ଭୁବନେଶ୍ବର : ରାଜ୍ୟର ମେଡିକାଲ କଲେଜରେ ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ଡାକ୍ତରୀ ଅଧ୍ୟାପକଙ୍କ ଦରମା ବୃଦ୍ଧି ହୋଇଛି। ପ୍ରଫେସରମାନଙ୍କ ପୂର୍ବ ଦରମା ୧.୨୫ଲକ୍ଷ ଟଙ୍କା ଥିବା ବେଳେ ଏବେ ତାହା ୨.୩ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ଆସୋସିଏଟ୍ ପ୍ରଫେସର ୧ଲକ୍ଷରୁ ୨ଲକ୍ଷ ଓ ସହକାରୀ ପ୍ରଫେସରଙ୍କ ଦରମା ୭୫ହଜାରରୁ ୧.୨ଲକ୍ଷକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରତିବର୍ଷ ୩ ପ୍ରତିଶତ ହାରରେ ଦରମା ବୃଦ୍ଧି ହେଉଥିବା ବେଳେ ଏବେ ପ୍ରତିବର୍ଷ ୫ ପ୍ରତିଶତ ହାରରେ ଦରମା ବୃଦ୍ଧି ପାଇବ। ଏ ନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏପ୍ରିଲ ୨୫ତାରିଖ ନିର୍ଦେଶନାମା ଅନୁସାରେ ମେଡିକାଲ କଲେଜରେ ଚୁକ୍ତିଭିତ୍ତିକ ଡାକ୍ତରୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି।
ଅପରପକ୍ଷରେ ରାଜ୍ୟ ସରକାର ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଓ ଆସନ୍ତା ୩ବର୍ଷରେ କାର୍ଯ୍ୟକ୍ଷମ ହେବାକୁ ଥିବା ମେଡିକାଲ କଲେଜକୁ ୩ଟି ଜୋନ୍ରେ ବିଭକ୍ତ କରିଛନ୍ତି। ଏସବୁ ଜୋନ୍ରେ ନିଯୁକ୍ତ ହୋଇଥିବା ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କ ଆର୍ଥିକ ପ୍ରୋତ୍ସାହନ ରାଶିରେ ସଂଶୋଧନ କରିଛନ୍ତି। ଜୋନ୍-ଏରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଆସୁଥିବା ବେଳେ ଏସବୁ ଜିଲ୍ଲାରେ ପ୍ରଫେସର ୧.୫ଲକ୍ଷ, ଆସୋସିଏଟ୍ ପ୍ରଫେସର ୧.୨୫ଲକ୍ଷ ଓ ସହକାରୀ ପ୍ରଫେସରଙ୍କୁ ୭୫ହଜାର ମିଳିବ। ଜୋନ୍-ବି ଅଧୀନରେ କେନ୍ଦୁଝର, ବୌଦ୍ଧ, ବାଲେଶ୍ବର, ଗଜପତି, ସୋନପୁର, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରଫେସର ୭୦ହଜାର, ଆସୋସିଏଟ୍ ପ୍ରଫେସର ୫୦ହଜାର ଓ ସହକାରୀ ପ୍ରଫେସର ୩୦ହଜାର ଟଙ୍କା ପାଇବେ। ଜୋନ୍- ସି ରେ ଢେଙ୍କାନାଳ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ପାଇଁ ପ୍ରଫେସର ୫୦ହଜାର, ଆସୋସିଏଟ୍ ପ୍ରଫେସର ୩୫ହଜାର ଓ ସହକାରୀ ପ୍ରଫେସରଙ୍କୁ ୨୦ ହଜାର ଟଙ୍କା ମିଳିବ। ମାସିକ ଦରମା କିମ୍ବା ଚୁକ୍ତିଭିତ୍ତିକ ଦରମା ବାଦ୍ ଏହି ଆର୍ଥିକ ପ୍ରୋତ୍ସାହନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ।
ନୂଆ ମେଡିକାଲ କଲେଜଗୁଡ଼ିକର ଡିନ୍ ତଥା ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରଫେସରଙ୍କୁ ମିଳିବାକୁ ଥିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ତେବେ ନୂଆ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ସମୟରେ ହିଁ ଏହି ପ୍ରୋତ୍ସାହନ ରାଶି ମିଳିବ। ଧାର୍ଯ୍ୟ ଛୁଟିଠାରୁ ଅଧିକ ଛୁଟି କିମ୍ବା ଦୀର୍ଘଦିନ ଧରି ଅନୁପସ୍ଥିତ ରଖିବା କିମ୍ବା ବିନା ସ୍ବୀକୃତିପ୍ରାପ୍ତ ଅନୁପସ୍ଥିତି ଓ ଟ୍ରାନଜିଟ୍ ସମୟରେ ଏହି ପ୍ରୋତ୍ସାହନ ରାଶି ମିଳିବ ନାହିଁ। ଡ୍ୟୁଟି ଦିନକୁ ବିଚାରକୁ ନେଇ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଉପସ୍ଥାନ ପାଇଁ ମେଡିକାଲ କଲେଜରେ ବାଇଓମେଟ୍ରିକ୍ସ, ସିସିଟିଭି ଓ ଅନ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଜିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।