ତେଜିଲା ମଦମୁକ୍ତି ଆନ୍ଦୋଳନ

ଏପ୍ରିଲ ପହିଲା ସୁଦ୍ଧା ମଦ ବନ୍ଦ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟ ସରକାର ମଦ ବନ୍ଦ ନ କଲେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରିବ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ମଦ ବନ୍ଦ ପାଇଁ ଆନ୍ଦୋଳନ କରାଯିବ। ଆଜି ରାଜଧାନୀର ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ଜାତୀୟସ୍ତରୀୟ ‘ମଦମୁକ୍ତ ଭାରତ’ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହାସହ ମଦ ବିରୋଧୀ ଆନ୍ଦୋଳନରେ ଅଧିକରୁ ଅଧିକ ଯୁବକମାନଙ୍କୁ ଯୋଡ଼ିବା ପାଇଁ ଏକ ମଦମୁକ୍ତ ଓଡ଼ିଶା ଯୁବକ ବାହିନୀ ଗଠନ କରାଯାଇଛି। ଏହି ବାହିନୀ କିଭଳି କାର୍ଯ୍ୟ କରିବା ସେଥିପାଇଁ ଏକ ବୈଠକ ଆସନ୍ତା ମାସ ୧୮/୧୯ତାରିଖରେ ଅନୁଷ୍ଠିତ ହେବ। ସାରା ଦେଶରେ ମଦ ବନ୍ଦ କରିବା ପାଇଁ ଆସନ୍ତା ଏପ୍ରିଲ ମାସରେ ଦିଲ୍ଲୀଠାରେ ଏକ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀ ପରେ ଦେଶରୁ ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ରାଜନୈତିକ ଦଳ ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ନମତାରା ପୁଲିସ ଗୁଳିକାଣ୍ଡର ଆରଡିସି ତଦନ୍ତକୁ ବିଧାନସଭାରେ ଉପସ୍ଥାପନ କରିବାକୁ ସମ୍ମିଳନୀରେ ଦାବି କରାଯାଇଥିଲା। ଏଥିରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମଦମୁକ୍ତି ସମ୍ମିଳନୀରେ ଓଡ଼ିଶା ସମେତ ୨୧ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଥିଲେ। ସଂଗଠନ ପକ୍ଷରୁ ଗତକାଲି ଅନୁଷ୍ଠିତ ହୋଇଥିବା ସଭାରେ ଯେଉଁ ସଂକଳ୍ପ ପାରିତ ହୋଇଥିଲା ଆଜି କର୍ମକର୍ତାମାନଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ସମ୍ମିଳନୀରେ ଉପସ୍ଥିତ ମଦ ବିରୋଧୀ ଆନ୍ଦୋଳନର ଉଦ୍ୟୋକ୍ତାମାନେ କହିଥିଲେ ଯେ ଦେଶର କେତେକ ରାଜ୍ୟରେ ମଦ ବନ୍ଦ କରାଯାଇଥିଲେ ହେଁ ଓଡ଼ିଶାରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଗାଁ ଗଣ୍ଡାରେ ମଦର ବନ୍ୟା ସୃଷ୍ଟି ହୋଇଛି। ପରିବାର ଛାରଖାର ହୋଇଯାଉଛି। ମଦ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନ ଥିବା ବେଳେ ଲୋକଙ୍କ ସହଯୋଗ ମଧ୍ୟ ନାହିଁ। ନିଶାମୁକ୍ତି ପାଇଁ ଲୋକଙ୍କ ସହଭାଗିତା ବଢ଼ିଲେ ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇପାରିବ ବୋଲି ସେମାନେ ମତ ଦେଇଥିଲେ। ତେଣୁ ମଦ ଉତ୍ପାଦନ, ବଣ୍ଟନ, ବିକ୍ରୟ ପାଇଁ ପ୍ରଯୁଜ୍ୟ ଲାଇସେନ୍ସଗୁଡ଼ିକର ପ୍ରତ୍ୟାହାର ତଥା ନବୀକରଣ ଉପରେ ସଂପୂର୍ଣ୍ଣ ବନ୍ଦ କରାଯାଉ। ମଦବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ବିନା ସର୍ତରେ ପ୍ରତ୍ୟାହାର, ମଦବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଦିଲ୍ଲେଶ୍ୱର ଦଣ୍ଡସେନା, ଉର୍ମିଳା କହଁର, ମେଟ ଲାକ୍ରା ପ୍ରମୁଖଙ୍କୁ ସହିଦର ମାନ୍ୟତା ପ୍ରଦାନ କରିବା ଓ ନମତାରା ପୁଲିସ ଗୁଳିକାଣ୍ଡର ଆରଡିସି ତଦନ୍ତକୁ ବିଧାନସଭାରେ ଉପସ୍ଥାପନ ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସାମାଜିକ କର୍ମୀ ଜଗଦାନନ୍ଦ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସୁଲତାନ ସିଂ, ଡ.ସିରିନ, ବିଜୟ ଯାଦବ, ବିନୋଦ ଘୋଡ଼କେ, ବିଜୟ ସ୍ୱାଇଁ, ମମତା ଶର୍ମା, ଅଦ୍ୱୈତ ପାତ୍ର, ଅବସର ବେଉରିଆ, ଆଚାର୍ଯ୍ୟ ସନ୍ତୋଷାନନ୍ଦଜୀ, ମହାବୀର ତ୍ୟାଗୀ, ଅରୁନ୍ଧତି ଗୁରୁମା ଓ ଡ.ସୁନିଲମ୍‌ ପ୍ରମୁଖ ଯୋଗ ଦେଇଥିଲେ। ମଳୟ ତ୍ରିପାଠୀ, କାହ୍ନ ବେହୁରା ଓ ଦୁର୍ଗା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର