ଭୁବନେଶ୍ୱର: ଓଡ଼ିଶାରେ ଏବେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାଙ୍କ ଉପରେ ଗଣଦୁଷ୍କର୍ମ ଓ ଅତ୍ୟାଚାର ବଢ଼ୁଥିବା ଅଭିଯୋଗ କରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ ସହ କ୍ୟାମ୍ପସ୍‌ରେ ପିକେଟିଂ କରିଥିଲେ। ଆନ୍ଦୋଳନକାରୀ କଳାବ୍ୟାଜ୍‌ ପିନ୍ଧିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର ପରି ସହରରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି କରିଥିଲେ।

Advertisment

ଭୁବନେଶ୍ବରରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ସମେତ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ବାଲେଶ୍ବରର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଭିନବ ଢଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ସେମାନେ କହିଥିଲେ ଯେ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା ପାଇଁ ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାର ଆସିବ ଦିନଠାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। 

ରାଜ୍ୟ ଯୁବ ବିଜୁ ଜନତା ଦଳ ପୂର୍ବତନ ସଭାପତି ତଥା ବିଧା‌ୟକ ବ୍ୟୋମକେଶ ରାୟ ଓ ଛାତ୍ର ବିଜୁ ଜନତା ଦଳ ପୂର୍ବତନ ସଭାପତି  ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଆଜି ଜଣେ ମହିଳା ଦିନ ଦ୍ୱିପ୍ରହରରେ ରାଜ୍ୟର କୌଣସି ସ୍ଥାନକୁ ନିର୍ଭୟରେ ଯିବାକୁ ଡରୁଛି। ଏ ସରକାର ଆସିବାର ଏକ ବର୍ଷ ମଧ୍ୟରେ ୩,୦୫୪ରୁ ଅଧିକ ନାରୀ ନିର୍ଯାତନା ମାମଲା ରୁଜୁ ହୋଇଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏହା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ସଫଳ ହୋଇଛି। ସମସ୍ତ କ୍ୟାମ୍ପସ୍‌ର ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକଙ୍କ ସମର୍ଥନ ମିଳିଛି। ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ଆନ୍ଦୋଳନ ସଫଳ ହୋଇଥିବା ସେମାନେ କହିଛନ୍ତି।