ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ଅଶାଳୀନ ପୋଷାକ ପରିଧାନ କଟକଣାକୁ ନେଇ କେଁ ଉଠିଲାଣି। ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ। ଏଭଳିସ୍ଥଳେ ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚ ନେଇ ଆପତ୍ତି ଉଠିଛି। ଆସନ୍ତା ୧୬ରେ ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଶାଳୀନ ପୋଷାକ ପରିଧାନ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଆପତ୍ତିଜନକ ପୋଷାକ ପିନ୍ଧିଲେ, ଶ୍ରୀମନ୍ଦିର ଭିତରକୁ ନ ଛାଡ଼ିବା ଲାଗି କିଭଳି ପଦକ୍ଷେପ ନେବେ, ସେ ନେଇ ଜେଟିପି, ଚର୍ଚ୍ଚା, ପ୍ରତିହାରୀମାନଙ୍କୁ ଅବଗତ କରାଯାଇଛି। ଛତିଶାନିଯୋଗ ଓ ହୋଟେଲ ସଂଘକୁ ବି ଚିଠି କରି ସହଯୋଗ ମାଗିଛି ପ୍ରଶାସନ। ହେଲେ ମହିଳା ଭକ୍ତମାନଙ୍କୁ ଜେଟିପି ଅବା ପ୍ରତିହାରୀମାନେ କିଭଳି ପୋଷାକ ପରିଧାନ ଉପରେ ମତମନ୍ତବ୍ୟ ଦେବେ, ତାକୁ ନେଇ କିଛି ପରିଚାଳନା କମିଟି ସଦସ୍ୟ ଓ ଭକ୍ତ ପ୍ରଶ୍ନ ଉଠାଇଛନ୍ତି। ଯଦି ମହିଳା ପୁଲିସ ଅବା ଯାଞ୍ଚ ପାଇଁ କୌଣସି ମହିଳାଙ୍କୁ ନିୟୋଜିତ ନ କରାଯାଏ, ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ଏମାନେ ମତ ଦେଇଛନ୍ତି। ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ଉପସ୍ଥିତ ନ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ଜଣେ ସଦସ୍ୟ କହିଛନ୍ତି, ଓଡ଼ିଶାରେ ଆଜି ପର୍ଯ୍ୟନ୍ତ କୌଣସି ମନ୍ଦିରରେ ପୋଷାକ ପରିଧାନ ଉପରେ କଟକଣା ଲାଗିନି। ପ୍ରଥମ ଥର ଶ୍ରୀମନ୍ଦିରରେ ଏପରି ହେବାକୁ ଯାଉଛି। ରାଜ୍ୟ ବାହାରେ ଯେଉଁ ମନ୍ଦିରରେ ପୋଷାକ କଟକଣା ଲାଗିଛି, ସେଠାରେ ମହିଳା ଭକ୍ତଙ୍କୁ ଯାଞ୍ଚ ଅବା ଆବଶ୍ୟକ ପରାମର୍ଶ ଦେବାକୁ ମହିଳା କର୍ମଚାରୀ ନିଯୁକ୍ତ ଅଛନ୍ତି। ଶ୍ରୀମନ୍ଦିରକୁ କେବଳ ପୁରୁଷ ଭକ୍ତ ଆସୁନାହାନ୍ତି, ମହିଳା ଭକ୍ତ ବି ଆସୁଛନ୍ତି। ଏଣୁ ମହିଳା କର୍ମଚାରୀ ନିଯୁକ୍ତ ହେବା ଦରକାର। ଜେଟିପି, ଚର୍ଚ୍ଚା, ପ୍ରତିହାରୀଙ୍କ ହାତରେ ପୋଷାକ ପରିଧାନ ଯାଞ୍ଚ ବ୍ୟବସ୍ଥାକୁ ଛାଡ଼ିଦେବା ଗ୍ରହଣୀୟ ନୁହେଁ।
ଏ ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ରାଜ୍ୟ ବାହାରେ ଯେଉଁଠି ପୋଷାକ କଟକଣା ରହିଛି, ସେଠି ଡ୍ରେସ୍କୋଡ୍ ବ୍ୟବସ୍ଥା ଲାଗୁ ହୋଇଛି। ଆମେ କୌଣସି ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିନୁ। କେବଳ ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥା ଅକ୍ଷୁଣ୍ଣ ରଖିବା ପାଇଁ ମାର୍ଜିତ ପୋଷାକ ପରିଧାନ କରି ଆସିବାକୁ ନିବେଦନ କରୁଛୁ। ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଆସୁଛନ୍ତି, ସେମାନେ ଭକ୍ତିଭାବର ସହ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସୁଛନ୍ତି। କିନ୍ତୁ ଯେଉଁମାନେ ପର୍ଯ୍ୟଟକ, ସେମାନଙ୍କ ପୋଷାକ ପରିଧାନରେ ଶାଳୀନତା ରହୁନି। ଯେଉଁମାନେ ପୋଷାକ ପରିଧାନ ବ୍ୟବସ୍ଥା ଦେଖିବେ, ସେମାନେ ମୋବାଇଲ୍ ଯାଞ୍ଚ ଭଳି ଯାଞ୍ଚ କରିବେନି। କେବଳ କହିବେ। ଏଭଳି କହିଦେଲେ କିଛି ଅଡ଼ୁଆ ହେବନି। ତଥାପି ମହିଳା ଭକ୍ତଙ୍କ ପାଇଁ କ’ଣ ଅଲଗା ବ୍ୟବସ୍ଥା ହୋଇପାରିବ, ସେ ଉପରେ ଆସନ୍ତା ୧୬ ତାରିଖ ଛତିଶାନିଯୋଗ ବୈଠକ ଓ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଚିରାଫଟା, ଦେହ ଦିଶିବା ଭଳି ପୋଷାକ ପରିଧାନ ଉତ୍ତେଜକମୂଳକ। ଶ୍ରୀମନ୍ଦିର ଭିତରେ ଏହି ପୋଷାକ ବାରଣ ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିବା ଦରକାର। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ପୋଷାକ ପରିଧାନ ଉପରେ ଯେଉଁ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି, ତାକୁ ନେଇ ଅଯଥା ବିବାଦ କରାନଯାଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Puri-temple.jpg)