୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ ସ୍ବାସ୍ଥ୍ୟ ଅଟକଳରେ ୩୮% ବୃଦ୍ଧି

ଭୁବନେଶ୍ବର: ଜନ ସାଧାରଣଙ୍କ ପାଖରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ ସ୍ବାସ୍ଥ୍ୟ ଅଟକଳକୁ ସରକାର ୩୮% ବୃଦ୍ଧି କରି ୧୨,୬୨୪ କୋଟି ଟଙ୍କା କରିଛନ୍ତି। ରାଜ୍ୟର ୯୬ ଲକ୍ଷ ଆର୍ଥିକ ଦୁର୍ବଳ ବର୍ଗର ପରିବାରଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨,୬୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ସେବା ଗଠନ ଲାଗି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନରେ ୨,୩୨୫ କୋଟି ଟଙ୍କା ଦିଆଯାଇଛି। ଆନୁଷଙ୍ଗିକ ସେବାକୁ ଦୃଢ଼ କରିବା ଲାଗି ୬୫୨ କୋଟି ଟଙ୍କା ଓ ପରିବାର କଲ୍ୟାଣ ସ୍କିମ୍ ପାଇଁ ୫୧୪ କୋଟି ଟଙ୍କା ଦିଆଯାଇଛି। ସ୍ବାସ୍ଥ୍ୟ ଓ ମେଡିକାଲ୍ ଶିକ୍ଷା ‌କ୍ଷେତ୍ରରେ ମାନବ ସମ୍ବଳ ପାଇଁ ୩୧୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଶିକ୍ଷା, ଦକ୍ଷତା ବିକାଶ ପାଇଁ ୨୭,୩୨୪ କୋଟି
ଶିକ୍ଷା ଓ ଦକ୍ଷତା ବିକାଶର ରୂପାନ୍ତରଣ ପାଇଁ ବଜେଟ୍‌ରେ ୨୭,୩୨୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଅଣ ସରକାରୀ ହାଇସ୍କୁଲଗୁଡ଼ିକୁ ଅନୁଦାନ ପାଇଁ ୧,୧୦୯ କୋଟି ଟଙ୍କା ଓ ଅଣ ସରକାରୀ କଲେଜଗୁଡ଼ିକୁ ଅନୁଦାନ ପାଇଁ ୧,୨୮୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମଗ୍ର ଶିକ୍ଷା ପାଇଁ ୩,୫୮୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୋ ସ୍କୁଲ ଅଭିଯାନ, ସ୍ମାର୍ଟ କ୍ଲାସ୍‌ ରୁମ୍, ଆଦର୍ଶ ବିଦ୍ୟାଳୟ ପାଇଁ ମଧ୍ୟ ସ୍ବତନ୍ତ୍ର ପାଣ୍ଠି ଦିଆଯାଇଛି। ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ୧୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଶ୍ବବ୍ୟାଙ୍କ ପ୍ରକଳ୍ପ ଅଧୀନରେ ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଦୃଢ଼ କରିବା ଲାଗି ୨୫୮ କୋଟି ଟଙ୍କା ଓ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୧୭୭.୮ କୋଟି ଟଙ୍କା ଦିଆଯାଇଛି। ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଭାବେ ଭୁବନେଶ୍ବରର ଏକ ୱାର୍ଲଡ୍ ସ୍କିଲ୍ ସେଣ୍ଟର ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରଯୁକ୍ତି ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକ୍‌ନିକ୍‌ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସରକାର ୨୦୪ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆତ୍ମନିଯୁକ୍ତି ମିସନ ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି।

ପର୍ଯ୍ୟଟନକୁ ୫୯୦ କୋଟି
୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ଲାଗି ୫୯୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିର ପରିଚାଳନା ଓ ବିକାଶ ପାଇଁ ୩୫ କୋଟି ଟଙ୍କା ଓ ପର୍ଯ୍ୟଟନର ପ୍ରସାର ପାଇଁ ୧୫୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ପ୍ରସାଦ ଯୋଜନାରେ ୩୯ କୋଟି ଟଙ୍କା ଦିଆଯାଇଛି।

କ୍ରୀଡ଼ା ଶିକ୍ଷାର ପ୍ରସାର ପାଇଁ ୧୧୫ କୋଟି
ବଜେଟ୍‌ରେ କ୍ରୀଡ଼ା ଓ ଯୁବ ସେବା କ୍ଷେତ୍ର ପାଇଁ ୯୧୧ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତୁତ କରାଯାଇଛି। କ୍ରୀଡ଼ା ଶିକ୍ଷାର ପ୍ରସାର ପାଇଁ ୧୧୫ କୋଟି ଟଙ୍କା ଦିଆଯାଇଥିବା ବେଳେ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୭୧୯ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ଖେଲୋ ଇଣ୍ଡିଆ ପାଇଁ ରାଜ୍ୟ ସରକାର ୧୧ କୋଟି ଟଙ୍କାର ସହାୟତା ଦେବେ।

ସମସ୍ତଙ୍କ ପାଖରେ ପହଞ୍ଚିବ ଟ୍ୟାପ୍ ପାଣି
ସବୁ ଲୋକଙ୍କ ପାଖରେ ଟ୍ୟାପ୍ ପାଣି ସଂଯୋଗ ପ୍ରଦାନ କରିବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେଥିପାଇଁ ରାଜ୍ୟ ଯୋଜନା ଅଧୀନରେ ଜଳ ଜୀବନ ମିସନକୁ ୬୦୦୦ କୋଟି ଟଙ୍କା ମିଳିବ। ବସୁଧା ସ୍କିମ୍ ଅଧୀନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ୧,୮୫୦ କୋଟି ଟଙ୍କା ଦିଆଯାଇଛି। ସହରାଞ୍ଚଳ ସ୍ବରେଜ୍ ସ୍କିମ୍ ପାଇଁ ୧୩୮ କୋଟି ଟଙ୍କା, ସହରାଞ୍ଚଳ ପରିମଳ ସ୍କିମ୍ ପାଇଁ ୨୫୧ କୋଟି ଟଙ୍କା ଦିଆଯାଇଛି। ସହରାଞ୍ଚଳ ପ୍ରଶାସନରେ ଉନ୍ନତି ପାଇଁ ୫୮୫ କୋଟି ଟଙ୍କା, ନୂଆ ସହର ବିକାଶ ପାଇଁ ୩୩୪ କୋଟି ଟଙ୍କା, ଜାଗା ମିସନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି।

ମିସନ ଶକ୍ତି ଗୃହ ନିର୍ମାଣ ହେବ
ରାଜ୍ୟରେ ମିସନ ଶକ୍ତି ଗୃହ ନିର୍ମାଣ କରିବା ଲାଗି ୧୭୬ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ମିସନ ଶକ୍ତି କାର୍ଯ୍ୟକ୍ରମ ପାଇଁ ମୋଟ ୨,୦୦୦ କୋଟି ଟଙ୍କା ଦିଆଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିସନକୁ ୧,୦୩୯ କୋଟି ଟଙ୍କା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ଦେବା ଲାଗି ୭୭୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ମହିଳା ଓ ଶିଶୁ ବିକାଶ ପାଇଁ ୩, ୫୬୭ କୋଟି
ଚଳିତ ବର୍ଷ ବଜେଟ୍‌ରେ ମହିଳା ଓ ଶିଶୁ ବିକାଶ ପାଇଁ ୩,୫୬୭ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଛି। ମମତା ଯୋଜନାକୁ ୨୪୭ କୋଟି ଟଙ୍କା ଦିଆଯାଇଛି। ସୋପାନ ସ୍କିମ୍ ପାଇଁ ୮୮ କୋଟି ଟଙ୍କା ଦିଆଯାଇଥିବା ବେଳେ ମାଳତି ଦେବୀ ପ୍ରାକ୍-ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୭୮ କୋଟି ଟଙ୍କା ଏବଂ ବିଜୁ ଶିଶୁ ସୁରକ୍ଷା ଯୋଜନା-ଆଶୀର୍ବାଦ ପାଇଁ ୪୩ କୋଟି ଟଙ୍କା ଦିଆଯାଇଛି। ପୋଷଣ ୨.୦ ପାଇଁ ୧,୧୧୩ କୋଟି ଟଙ୍କା ଏବଂ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ପାଇଁ ୨,୩୯୭ କୋଟି ଟଙ୍କା ଦିଆଯାଇଛି।

ଧାର୍ମିକ ସ୍ଥଳର ସଂରକ୍ଷଣ ଓ ବିକାଶ ପାଇଁ ୧,୯୫୦ କୋଟି
ଅବଢ଼ା, ଏକାମ୍ର, ସମଲେଇ ଭଳି ‌ଯୋଜନା ସହ କଟକର ଚଣ୍ଡି ମନ୍ଦିର, କଣ୍ଟିଲୋର ନୀଳମାଧବ ମନ୍ଦିର, ଜଗସିଂହପୁରର ଶାରଳା ମନ୍ଦିର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତରୀକରଣ ପାଇଁ ୧,୯୫୦ କୋଟି ଟଙ୍କା ଦିଆଯାଇଛି। ସେଥିରୁ ଅବଢ଼ା ପାଇଁ ୧,୩୨୫ କୋଟି ଟଙ୍କା, ଏକାମ୍ର ପାଇଁ ୨୦୦ କୋଟି ଟଙ୍କା ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି। ଐତିହ୍ୟ, ସ୍ମାରକୀ ଓ ପର୍ଯ୍ୟଟକ ଗନ୍ତବ୍ୟ ସ୍ଥଳର ବିକାଶ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୪୯ଟି ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦରେ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି। ୨୦୨୨-୨୩ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅଟକଳ ୧୮% ବୃଦ୍ଧି ପାଇ ୫୯୦ କୋଟି ଟଙ୍କା ହୋଇଛି ଯାହା ୨୦୧୯-୨୦ ବ୍ୟୟବରାଦର ତିନି ଗୁଣ ଅଟେ। ‌ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୩୭୫ କୋଟି ଟଙ୍କା ଓ ପର୍ଯ୍ୟଟନର ପ୍ରସାର ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

New Indian Express

ଶକ୍ତି କ୍ଷେତ୍ର ପାଇଁ ୩,୪୮୨ କୋଟି
ବଜେଟ୍‌ରେ ରାଜ୍ୟ ସରକାର ଶକ୍ତି କ୍ଷେତ୍ର ପାଇଁ ୩,୪୮୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା ପାଇଁ ୯୯୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ରାଜଧାନୀ ଅଞ୍ଚଳ ବିଦ୍ୟୁତ ସରବରାହ ଉନ୍ନତି ପ୍ରଣାଳୀ ପାଇଁ ୧୭୦ କୋଟି ଟଙ୍କା ଓ ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ ବ୍ୟବସ୍ଥା ପାଇଁ ୫୦ କୋଟି ଟଙ୍କା ଦିଆଯାଇଛି। ଓପିଟିସିଏଲ୍‌ ୩୯୫ କୋଟି ଟଙ୍କା, ଓଏଚ୍‌ପିସିକୁ ୯୦୦ କୋଟି ଟଙ୍କା ଏବଂ ପିଏସ୍‌ୟୁଗୁଡ଼ିକୁ ଅଂଶଧନ ସହାୟତା ବାବଦରେ ୧୨୯୫ କୋଟି ଟଙ୍କା ଦେବାର ପ୍ରସ୍ତାବ ରହିଛି।

ଇଡ୍‌କୋକୁ ୧୯୭ କୋଟି, ଇପିକଲ୍‌କୁ ୯୫ କୋଟି
ଶିଳ୍ପ, ଏମ୍ଏସ୍‌ଏମ୍ଇ ଓ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଲାଗି ୧,୨୬୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଇଡ୍‌କୋକୁ ୧୯୭ କୋଟି ଟଙ୍କା, ଇପିକଲ୍‌ର ୯୫ କୋଟି ଟଙ୍କା, ସିଡ୍‌ବି କ୍ଲଷ୍ଟର ବିକାଶ ପାଣ୍ଠିକୁ ୨୭୦ କୋଟି ଟଙ୍କା, ଓଏଫ୍‌ଡିସିକୁ ୫୩ କୋଟି ଟଙ୍କା ଓ ଲ୍ୟାଣ୍ଡ୍‌ ବ୍ୟାଙ୍କ ସ୍କିମ୍ ପାଇଁ ୫୦ କୋଟି ଟଙ୍କା ଦିଆଯାଇଛି। ଏମ୍ଏସ୍‌ଏମ୍ଇ କ୍ଷେତ୍ରର ପ୍ରୋତ୍ସାହନ ପାଇଁ ୧୬୫ କୋଟି ଟଙ୍କା, ଏମ୍ଏସ୍‌ଏମ୍‌ଇଙ୍କୁ ଆର୍ଥିକ ସହାୟତା ପାଇଁ ୧୬୦ କୋଟି ଟଙ୍କା ଏବଂ ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରୋତ୍ସାହନ ପାଇଁ ୭୩ କୋଟି ଟଙ୍କା ଦିଆଯାଇଛି। ଖଣି ପଦାର୍ଥର ଅନୁସନ୍ଦାନ ଓ ନିଲାମ ପାଇଁ ୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର