ସ୍କୁଲ ପିଲାଙ୍କ ମୁଣ୍ଡ ପିଛା ଖର୍ଚ୍ଚ ୯ ବର୍ଷରେ ୧୭୨% ବୃଦ୍ଧି
ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ବୃଦ୍ଧି ପାଇଛି। ୯ ବର୍ଷରେ ପାଖାପାଖି ୧୭୨ ପ୍ରତିଶତ ବଢ଼ିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ପିଲାଙ୍କ ପିଛା ୯୧୮୪ ଟଙ୍କା ଖର୍ଚ୍ଚ ହେଉଥିଲା। ଏହା ଧୀରେ ଧୀରେ ବୃଦ୍ଧି ଘଟି ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ ହଜାର ୪୧ ଟଙ୍କାରେ ପହଞ୍ଚିଛି। ଯଦି ଦେଖାଯାଏ ୨୦୧୫-୧୬ରେ ପିଲାଙ୍କ ପିଛା ୧୦ ହଜାର ୯୩୯, ୨୦୧୬-୧୭ରେ ୧୨ ହଜାର ୬୦୨, ୨୦୧୭-୧୮ରେ ୧୪ ହଜାର ୩୧୫, ୨୦୧୮-୧୯ରେ ୧୭ ହଜାର ୩୭୦, ୨୦୧୯-୨୦ରେ ୨୧ ହଜାର ୨୪୭ ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇଛି। ମାତ୍ର ୨୦୨୦-୨୧ ଆର୍ଥିକ ବର୍ଷରେ ପିଲାଙ୍କ ପିଛା ସର୍ବାଧିକ ୨୫ ହଜାର ୫୬ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ପରବର୍ଷ ଅର୍ଥାତ୍ ୨୦୨୧-୨୨ରେ ତାହା ୧୫ ଟଙ୍କା ହ୍ରାସ ପାଇଛି। ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ସମଗ୍ର ଶିକ୍ଷା ଅଧୀନରେ ୬ରୁ ୧୪ ବର୍ଷ ବୟସର ୫୯୮୨ଜଣ ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିୟମ ଅନୁଯାୟୀ ପ୍ରତି ପିଲା ପିଛା ୩ ହଜାର ଟଙ୍କା ଲେଖାଏ ଅନୁମୋଦନ ହୋଇଛି। ଗତ ମାର୍ଚ୍ଚ ସୁଦ୍ଧା ମୋଟ ୯୦ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ଉତ୍ତର ରଖିଛନ୍ତି।
୧୬୭୨ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରାଜ୍ୟରେ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ, ୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୬୦୧ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୧୦ ହଜାର ୧୭ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧୀନ ୧୬୭୨ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୭୧ଟି ସ୍କୁଲରେ, ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ୪୩୫ ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାଟ୍ରିକ୍ରେ ୪୪,୨୪୫ ପିଲା ଅନୁପସ୍ଥିତ
୨୦୨୨ ମାଟ୍ରିକ୍ ପରୀକ୍ଷାରେ ୪୪ ହଜାର ୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୪୬୨, ଗଞ୍ଜାମରେ ୩୨୭୩, ବଲାଙ୍ଗୀରରେ ୩୧୪୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସି ନ ଥିଲେ। ଦେବଗଡ଼ରେ ସର୍ବନିମ୍ନ ୨୭୨ ଜଣ ପିଲା ପରୀକ୍ଷା ଦେବାକୁ ଆସି ନ ଥିଲେ। ଏ ବିଷୟରେ ତଦନ୍ତ ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲିଖିତ ଉତ୍ତର ଦେଇଛନ୍ତି।
ପ୍ରାଥମିକ ସ୍କୁଲରେ ୨୪ ପିଲାଙ୍କୁ ଜଣେ ଶିକ୍ଷକ
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତର ପାଇଁ ୧ ଲକ୍ଷ ୭୩ ହଜାର ୯୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ। ମାତ୍ର ଏବେ ୧ ଲକ୍ଷ ୮୨ ହଜାର ୯୯୨ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। ନିୟମ ଅନୁଯାୟୀ ପ୍ରାଥମିକସ୍ତରରେ ୩୦ ଜଣ ଛାତ୍ରଛାତ୍ରୀ ଏବଂ ଉଚ୍ଚ ପ୍ରାଥମିକସ୍ତରରେ ୩୫ ଜଣ ପିଲାଙ୍କ ଲାଗି ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ମାତ୍ର ଏବେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତ ୨୪ ଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତ ୨୦ ରହିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚ ବିଦ୍ୟାଳୟରେ ୧୧ହଜାର ୪୦୩ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ପଦବି ଖାଲି ରହିଛି।