ଲକ୍‌ଡାଉନ୍‌ ପରେ ବଢ଼ିଛି ନିଶା ଜନିତ ମାନସିକ ରୋଗ

ଏମ୍ସରେ ରୋଗୀ ସଂଖ୍ୟା ୨୦% ବୃଦ୍ଧି, ବ୍ରାଉନସୁଗାର ବଢ଼ାଉଛି ଚିନ୍ତା

ଭୁବନେଶ୍ୱର : ଭାରି ଛାନିଆ ଲାଗୁଛି, ତେଣୁ ଏଥିରୁ ରକ୍ଷା ପାଇଁ କିଛି ଲୋକ ତମାଖୁ, ବ୍ରାଉନସୁଗର କିମ୍ବା ମଦ୍ୟପାନକୁ ଆପଣାଇ ନେଉଛନ୍ତି। ସାମୟିକ ଭାବରେ ଏଥିରୁ ମୁକ୍ତି ମିଳୁଥିଲେ ବି ସେହି ଛାନିଆ ରୋଗ ସହିତ ଆହୁରି ଅନେକ ମାନସିକ, ଶାରୀରିକ ସମସ୍ୟା ଜଟିଳ ହୋଇ ପଡ଼ୁଛି। ରାଜ୍ୟରେ ଏଭଳି ଅବସ୍ଥା ହେଲାଣି ଯେ ଅପରାଧଠାରୁ ରୋଗ ବୃଦ୍ଧି ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଘଟଣା ପଛରେ ନିଶା ଏକ ବଡ଼ କାରଣ ପାଲଟିଛି। କରୋନା ଏବଂ ଲକ୍‌ଡାଉନ୍‌ ପରେ ଏମ୍ସକୁ ଆସୁଥିବା ନିଶା ଜନିତ ମାନସିକ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଥିମଧ୍ୟରେ ବ୍ରାଉନସୁଗାର ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ବୋଲି ମତ ଦେଇଛନ୍ତି ଏମ୍ସ ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର।
ଡ. ମହାପାତ୍ର କହିଛନ୍ତି, ଏମ୍ସକୁ ଦୈନିକ ଆସୁଥିବା ହାରାହାରି ୬୦ରୁ ୭୦ ମାନସିକ ରୋଗୀଙ୍କ ମଧ୍ୟରୁ ୧୫ରୁ ୨୦ ପ୍ରତିଶତ ନିଶାଜନିତ କାରଣରୁ ଆସିଥାଆନ୍ତି। ଏମାନଙ୍କ ମଧ୍ୟରୁ କେତେକ ରୋଗୀ ମେଡିସିନ, ଗ୍ୟାଷ୍ଟ୍ରୋ ଆଦି ବିଭାଗକୁ ଅନ୍ୟ ରୋଗ ଚିକିତ୍ସା ପାଇଁ ଆସିଥିବାବେଳେ ମନସ୍ତତ୍ବ ବିଭାଗକୁ ରେଫର ହୋଇଥାଆନ୍ତି। ନିଶାଜନିତ କାରଣରୁ ଦୁର୍ଘଟଣାରେ ଶିକାର, ନିଶା ସହିତ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ବି ପୁଲିସ ଏଠିକୁ ଆଣିଥାଏ। ଏଥିସହିତ ନିଶା ସେବନ ଅଭ୍ୟାସ ଛଡ଼ାଇବା ପାଇଁ ପରିଜନମାନେ କେତେ ଜଣଙ୍କୁ ଡାକ୍ତରଙ୍କ ପାଖକୁ ଆଣିଥାଆନ୍ତି। ସ୍ବେଚ୍ଛାକୃତ ଭାବରେ କୌଣସି ବ୍ୟକ୍ତି ଏଠାକୁ ଆସିବା ସଂଖ୍ୟା ସେହିଭଳି ଆଖି ଦୃଶିଆ ହୋଇନାହିଁ । ପୂର୍ବରୁ ଏଭଳି ରୋଗୀଙ୍କ ସଂଖ୍ୟା ଯାହା ଥିଲା, ଲକ୍‌ଡାଉନ୍‌ ପରେ ଏହା ବୃଦ୍ଧି ପାଇଛି।

କୌତୂହଳର ବିଷୟ ହେଲା; ଲକ୍‌ଡାଉନ୍‌ରେ ଅନ୍ୟ ସବୁ ବ୍ୟବସାୟ ହ୍ରାସ ପାଇଥିଲେ ମଧ୍ୟ ନିଶା କାରବାର ବଢିଥିଲା। ଏପରିକି ସ୍ବିଗି, ଜମାଟୋରୁ ଲୋକେ ମଦ କିଣି ପିଇଥିଲେ। ବ୍ରାଉନସୁଗାର ବି ବ୍ୟବହାର କରିଥିଲେ। ପର୍ଯ୍ୟାପ୍ତ ଅବସର ସମୟ ମିଳିଥିବାରୁ ଏହା ସେମାନଙ୍କୁ ସୁବିଧା ହୋଇଥିଲା। ଏଥିସହିତ ମାନସିକ ଚାପ ଯୋଗୁଁ କିଛି ବ୍ୟକ୍ତି ନିଶାଖୋର ହୋଇ ମାନସିକ ରୋଗୀ ପାଲଟିଛନ୍ତି। ଯାହା ଅନ୍ୟ ସମୟ ଅପେକ୍ଷା ଆହୁରି ଜଟିଳ ହୋଇଛି।

ଡ.ଦେବଦତ୍ତା କହନ୍ତି, ସାଧାରଣ ସମୟରେ ରାଜ୍ୟରେ ପାନ କିମ୍ବା ଗୁଣ୍ଡି ଆକାରରେ ତମାଖୁ ସେବନକାରୀଙ୍କ ସଂଖ୍ୟା ସର୍ବାଧିକ। ଗାଁ ଠାରୁ ସହରଯାଏ ସବୁଠି ଛୋଟ ବେଳୁ ହିଁ ଅନେକ ଏହାକୁ ନେଇ ଅଭ୍ୟସ୍ତ ଥାଆନ୍ତି। ମାନସିକ ଭାବରେ ତମାଖୁ ଉପରେ ନିର୍ଭରଶୀଳତା ଏତେ ଅଧିକ ଅନୁଭବ କରନ୍ତି ଯେ ଏହା ନ ନେଲେ ଶୌଚ ଠିକ ଭାବରେ ହୁଏ ନାହିଁ ବୋଲି ଅନେକ ରୋଗୀ ଭାବନ୍ତି। ଅନ୍ୟ ନିଶା ତୁଳନାରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ସେହିଭଳି ନଥିଲେ ମଧ୍ୟ ଏହି ଅଭ୍ୟାସ ଛଡ଼ାଇବା ସର୍ବାଧିକ କଷ୍ଟକର। ମଦ୍ୟପାନ ଯୋଗୁଁ ହାତ ଥରେ, ଛାନିଆ ଲାଗେ, ନିଦ ହୁଏନି, ଫିଟ୍‌ସ ହୁଏ, ଦିନରାତିକୁ ନେଇ ଭ୍ରମ ହୁଏ। ଏପରିକି ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ନିଜ ଲୋକଙ୍କୁ ଚିହ୍ନି ପାରନ୍ତି ନାହିଁ। ବ୍ରାଉନସୁଗାର ନେଉଥିଲେ ନାକ, ଆଖିରୁ ପାଣି ବାହାରେ, ହାଇ ଓ ଛିଙ୍କ ଆସେ, ପତଳା ଝାଡ଼ା କିମ୍ବା ଅଧିକ ବ୍ରାଉନସୁଗାର ନେଉଥିଲେ ନିୟମିତ ବାତ ବି ମାରିଥାଏ। ଗଞ୍ଜେଇ ନେଉଥିବା ବ୍ୟକ୍ତିଙ୍କ ମାନସିକ ରୋଗ ସମସ୍ୟା ଅଧିକ ଥାଏ। ମଦ୍ୟପାନ ଏବଂ ବ୍ରାଉନସୁଗାର ନେଉଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ଭର୍ତ୍ତି କରାଇବା ଆବଶ୍ୟକ ହୁଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସିଗାରେଟରେ ଗଞ୍ଜେଇ ଟାଣୁଥିବା ବ୍ୟକ୍ତି ଅଧିକ ଦେଖାଯାଉଛନ୍ତି। ପେଟ୍ରୋଲ, ଡେନ୍‌ଡ୍ରାଇଟ୍‌ ବା ନେଲ୍‌ପଲିସ ଶୁଂଘିବା, ଅତ୍ୟଧିକ ନିଦ ଔଷଧ ସେବନ କରିବା, କୋରେକ୍ସ ପିଇବା ଆଦି ଅଭ୍ୟାସ ଯୋଗୁଁ ମଧ୍ୟ ମାନସିକ ରୋଗ ବଢୁଛି। ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ନିଦ ଔଷଧ ବିକ୍ରୟକୁ ସରକାର ନିଷେଧ କରିଥିବାରୁ ଲୋକେ ସହଜରେ ଏହି ଔଷଧ ପାଉ ନାହାନ୍ତି। ଏଥି ଯୋଗୁଁ ସୃଷ୍ଟ ମାନସିକ ଚାପରୁ ରକ୍ଷା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି।

ନିଶାଜନିତ ମାନସିକ ରୋଗର ଚିକିତ୍ସା ହୁଏ କେମିତି?
ଦୁଇଟି ପର୍ଯ୍ୟାୟରେ ନିଶାଜନିତ ମାନସିକ ରୋଗର ଚିକିତ୍ସା ହୁଏ। ପ୍ରଥମ ପର୍ଯ୍ୟାୟରେ ରୋଗୀକୁ ୧୦ରୁ ୧୨ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ଅତ୍ୟଧିକ ନିଶା ନେଉଥିବା ବ୍ୟକ୍ତିଙ୍କ ଅଚାନକ ନିଶା ବନ୍ଦ କରାଯାଏ ନାହିଁ। ଏହାର ନିର୍ଦିଷ୍ଟ ପରିମାଣ ରହିଛି। ଯେତିକି ନିଶା ନିଅନ୍ତି, ତାକୁ ବାହାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା ହୁଏ। ଦ୍ବିତୀୟ ପର୍ଯ୍ୟାୟ ଚିକିତ୍ସାରେ ତାଙ୍କୁ ନିଶା ଛାଡ଼ିବା ପାଇଁ ପ୍ରେରଣା ଦିଆଯାଏ। ସେ କାହିଁକି ନିଶାଗ୍ରସ୍ତ ହେଲେ, ପାରିବାରିକ ସ୍ଥିତି, ଆର୍ଥିକ କ୍ଷତିକୁ ନେଇ ଆଲୋଚନା କରାଯାଏ। ଏହାପରେ ନିଶା ଛାଡ଼ିବା ବା ଇଚ୍ଛା ନହେବା ପାଇଁ ଔଷଧ ଦିଆଯାଏ। ଏଥିପାଇଁ ୧୦ରୁ ୧୫ ଦିନ ଡାକ୍ତରଖାନାରେ ରଖାଯାଏ। ପ୍ରଥମ ୬ ମାସ ନିଶାରୁ ଦୂରେଇ ରହିଲେ, ବ୍ୟକିଙ୍କ ନିଶା ଛାଡ଼ିବାର ସମ୍ଭାବନା ବଢିଯାଏ। ନିୟମିତ ନିଶାଗ୍ରସ୍ତ ନେଉଥିବା ବ୍ୟକ୍ତି ୧୦ ମାସ ନିଶା ବନ୍ଦ କରିଦେବାକୁ ବଡ଼ ସଫଳତା ଦର୍ଶାଯାଏ। ବର୍ତ୍ତମାନ ୧୦ ବର୍ଷ ବାଳକଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗ ମଧ୍ୟରେ ନିଶା ସେବନ ବଢିଛି। ମହିଳାମାନଙ୍କ ମଧ୍ୟରେ ଏହାର ବ୍ୟବହାର କରୁଛନ୍ତି। ଜଣେ ମହିଳା ଥରେ ମଦ୍ୟପାନ ଆରମ୍ଭ କରି ଦେଲେ, ସେମାନେ ସହଜରେ ଛାଡ଼ି ପାରନ୍ତି ନାହିଁ। ନିଶା ମଣିଷ ଜୀବନକୁ ବ୍ୟକ୍ତିଗତ ଏବଂ ସାମାଜିକ ଭାବରେ ଯେଉଁଭଳି କ୍ଷତିଗ୍ରସ୍ତ କରାଉଛି ଏହାକୁ ମଧ୍ୟ କିଛି ବ୍ୟକ୍ତି ବୁଝୁଛନ୍ତି। ଏକଦା ନିଜେ ନିଶାଗ୍ରସ୍ତ ଥିବା ବ୍ୟକ୍ତି ନିଶାରୁ ମୁକ୍ତି ପାଇଁ କିଛି ବ୍ୟକ୍ତି ଗ୍ରୁପ ତିଆରି କରି ଅନ୍ୟକୁ ପ୍ରେରଣା ଦେଉଛନ୍ତି।

ସମ୍ବନ୍ଧିତ ଖବର