ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

publive-image

ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ଅରାଜକତା ସୃଷ୍ଟି ହୋଇଛି। ବ୍ୟାପକ ଜଳାପୋଡ଼ା ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଏଥିସହ ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ ପାଇଁ ସରକାରଙ୍କୁ ସୁପାରିସ
ସେପଟେ ହନୁମାନ ଜୟନ୍ତୀରେ ଅଭୂତପୂର୍ବ ଶୋଭାଯାତ୍ରା
ହଜାରହଜାର ଯୁବକ ଓ ମହିଳା ଭକ୍ତ ସାମିଲ ହେଲେ

ଅନ୍ୟପକ୍ଷରେ ଉତ୍ସାହ ଓ ଉତ୍ତେଜନା, ଆନନ୍ଦ ଓ ଆଶଙ୍କା, ଭୟ ଓ ଭକ୍ତିର ବାତାବରଣ ମଧ୍ୟରେ ସଂସ୍କୃତିର ସହର ସମ୍ବଲପୁରରେ ପାରମ୍ପରିକ ହନୁମାନ ଜୟନ୍ତୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଶୁକ୍ରବାର ଅପରାହ୍ନରୁ ସହର ସାରା ବିଭିନ୍ନ ପଡ଼ାରୁ ଶୋଭାଯାତ୍ରାମାନ ବାହାରି ସଂଧ୍ୟାରେ ଜିଲ୍ଲା ସ୍କୁଲ୍ ଛକରେ ସମବେତ ହୋଇଥିଲା। ଧନକଉଡ଼ା ପଟୁ ସବୁଠୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଧନକଉଡ଼ାରୁ ଆରମ୍ଭ ହୋଇ ସମ୍ବେଦନଶୀଳ ଗେଙ୍ଗୁଟିପାଲି, ସୁନାପାଲି, ମୋତିଝରନ୍, ଭୂତାପଡ଼ା ରାସ୍ତା ଦେଇ ଏହି ଆକର୍ଷଣୀୟ ଶୋଭାଯାତ୍ରା ଜିଲ୍ଲାସ୍କୁଲ୍ ଛକରେ ପହଞ୍ଚିଥିଲା।

publive-image

ସେହିପରି ମୁଦିପଡ଼ା, ଧନୁପାଲି, ବଡ଼ବଜାର, ବୁଢ଼ାରଜା ପଟୁ ବୃହତ୍ ଶୋଭାଯାତ୍ରାମାନ ଆସି ଜିଲ୍ଲା ସ୍କୁଲ୍ ଛକରେ ମୁଖ୍ୟ ‌ଶୋଭାଯାତ୍ରା ସହ ମିଶିଥିଲା। ବ୍ରୁକ୍ସହିଲ୍ ହନୁମାନ ମନ୍ଦିରରେ ବୀର ବଜରଂଗବଲୀଙ୍କ ମହାଆଳତି ହୋଇଥିଲା। ଏହାପରେ ସବୁ ଶୋଭାଯାତ୍ରା ଏକାଠି ହୋଇ ବିଶାଳ ହନୁମାନ ଜୟନ୍ତୀ ମହାଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ୨୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ଏହି ବିଶାଳ ଓ ଭବ୍ୟ ଶୋଭାଯାତ୍ରା ଜିଲ୍ଲା ସ୍କୁଲ୍ ଛକରୁ ବାହାରି ଭିଏସ୍ଏସ୍ ମାର୍ଗ ଦେଇ ଲକ୍ଷ୍ମୀ ଟକିଜ୍ ଛକରେ ପହଞ୍ଚିଥିଲା। ସେଠାରୁ ଗୋଲବଜାର ଛକ, ନୟାପଡ଼ା ଦେଇ ଶକ୍ତି ସଂଘରେ ସମାପ୍ତ ହୋଇଥିଲା। ଚଳିତବର୍ଷ ଶୋଭାଯାତ୍ରାରେ ଭକ୍ତଙ୍କ ଅଭୂତପୂର୍ବ ସମାଗମ ଦେଖିବାକୁ ମିଳିଥିଲା। ସମ୍ବଲପୁର ସହର କୋଣଅନୁକୋଣରୁ ଶହଶହ ମହିଳା ଭକ୍ତଙ୍କ ସମେତ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ସାମିଲ ହୋଇଥିଲେ।

ରାସ୍ତାର ଉଭୟ ପାର୍ଶ୍ବରେ ଶୋଭାଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟାରେ ମହିଳା, ଛୋଟ ପିଲା ଓ ବୃଦ୍ଧବୃଦ୍ଧା ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଶୋଭାଯାତ୍ରାରେ ବିଭିନ୍ନ ପଡ଼ାରୁ ଆସିଥିବା ପ୍ରଭୁ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତି, ଭବ୍ୟ ରଥ, ଆକର୍ଷଣୀୟ କଳାକୁଞ୍ଜ , ଦୁଲଦୁଲି, ଘଣ୍ଟ ଆଦି ପାରମ୍ପରିକ ବାଦ୍ୟ ସାମିଲ ହୋଇଥିଲା। ହନୁମାନ ଭକ୍ତଙ୍କ ପାରମ୍ପରିକ ଆଖଡ଼ା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ବିଗତ ବର୍ଷମାନଙ୍କରେ ଶୋଭାଯାତ୍ରାରେ ଖଣ୍ଡା, ଗଦା ଆଦି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହେଉଥିଲା। କିନ୍ତୁ ଗତ କିଛିବର୍ଷ ହେଲା ଖଣ୍ଡା, ତରୱାଲ ଭଳି ଧାରୁଆ ଅସ୍ତ୍ର ନିଷିଦ୍ଧ କରାଯାଇଛି। ଫଳରେ ଯୁବକମାନେ କେବଳ ବାଡ଼ି ଓ ମୁଦ୍ଗରରେ ଆଖଡ଼ା ଖେଳ ଦେଖାଇଥିଲେ। ଶୋଭାଯାତ୍ରାକୁ ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ବାଗତ କରା ଯାଇଥିଲା। ଶୋଭାଯାତ୍ରାର ଆରମ୍ଭ ସମୟରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟକ ରବି ନାୟକ, ବିଜେପି ପ୍ରବକ୍ତା ବିରଞ୍ଚି ତ୍ରିପାଠୀ, ଜିଲ୍ଲା ସଭାପତି ଗିରୀଶ ପଟେଲ, ହନୁମାନ ଜୟନ୍ତୀ ସମନ୍ବୟ ସମିତି ସଭାପତି ଡା. ରାଜକୁମାର ବଡ଼ପଣ୍ଡା, ସଂପାଦକ ସମୀର ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଶୋଭାଯାତ୍ରାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ସାମିଲ୍‌ ହୋଇଥିଲେ।

publive-image

ବୁଧବାର ହିଂସାକାଣ୍ଡ ପରେ ଶୁକ୍ରବାର ପୁଲିସ୍ ପ୍ରଶାସନ ସତର୍କ ହେବା ସହ ସହର ସାରା କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା।  ଶୋଭାଯାତ୍ରା ପାଇଁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ସମ୍ବଲପୁର ଏସ୍‌ପି ବି. ଗଂଗାଧରଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଇନ୍‌ସପେକ୍ଟର ଓ ୪୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ସବୁ ସମ୍ବେଦନଶୀଳ ରାସ୍ତା ଓ ଗଳିଗୁଡ଼ିକୁ ଆଗତୁରା ବ୍ୟାରିକେଡ୍ ଦେଇ ସିଲ୍ କରି ଦିଆ ଯାଇଥିଲା। ଶୋଭାଯାତ୍ରା ରାସ୍ତାରେ ବିଭିନ୍ନ କୋଠାଘର ଉପରୁ ପୁଲିସ୍ ବାହିନୀ ସତର୍କ ନଜର ରଖିଥିଲା। ରାସ୍ତାସାରା ସିଟିଟିଭି କ୍ୟାମେରା ଓ ଡ୍ରୋନ୍ କ୍ୟାମେରା ଜରିଆରେ ବି ପୁଲିସ୍ ଶୋଭାଯାତ୍ରା ଉପରେ ନଜର ରଖିଥିଲା। ଏସବୁ ସତ୍ତ୍ବେ ଜିଲ୍ଲା ସ୍କୁଲ୍ ଛକ ଓ ପେନ୍‌ସନ୍‌ପଡ଼ାରେ ଶୋଭାଯାତ୍ରା ଉପରେ ପଥର ମାଡ଼ କରାଯାଇଥିଲା। ଫଳରେ ପେନ୍‌ସନ୍‌ପଡ଼ାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ହେଲେ କୌଣସି ଅଘଟଣ ପୂର୍ବରୁ ପୁଲିସ୍ ଓ ଆୟୋଜକମାନେ ସ୍ଥିତି ସମ୍ଭାଳି ନେଇଥିଲେ।

ଅପରପକ୍ଷରେ ଶୋଭାଯାତ୍ରା ଚାଲିଥିବା ବେଳେ ପୁଲିସ୍ ଜଣେ ଯୁବକକୁ ଉଠାଇ ନେବାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ହାଇଦର ହୋଟେଲ୍ ସାମ୍ନାରେ ଶୋଭାଯାତ୍ରାରେ ଥିବା ଯୁବକମାନେ ପୁଲିସ୍ ଭ୍ୟାନ୍‌କୁ ଘେରି ଯାଇଥିଲେ। ପ୍ରାୟ ୧୫ ମିନିଟ୍ ପାଇଁ ଏଭଳି ସ୍ଥିତି ଲାଗି ରହିଥିଲା। ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଛାଡ଼ି ଦେବାପରେ ସ୍ଥିତି ଶାନ୍ତ ପଡ଼ିଥିଲା।