ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ ଚାଲୁଥିବା ଏହି ଯୋଜନାରେ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ମେ’ ୧ରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ୬ ଟଙ୍କା ୭୮ ପଇସା ଓ ୧୦ ଟଙ୍କା ୧୭ ପଇସା ପ୍ରଦାନ କରାଯାଉଛି। ତେବେ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ୧ଟଙ୍କା ୪୫ ପଇସା ଓ ୧ଟଙ୍କା ୬୫ ପଇସା ପ୍ରଦାନ କରୁଛନ୍ତି। ତେଣୁ ପ୍ରତି ଛାତ୍ରଛାତ୍ରୀ ପିଛା ଦୈନିକ ମୋଟ୍‌ ସାମଗ୍ରୀ ଖର୍ଚ୍ଚ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ପାଇଁ ଯଥାକ୍ରମେ ୮ଟଙ୍କା ୨୩ ପଇସା ଓ ୧୧ଟଙ୍କା ୮୨ ପଇସା ଦିଆଯାଉଛି।

Advertisment

ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟ ସରକାର ସପ୍ତାହକୁ ୩ଟି ପୁଷ୍ଟିକର ଲଡୁ ଓ ଗୋଟିଏ ଅତିରିକ୍ତ ଅଣ୍ଡା ପ୍ରଦାନ କରୁଛନ୍ତି। ଅତିରିକ୍ତ ପୁଷ୍ଟିସାରଯୁକ୍ତ ସାମଗ୍ରୀ ପ୍ରଦାନକୁ ଦୃଷ୍ଟିରେ ରଖି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ରନ୍ଧନ ସାମଗ୍ରୀ ମୂଲ୍ୟ ୨ ଟଙ୍କା ୯୨ ପଇସା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୧୧ ଟଙ୍କା ୧୫ ପଇସା ଓ ୧୪ ଟଙ୍କା ୭୪ ପଇସା ରନ୍ଧନ ସାମଗ୍ରୀ ନିମନ୍ତେ ଖର୍ଚ୍ଚ କରାଯିବ। ଏହି ସଂଶୋଧିତ ଓ ବର୍ଦ୍ଧିତ ମୂଲ୍ୟ ପିଛିଲା ଭାବେ ମେ’ ୧ରୁ ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ କୁହାଯାଇଛି।