ବଢ଼ୁଛି ଶୀତ ପ୍ରକୋପ, ଆହୁରି ୨ ଡିଗ୍ରି ଖସିବ ପାରଦ

ଭୁବନେଶ୍ବର: ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସିସାରିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ୨ ଡିଗ୍ରି ଖସିବ ଓ ରାଜ୍ୟରେ ଶୀତ ପ୍ରକୋପ ଆରମ୍ଭ ହୋଇଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିଛି। ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାଠାରେ ୫.୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିବା ବେଳେ ଫୁଲବାଣୀଠାରେ ୫ ଡିଗ୍ରି, ବାରିପଦାଠାରେ ୪.୭ ଡିଗ୍ରି, ଅନୁଗୁଳ ଓ ଟିଟିଲାଗଡ଼ରେ ୪ ଡିଗ୍ରି ଲେଖାଏଁ ଖସିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭ‌ାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ଫଳରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ସର୍ବନିମ୍ନ ରାତି ତାପମାତ୍ରା ଝାରସୁଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ରାତ୍ରି ତାପମାତ୍ରା ୮.୨ ଡିଗ୍ରି ରହିଥିଲା। ଏଥିସହ ଫୁଲବାଣୀରେ ୯.୫ ଡିଗ୍ରି, ଅନୁଗୁଳରେ ୧୦ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଓ ବାରିପଦାରେ ୧୦.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଜି ସକାଳେ ବୌଦ୍ଧ ଓ ଅନୁଗୁଳଠାରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିଲା। ବୌଦ୍ଧଠାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସେଠାରେ ଦୃଶ୍ୟମାନ ଦୂରତା ୨୦ ମିଟର ରହିଥିଲା। ସେହିଭଳି ଅନୁଗୁଳରେ ଦୃଶ୍ୟମାନ ଦୂରତା ପାଖାପାଖି ୨୦୦ ମିଟର ରହିଥିଲା।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ପରିବର୍ତନ‌ର କୌଣସି ସମ୍ଭାବନା ନାହିଁ। ଅନ୍ୟପଟେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହୁଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ଏହିଭଳି ରହିଛି ଓ ଏଥିରେ ପରିବର୍ତ୍ତନ ହେବନାହିଁ। ଫଳରେ ରାଜ୍ୟର ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ଶୀତର ପ୍ର କୋପ ବଢ଼ିବ। ଆଜି ସକାଳେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ରହିଥିବା ବେଳେ କଟକରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର