ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଇ-ଯାନର ଚାହିଦା ନବଢ଼ିବାରୁ ରାଜ୍ୟ ସରକାର ଇ-ଯାନ ଉପରେ ସବ୍‌ସିଡି ବଢ଼ାଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍ ଇ-ଯାନ ସବ୍‌ସିଡି ବଢ଼ାଇବା ନିଷ୍ପତ୍ତି ଉପରେ ମୋହର ମାରିବା ପରେ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ସବ୍‌ସିଡି ବୃଦ୍ଧି କରାଯାଇଛି।

Advertisment

ପୂର୍ବରୁ ଦୁଇ ଚକିଆ ଇ-ଯାନ ଉପରେ ରାଜ୍ୟ ସରକାର ମାତ୍ର ୫ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏବେ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦେବାକୁ ଘୋଷଣା କରିଛନ୍ତି। ଗାଡ଼ିରେ ଲାଗିଥିବା ପ୍ରତି କିଲୋୱାଟ୍ ବ୍ୟାଟେରି ପିଛା ୫ହଜାର ଟଙ୍କା ହିସାବରେ ଏହି ସବ୍‌ସିଡି ମିଳିବ। ସେହିପରି ପୂର୍ବରୁ ତିନି ଚକିଆ ଇ-ଯାନ ଉପରେ ରାଜ୍ୟ ସରକାର ସର୍ବାଧିକ ୧୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏଣିକି ଏହାକୁ ୩୦ହଜାର ଟଙ୍କାକୁ ବଢ଼ାଇଛନ୍ତି। ଏହା ସବୁ ତିନି ଚକିଆ ଗାଡ଼ି ଉପରେ ଲାଗୁ ହେବ।

ଏହାସହ ଚାରି ଚକିଆ ଇ-ଯାନ ଉପରେ ପୂର୍ବରୁ ବିଭିନ୍ନ ସର୍ତ୍ତରେ ସର୍ବାଧିକ ୫୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏବେ ଏହାକୁ ସର୍ବାଧିକ ଦେଢ଼ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରତି କିଲୋୱାଟ୍ ବ୍ୟାଟେରି ପିଛା ୧୦ହଜାର ଟଙ୍କା ସବ୍‌ସିଡି ରହିଛି। ଗାଡ଼ିରେ ଯେତେ କିଲୋୱାଟ୍ ବ୍ୟାଟେରି ଲାଗିଥିବ ସେ‌େତ ୧୦ହଜାର ଟଙ୍କା ସବ୍‌ସିଡି ମିଳିବ। ହେଲେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ମିଳିବ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଇ-ଯାନକୁ ସବ୍‌ସିଡି ଦେବା ନେଇ ୨୦୨୧ ମସିହାରୁ ନିୟମ ପ୍ରଣୟନ କରିଥିଲେ ବି ଏଥିରେ ଆଶାନୁରୂପ ଉନ୍ନତି ଦେଖାଯାଇନଥିଲା। ଏବେ ମାତ୍ର ୪.୪୮% ଇ-ଯାନ ପଞ୍ଜୀକୃତ ହୋଇଛି। ତେଣୁ ୨୦୨୫ ସୁଦ୍ଧା ଇ-ଯାନ ପଞ୍ଜୀକରଣ ୨୦%କୁ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ସବ୍‌ସିଡି ବଢ଼ାଇଛନ୍ତି।