ଭୁବନେଶ୍ୱର: ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ରୁସା କାର୍ଯ୍ୟକ୍ରମ ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସେଣ୍ଟର୍ ଫର୍ ଇନୋଭେସନ୍ ଆଣ୍ଡ୍ ଇନକ୍ୟୁବେସନ୍ ସ୍ଥାପନା କରାଯାଇଛି। ରବିବାର ସେପ୍ଟେମ୍ବର ୫ ତାରିଖ ଦିନ ଏହାର ଅନୁଷ୍ଠାନିକ ଉଦଘାଟନ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ସବିତା ଆଚାର୍ଯ୍ୟଙ୍କର କରକମଳରେ ଅନୁଷ୍ଠିତ ହୋଇଯାଇଛି ।

Advertisment

ପ୍ରଫେସର ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଏହି କେନ୍ଦ୍ରର ସ୍ଥାପନା ବିଶ୍ୱବିଦ୍ୟାଳୟରେ,ଭୁବନେଶ୍ୱର ନଗରୀରେ ଏବଂ ଆଖପାଖ ଅଞ୍ଚଳରେ ବିଜ୍ଞାନ ଏବଂ ଇଣ୍ଡଷ୍ଟ୍ରିଆଲ୍  ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଗଠନରେ ଏକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ । ଏହି କେନ୍ଦ୍ର ଷ୍ଟାର୍ଟଅପମାନଙ୍କୁ ସେମାନଙ୍କର ପ୍ରଗତିର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କରିବ।

ଭିତ୍ତିଭୂମି ସୁବିଧା, ପ୍ରାରମ୍ଭିକ ପୁଞ୍ଜି, ମାର୍ଗଦର୍ଶନ, ଆଇପିଆର୍ ପଞ୍ଜିକରଣ, ବଜାର ଯୋଗସୂତ୍ର ଆଦି ବିଭିନ୍ନ ଯୋଜନା ମାଧ୍ୟମରେ ଷ୍ଟାର୍ଟଅପମାନଙ୍କୁ ସକ୍ଷମ କରାଯିବ। ସମସ୍ତ ବଜାର ଉପଯୋଗୀ ଉଦ୍ୟୋଗୀୟମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବ, ତଥାପି କୃଷି ଉଦ୍ୟୋଗ କି, ଖାଦ୍ୟ ପ୍ରକ୍ରିୟାକରଣ, ଵାୟୋଟେକ୍ନୋଲୋଜି, ଗ୍ରାମୀଣ ବିକାଶ, ସବୁଜ ଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯିବ।

ଉଲ୍ଲେଖନୀୟ ଯେ ନିକଟରେ ଏହି କେନ୍ଦ୍ର “ଉପକ୍ରମ” ନାମକ ଏକ ‘IDEATHON Mind 2 Market’ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଉତ୍ସୁକ ଷ୍ଟାର୍ଟଅପମାନଙ୍କୁ ଏକ ଲଞ୍ଚପ୍ୟାଡ୍ ପ୍ରଦାନ କରାଯିବ।

ଶିକ୍ଷକ ଦିବସର ଶୁଭ ଅବସରରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ବିଶ୍ୱ ବିଦ୍ୟାଳୟର କୁଳସଚିବ ଅଭୟ ନାୟକ, ପ୍ରଭାରୀ ପ୍ରଫେସର ବିଧୁଭୂଷଣ ମିଶ୍ର, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ପ୍ରଫେସର ପ୍ରବୋଧ ହୋତା, ରୁସା ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ଆଗକୁ ଯାଇ କେବଳ ଓଡ଼ିଶା ନୁହଁ, ପରନ୍ତୁ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ଏକ ଉତ୍କୃଷ୍ଟ କେନ୍ଦ୍ର ଭାବେ ପରିଗଣିତ ହେବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବା ପାଇଁ କର୍ତ୍ତୃପକ୍ଷ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ସେଣ୍ଟର୍ ଫର୍ ଏଗ୍ରି-ମ୍ୟାନେଜମେଣ୍ଟ୍ ସେଣ୍ଟର୍ ମୁଖ୍ୟ ଦୀପକ ରାମ ଉପସ୍ଥିତ ଥିଲେ ଏବଂ ଇନକ୍ୟୁବେସନ୍ ସେଣ୍ଟରର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ କହିଥିଲେ। ସମ୍ପ୍ରତି ସିଆଇଆଇ (ସିଆଇଆଇ) ଏହାକୁ ସୁରୁଖୁରୁରେ ଚଳାଇବା ପାଇଁ ଡକ୍ଟର ମନୀଶା ଆଚାର୍ଯ୍ୟଙ୍କୁ ସିଇଓ ଏବଂ ଅନ୍ୟ ତିନି ଜଣ ଅନୁଭବୀଙ୍କୁ ପୂର୍ଣ୍ଣକାଳୀନ ଭାବରେ ନିଯୁକ୍ତ କରାଯାଇଛି।