ଭୁବନେଶ୍ୱର : ଏଣିକି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଛେଳି ବା ମେଣ୍ଢାଙ୍କ ମୃତ୍ୟୁ ହେଲେ ଦୁଇ ହଜାର ଟଙ୍କାର ସହାୟତା ମିଳିବ। ଯଦି ଶାବକଙ୍କର ମୃତ୍ୟୁ ହୁଏ ତେବେ ୭୫୦ ଟଙ୍କାର ସହାୟତା ରାଶି ଦିଆଯିବ। ବନ୍ୟଜନ୍ତୁଙ୍କ ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ମୃୃତ୍ୟୁ ହେଲେ ପୂର୍ବରୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଥିବା ବେଳେ ଏଣିକି ୪ ଲକ୍ଷ ଟଙ୍କା ଦିଆଯିବ ବୋଲି ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଲେ ଯେ ୨୦୧୧-୧୨ ତୁଳନାରେ ୨୦୧୬-୧୭ରେ ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀର, ବାଘ, ହାତୀ, ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି। ୨୦୧୧-୧୨ରେ ଓଡ଼ିଶା ଉପକୂଳକୁ ୭.୨୪ ଲକ୍ଷ ଅଲିଭ ରିଡ୍ଲେ କଇଁଛ ଆସୁଥିବା ବେଳେ ୨୦୧୬-୧୭ରେ ତାହା ୯.୭୫ ଲକ୍ଷକୁ ବୃଦ୍ଧି ପାଇଛି। ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ୨୦୧୦-୧୧ରେ ୮.୫୮ ଲକ୍ଷ ଥିବା ବେଳେ ତାହା ଏବେ ୧୦.୭୯ ଲକ୍ଷ ଛୁଇଁଛି। ୨୦୧୧-୧୨ରେ ବାଘଙ୍କ ସଂଖ୍ୟା ୩୨ରୁ ବୃଦ୍ଧି ପାଇ ଏବେ ୪୦ରେ ପହଞ୍ଚିଛି। ଜଙ୍ଗଲ ଭିତରେ ରହୁଥିବା ପରିବାରଙ୍କୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ସ୍ଥାନାନ୍ତର ହେଉଥିବା ପରିବାର ପିଛା ୧୦ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ସେ କହିଥିଲେ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ, ଏବେ ରାଜ୍ୟରେ ୫୮,୧୩୭ ବର୍ଗ କି.ମି ଜଙ୍ଗଲ ଏବଂ ୧୯ଟି ଅଭୟାରଣ୍ୟ ରହିଛି। ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଜଙ୍ଗଲ ଭିତରେ ଥିବା ଗ୍ର୍ରାମଗୁଡ଼ିକୁ ସଂରକ୍ଷିତ ଜଙ୍ଗଲ ବାହାରକୁ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ବସବାସ କରୁଥିବା ୪୩୦ଟି ପରିବାର ଏବଂ ଦେବ୍ରିଗଡ଼ ଅଭୟାରଣ୍ୟରୁ ୧୦ଟି ପରିବାରକୁ ସ୍ଥାନାନ୍ତର କରାଯାଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି। ସାତକୋଶିଆ, ବାଲେଶ୍ୱର, ହୀରାକୁଦ, ଚନ୍ଦକା, ପୁରୀ, ଚିଲିକା, ବାମରା ବାଲୁଖଣ୍ଡରେ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ କରାଯାଇଛି। ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବାଘ ସୁରକ୍ଷା ଦଳ ଗଠିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।
ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥିଭାବେ ଯୋଗଦେଇ କହିଲେ, ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଫରେଷ୍ଟ ଗାର୍ଡ ନିୟୋଜିତ ହୋଇଛନ୍ତି। ସ୍ୱତନ୍ତ୍ର ଭାବେ ୫ରୁ ୬ ହଜାର ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ଶିମିଳିପାଳରେ ଜଙ୍ଗଲ ନଷ୍ଟ ଏବଂ ଗଛ କଟାକୁ ବହୁ ପରିମାଣରେ ରୋକା ଯାଇପାରିଛି। ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ। ପିସିସିଏଫ୍ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରୀପାଠୀ ସ୍ୱାଗତ ଭାଷଣ ଦେଇଥିଲେ।
୨୦୧୬-୧୭ ବର୍ଷ ପାଇଁ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ମୟୂରଭଞ୍ଜର ଚକ୍ରଧର ହେମ୍ବ୍ରମ୍ଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ବିଦ୍ୟାଳୟସ୍ତରରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଆୟୋଜିତ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/wild.jpg)
