ଭୁବନେଶ୍ବର : ୨୦୨୨ ହେଉଛି ଦେଶର ୫ମ ଉଷ୍ମ ବର୍ଷ। ୨୦୨୨ରେ ବାର୍ଷିକ ବାୟୁମଣ୍ଡଳୀୟ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୦.୫୧ ଡିଗ୍ରି ଅଧିକ ରହିଥିଲା। ଗତ ୧୨୨ ବର୍ଷ ଭିତରେ ଦେଶର ଉଷ୍ମ ବର୍ଷଗୁଡ଼ିକ ମଧ୍ୟରେ ୨୦୨୨ ପଞ୍ଚମ ସ୍ଥାନରେ ରହିଛି।

Advertisment

ଭାରତୀୟ ପାଣିପାଗ ବିଭ‌ାଗ(ଆଇଏମ୍‌ଡି)ର ସୂଚନା ମୁତାବକ, ୨୦୧୬ର ବ‌ାର୍ଷିକ ବାୟୁମଣ୍ଡଳୀୟ ତାପମାତ୍ରା ଗତବର୍ଷଠାରୁ ଅଧିକ ରହିଥିଲା। ସେହିବର୍ଷ ସ୍ବାଭାବିକ ତାପମାତ୍ରାଠାରୁ ବାର୍ଷିକ ତାପମାତ୍ରା ପ୍ରାୟ ୦.୭୧ ଡିଗ୍ରି ଅଧିକ ରହିଥିବା ରେକର୍ଡ କହୁଛି। ବର୍ତ୍ତମାନ ସୁଦ୍ଧା ଦେଶର ସବୁଠୁ ଉତ୍ତପ୍ତ ବର୍ଷ ଭାବେ ନିଜ ରେକର୍ଡ କାଏମ ରଖିଛି। ପରେ ପରେ ୨୦୦୪ରେ ସ୍ବାଭାବିକ ତାପମାତ୍ରାଠାରୁ ୦.୫୫ ଡିଗ୍ରି, ୨୦୧୭ରେ ୦.୫୪୧ ଡିଗ୍ରି, ୨୦୧୦ରେ ୦.୫୩୯ ଡିଗ୍ରି ଲେଖାଏଁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା। ଏହିସବୁ ବର୍ଷ ଯଥାକ୍ରମେ ଦ୍ବିତୀୟର ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ରହିଛନ୍ତି। ପଞ୍ଚମ ଉଷ୍ମ ବର୍ଷ ଭାବେ ୨୦୨୨ରେ ୦.୫୧ ଡିଗ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରେକର୍ଡ ହୋଇଛି। ସେହିଭଳି ୨୦୨୧ର ବାର୍ଷିକ ତାପମାତ୍ରା ସ୍ବାଭାବିକଠାରୁ ମଧ୍ୟ ୦.୪୪ ଡିଗ୍ରି ଅଧିକ ରହିଥିଲା।

publive-image

୨୦୨୨ ଜାନୁଆରି ଓ ଫେବୃଆରି ଶୀତ ଋତୁରେ ଦେଶର ତାପମାତ୍ରା ସ୍ବାଭାବିକଠାରୁ -୦.୦୪ଡିଗ୍ରି ରହିଥିଲା। ଯାହାକି ସ୍ବାଭାବିକ ପରିସରଭୁକ୍ତ। କିନ୍ତୁ ଅବଶିଷ୍ଟ ଋତୁରେ ଦେଶର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା। ପ୍ରାକ୍‌ମୌସୁମୀ ଋତୁରେ (ମାର୍ଚ୍ଚରୁ ମେ’ ମାସ) ଦେଶର ତାପମାତ୍ରା ସ୍ବାଭାବିକଠାରୁ ୧.୦୬ ଡିଗ୍ରି ରହିଥିଲା। ମୌସୁମୀ ଋତୁରେ (ଜୁନ୍‌ରୁ ସେପ୍ଟେମ୍ବର‌)ର ତାପମାତ୍ରା ସ୍ବାଭାବିକଠାରୁ ୦.୩୬ ଡିଗ୍ରି ଓ ମୌସୁମୀ ପରବର୍ତୀ ସମୟ(ଅକ୍ଟୋବରରୁ ଡିସେମ୍ବର)ର ତାପମାତ୍ରା ସ୍ବାଭାବିକଠାରୁ ୦.୫୨ ଡିଗ୍ରି ଅଧିକ ରହିଥିଲା। ଫଳରେ ଦେଶର ବାର୍ଷିକ ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇଁ ୨୦୨୨ ଏକ ଉଷ୍ମ ବର୍ଷରେ ପରିଣତ ହୋଇଛି।

୨୦୨୨ରେ ବିଶ୍ବର ସ୍ବାଭାବିକ ତାପମାତ୍ରା ୧.୦୨ରୁ ୧.୧୫ ଡିଗ୍ରି ମଧ୍ୟରେ ରହିଛି। ଯାହାକି ପ୍ରାକ୍‌ ଶିଳ୍ପାୟନ ବର୍ଷ (୧୮୫୦-୧୯୦୦) ର ହାରାହାରି ତାପମାତ୍ରାଠାରୁ ଅଧିକ। ଏଥିସହ ଗତ ୮ ବର୍ଷ ‌ହେଲା (୨୦୧୫ରୁ ୨୦୨୨) ଲଗାତାର ବିଶ୍ବ ଉଷ୍ମତା ବଢ଼ିବାରେ ଲାଗିଛି ବୋଲି ରେକର୍ଡ କହୁଛି। ଅନ୍ୟପଟେ ଗତ ଦୁଇ ବର୍ଷ ହେଲା ଲା-ନିନା ସକ୍ରିୟ ଥିବାରୁ ଏହା ବିଶ୍ବ ତାପମାନ ହ୍ରାସ କରିବାରେ ସହାୟ ହେବା କଥା। କିନ୍ତୁ ଲା-ନିନା ସକ୍ରିୟ ଥିବା ସତ୍ତ୍ବେ ୨୦୨୨ ଦେଶର ଏକ ଉଷ୍ମ ବର୍ଷରେ ପରିଣତ ହୋଇଛି।

ଅନ୍ୟପଟେ ୨୦୨୨ରେ ଉତ୍ତର ଭାରତ ମହାସାଗରରେ ୧୫ଟି ସିଷ୍ଟମ ସୃଷ୍ଟି ହୋଇଥିବା ବେଳେ ସେଥିମଧ୍ୟରୁ ୩ଟି ବାତ୍ୟା ଓ ୧୨ଟି ଅବପାତ ରହିଥିଲା। ୧୯୬୫ରୁ ୨୦୨୧ ମସିହାର ତଥ୍ୟ ଅନୁସାରେ ଗୋଟିଏ ବର୍ଷ‌ରେ ସର୍ବାଧିକ ୧୧ରୁ ୧୨ଟି ସିଷ୍ଟମ ସୃଷ୍ଟି ହେବା କଥା। କିନ୍ତୁ ୨୦୨୨ରେ ସ୍ବାଭାବିକଠାରୁ ୩ରୁ ଅଧିକ ସିଷ୍ଟମ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ, ୨୦୨୨‌ରେ ଦେଶର ବିଭିନ୍ନ ଅଂଶରେ ମାତ୍ରାଧିକ ବର୍ଷା, ବନ୍ୟା, ଭୂସ୍ଖଳନ, ବଜ୍ରପାତ, ଝଡ଼ବର୍ଷା ଓ ମରୁଡ଼ି ଭଳି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।

publive-image The Hindu

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, କ୍ରମାଗତ ଭାବେ ଏବେ ଦେଶରେ ଏକ୍ଟ୍ରିମ୍‌ ୱେଦର ବା ଚରମ ପାଣିପାଗର ସ୍ଥିତି ଦେଖିବାକୁ ମିଳୁଛି। ଯାହାକି ନିହାତି ଭାବେ ଜଳବାୟୁ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ବାୟୁମଣ୍ଡଳକୁ ଅଧିକ ପରିମାଣରେ ସବୁଜ ଗ୍ୟାସ (ଅଙ୍ଗାରକାମ୍ଲ, ମିଥେନ୍‌, ଓଜନ୍‌, ନାଇଟ୍ରସ୍‌ ଅକ୍ସାଇଡ୍‌, ଜଳୀୟବାଷ୍ପ ଆଦି) ନିର୍ଗତ ହେବା କାରଣରୁ ତାପମାତ୍ରା ବଢ଼ିବାରେ ଲାଗିଛି। ସୂର୍ଯ୍ୟଠାରୁ ପୃଥିବୀକୁ କିରଣ ଆସୁଥିବା ବେଳେ ପୃଥିବୀ ମଧ୍ୟ କିଛି କିରଣ ବିକିରଣ କରିଥାଏ। ସୂର୍ଯ୍ୟଠାରୁ ଆସୁଥିବା କିରଣ କମ୍‌ ଅବଧି ବିଶିଷ୍ଟ ହୋଇଥିବା ବେଳେ ପୃଥିବୀ ବିକିରିତ କରୁଥିବା କିରଣ ହେଉଛି ଦୀର୍ଘ ଅବଧି ବିଶିଷ୍ଟ। ଏହି ପ୍ରକ୍ରିୟା ଭିତରେ ସବୁଜ ଗ୍ୟାସ୍‌ଗୁଡ଼ିକର ଧର୍ମ ହେଉଛି ଦୀର୍ଘ ଅବଧି ବିଶିଷ୍ଟ କିରଣକୁ ଧରି ରଖିବା। ସବୁଜ ଗ୍ୟାସ୍‌ ପୃଥିବୀ ବିକିରିତ କରୁଥିବା କିରଣକୁ ଧରି ରଖନ୍ତି ଓ ପୁନଶ୍ଚ ପୃଥିବୀକୁ ହିଁ ଛାଡ଼ି ଦିଅନ୍ତି। ଫଳରେ ପୃଥିବୀର ତାପମାତ୍ରା ବଢ଼ିଚାଲେ। ଅଧିକ ପରିମାଣରେ କାରଖାନା, ଆମ ଆଡ଼ମ୍ବରପୂର୍ଣ୍ଣ ଜୀବନଚର୍ଯ୍ୟା, ଜଙ୍ଗଲ ନିଆଁ, ଜଙ୍ଗଲ ନଷ୍ଟ ଆଦି ଯୋଗୁଁ ଅଧିକ ପରିମାଣରେ ସବୁଜ ଗ୍ୟାସ ନିର୍ଗତ ହୋଇଥାଏ। ଏଣୁ ସମୟ ଆସିଛି ଆମ ଅଭ୍ୟାସରେ ପରିବର୍ତ୍ତନର। ନଚେତ ଆମେ ଗରମ ଓ ପ୍ରବଳ ବର୍ଷା ଛଡ଼ା ଆଉ କିଛି ଅନୁଭୂତ କରିପାରିବା ନାହିଁ ବୋଲି ଶରତ ସାହୁ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ପାଣିପାଗରେ ଏଭଳି ପରିବର୍ତ୍ତନ ହେଲାଣି ଯେ ଗତ ୧୫ ବର୍ଷ ମଧ୍ୟରୁ ୧୧ଟି ବର୍ଷକୁ ଉଷ୍ମ ବର୍ଷ ବୋଲି କୁହାଯାଇପାରିବ। ଏପରିକି ଗତ ଦୁଇ ବର୍ଷ ଧରି ଲା-ନିନା ସକ୍ରିୟ ସତ୍ତ୍ବେ ଦେଶର ତାପମାତ୍ରା କମିବା ପରିବର୍ତ୍ତେ ବଢ଼ିବା ଘଟଣାକୁ ପାଣିପାଗ ବିଜ୍ଞାନୀମାନେ ସହଜେ ଗ୍ରହଣ କରୁନାହାନ୍ତି। ଦ୍ରୁତ ଶିଳ୍ପାୟନ, କଳ କାରଖାନାରୁ ନିର୍ଗତ ଗ୍ୟାସ, ଜଙ୍ଗଲ ନଷ୍ଟ ଓ ଅଧିକ ମାତ୍ରାରେ ଯାନବାହନର ବ୍ୟବହାର ବିଶ୍ବ ତାପମାନ ବୃଦ୍ଧିର କାରଣ ହୋଇଛି। ବିଶ୍ବ ତାପମାନ ବୃଦ୍ଧି ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି ଓ ଏଥିଯୋଗୁଁ ଲଗାତାର କିଛି ବର୍ଷ ହେଲା ଦେଶରେ ଉଷ୍ମତା ବଢ଼ିବାରେ ଲାଗିଛି।