ଭୁବନେଶ୍ବର : ଗତ ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ଜିଲ୍ଲାରେ ଭୋଟ୍ ବାକ୍ସ ଲୁଟ୍, ରକ୍ତାକ୍ତ ସଂଘର୍ଷ, ବୋମାମାଡ଼ ଘଟଣା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ରାଜନୈତିକ ମହଲ କମିସନ ଓ ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି। ସେପଟେ ହିଂସାର ସ୍ବରୂପ ଦେଖି ରାଜ୍ୟ ନିର୍ବାଚନ କମିସନର ମଧ୍ୟ କ୍ଷୁବ୍ଧ। ଗୁରୁବାର ସନ୍ଧ୍ୟାରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଜରୁରୀ ବୈଠକ ଡାକି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ପରିସ୍ଥିତିରେ ନିର୍ବାଚନରେ ହିଂସା ହେବା ଉଚିତ୍ ନୁହେଁ ଓ ଏହାକୁ ଏଡ଼ାଇବା ଲାଗି ବୈଠକରେ ଉପସ୍ଥିତ ପୁଲିସ ଡିଜିଙ୍କୁ ତାଗିଦ କରିଛନ୍ତି।। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଯେଭଳି ପ୍ରଥମ ପର୍ଯ୍ୟାୟ ଭଳି କୌଣସି ଅଘଟଣ ଘଟିବନାହିଁ, ତାହା ନିଶ୍ଚିତ କରିବାକୁ କଡ଼ା ଭାଷାରେ କୁହାଯାଇଛି। ଏହି ବୈଠକରେ ମୁଖ୍ୟସଚିବ, ଗୃହ ସଚିବ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳା କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆଜି ରାଜ୍ୟରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଆଜି ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍, ୧୫୧୪ଟି ଗ୍ରାମପଞ୍ଚାୟତରେ ୨୦,୪୩୬ଟି ବୁଥ୍ରେ ନିର୍ବାଚନ ହେବ। ୬୨ଲକ୍ଷ ୧୦ହଜାର ୯୩୮ଜଣ ମତଦାତା ଭୋଟ୍ ଦେବେ। ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୭୪୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ସଦସ୍ୟଙ୍କୁ ମିଶାଇ ପ୍ରାୟ ୩୦ ହଜାରରୁ ଅଧିକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ବି କଡ଼ା ମୁକାବିଲା ହେବା ସମ୍ଭାବନା ଅଛି।
ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଏବଂ ନିର୍ବାଚନ କମିସନର ପୁଲିସ ଡିଜିଙ୍କୁ ତାଗିଦ୍ କରିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶୃଙ୍ଖଳିତ ନିର୍ବାଚନ ପାଇଁ ୨୪୦ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯିବା ସହ ଜିଲ୍ଲାସ୍ତରରେ ପୁଲିସ ଅଧିକାରୀ ଓ ସ୍ଥାନୀୟ ପୁଲିସ ପ୍ରଶାସନକୁ ନିୟୋଜିତ କରାଯାଇଛି। ସମସ୍ତ ବୁଥ୍ରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତେଜନା ପ୍ରବଣ ବୁଥ୍ରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ବାଚନ ନିୟମାବଳୀକୁ ପାଳନ କରାଯିବା ସହ ନିର୍ବାଚନ ପରିଚାଳନାରେ କୋଭିଡ ନିୟମ ପାଳନ କରାଯିବାକୁ ଗୁରୁତ୍ବ ପ୍ରଦାନ କରାଯାଇଛି।
ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବୁଥ୍ ଭିତରେ ପଶି ଗଣ୍ଡଗୋଳ କରିବା, ଭୋଟ୍ ବାକ୍ସ ଲୁଟି ନେବା, ପୁଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା, ବୋମା ମାଡ଼ କରିବା ଭଳି ଘଟଣାରେ ପୁଲିସ ୩୬ଜଣଙ୍କୁ ଗିରଫ କରିଛି। ଏଥିରେ ପୁରୀ ଜିଲ୍ଲାରୁ ୧୬, ଯାଜପୁର ଜିଲ୍ଲାରୁ ୧୪ ଏବଂ ଢେଙ୍କାନାଳରୁ ୬ଜଣ ଅଛନ୍ତି। ସେହିପରି ୩୮୭୧୭୭ ଲିଟର ମଦ, ୩୮ଟି ବେଆଇନ ମାରଣାସ୍ତ୍ର, ୨୨୧୬.୫୬ଗ୍ରାମ୍ ନିଶାଦ୍ରବ୍ୟ ଜବତ କରାଯାଇଛି। ବିଭିନ୍ନ ଥାନାରେ ୪୯୬୬ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୧୯୦୩ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି।