ବର୍ଦ୍ଧିତ ହୋଲ୍‌ଡିଂ ଟିକସ ସ୍ଥଗିତ

ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଅନୁଯାୟୀ ଟିକସ ଆଦାୟ ହେବ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ରାଜଧାନୀରେ ୨୦୧୯ ମସିହାରେ ଜମିର ବେଞ୍ଚମାର୍କ ମୂଲ୍ୟ ଆଧାରରେ ଯେଉଁ ହୋଲ୍‌ଡିଂ ଟିକସ ଆଦାୟ ହେଉଥିଲା, ଆଜି ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିଛନ୍ତି।

ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟକୁ ନେଇ ରାଜଧାନୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅସନ୍ତୋଷକୁ ଆଖିରେ ରଖି ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‌କହିଛନ୍ତି ଯେ ବର୍ତ୍ତମାନ ପାଇଁ ବିଏମ୍‌ସିର ବର୍ଦ୍ଧିତ ହୋଲଡିଂ ଟିକସକୁ ସ୍ଥଗିତ ରଖାଗଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବିଏମ୍‌ସି ଏବେ ବେଞ୍ଚମାର୍କ ମୂଲ୍ୟାୟନକୁ ଆଧାର କରି ଯେଉଁ ହୋଲଡିଂ ଟିକସ ଧାର୍ଯ୍ୟ କରିଛି, ତାହାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି। ଏହି ମାମଲା ଏବେ ବିଚାରାଧୀନ ଅଛି। ତେଣୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ ବିଏମ୍‌ସି ପୂର୍ବରୁ ୧୯୯୭ ମସିହାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ପାଇଁ ଧାର୍ଯ୍ୟ ହୋଇଥିବା ବେଞ୍ଚମାର୍କ ମୂଲ୍ୟ ଅନୁସାରେ ହୋଲଡିଂ ଟିକସ ଆଦାୟ କରୁଥିଲା। ୨୦୧୯ ଅକ୍ଟୋବରରୁ ୨୦୧୯ ମସିହାର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା। କରୋନା ଯୋଗୁଁ ଗତ ଆର୍ଥିକ ବର୍ଷରେ ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ପାରିନଥିଲା। ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ଏହାକୁ କାର୍ଯ୍ୟକାରୀ କରିବାରୁ ଲୋକ ବିରୋଧ କରିଥିଲେ। ଏପରିକି ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର