦତ୍ତ ସହାୟତା ରାଶି ଓ ଟୁଙ୍ଗି ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ, ଅତରିକ୍ତ ଶାସନ ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ନିର୍ଦେଶକ ମନସ୍ୱିନୀ ସାହୁ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଜୟନ୍ତୀ ରଥ, ରାଜ୍ୟ ଗ୍ରନ୍ଥାଗାରର ଶରତ ଚାଟାର୍ଜୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଐତିହ୍ୟ ଓ ସଂସ୍କୃତି ନୀତି ପ୍ରଣୟନ ପାଇଁ ପରାମର୍ଶ ନିଆଯିବ
ସାହିତ୍ୟ ଏକାଡେମି ପୁରସ୍କାର ସଂଖ୍ୟା ବଢ଼ିବ, ଭାଗବତ ଟୁଙ୍ଗି ସଂଖ୍ୟା, ସହାୟତା ରାଶି ଦ୍ୱିଗୁଣିତ ହେବ
/sambad/media/post_attachments/wp-content/uploads/2018/07/secretariat-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)