ବାଲେଶ୍ବର: ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଟିତ ହିଂସାକାଣ୍ଡ ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି। ଆହୁରି ୬ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମଗାଯାଇଛି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଛି। ଏହି ଘଟଣାରେ ଟାଉନ ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ୪୪ ଜଣଙ୍କୁ ଅଟକ ରଖାଯାଇଛି।

Advertisment

ପରିସ୍ଥିତି ଅନୁଧ୍ୟାନ ପାଇଁ ଆଜି ସକାଳେ ଅତିରିକ୍ତ ପୁଲିସ ଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ ମୁଖ୍ୟାଳୟ କଟକର ଆଇଜି ବି.ଯୁଗଳ କିଶୋର ଓ ଆରକ୍ଷୀ ଅଧୀକ୍ଷକ ବି. ଗଙ୍ଗାଧର ପ୍ରମୁଖ ବାଲେଶ୍ୱରରେ ପହଞ୍ଚି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସ୍‌ପି ସାଗରିକା ନାଥଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଗତକାଲି ଦ୍ବିପ୍ରହର ସମୟରେ ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଏସ୍‌ପି ସାଗରିକା ନାଥଙ୍କ ସମେତ ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୩ ଜଣ ପୁଲିସ ଅଧିକାରୀ ଲହୁଲୁହାଣ ହୋଇଥିଲେ। ଉତ୍ତେଜନା ପରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀର ଲୋକେ ପୁଣି ଗୋଳାପୋଖରୀ, ମୋତିଗଞ୍ଜ ଓ ସୁଏଲପୁର ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ। ବିଭିନ୍ନ ସାହିରେ ୨ ଗୋଷ୍ଠୀର ଲୋକ ଢେଲାପଥର ଓ ମାରଣାସ୍ତ୍ର ଧରି ପରସ୍ପରର ଘର, ଗାଡ଼ି ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିବାସହ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜିଲ୍ଲାପାଳ ଆଶିଷ ଠାକରେ, ଏସ୍‌ପି ସାଗରିକା ନାଥ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ ଓ ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଟାଉନ ଥାନାକୁ ଆସି ଆଲୋଚନା କରିବାପରେ ରାତି ୧୨ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମଗ୍ର ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି କରାଯାଇଥିଲା।

୪୩ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ, ମଗାଗଲା
ଆଉ ୬ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ
ଶାନ୍ତି ପାଇଁ ସାଂସଦ, ବିଧାୟକଙ୍କ ନିବେଦନ

କର୍ଫ୍ୟୁ ପରେ ସହରର ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଥିବା ବେଳେ ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି। ସ୍ଥିତି ସ୍ୱାଭାବିକ ନ ହେବାପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି କୁହାଯାଇଛି। ପୁଲିସ ଅଧିକାରୀ ବିଭିନ୍ନ ରାସ୍ତାରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ, ବିଳମ୍ବିତ ରାତିରୁ ଅଚାନକ କର୍ଫ୍ୟୁ ଜାରି ହେବାପରେ ଆଜି ସକାଳେ ବାଲେଶ୍ୱର ସହରକୁ ଦୂରଦୂରାନ୍ତରୁ ଆସିଥିବା ରେଳ ଓ ବସ୍‌ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ସେମାନଙ୍କ ପାଇଁ ସମସ୍ୟା ଜଟିଳ ହୋଇଥିଲା। ସହରର ମୁଖ୍ୟରାସ୍ତା ଓଟି ରୋଡ୍‌ ସହିତ ସମସ୍ତ ସଂଯୋଗସ୍ଥଳରେ ପୁଲିସ ନାକାବନ୍ଦୀ କରିଛି। କର୍ଫ୍ୟୁ ଅଞ୍ଚଳ ମଧ୍ୟକୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଓ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। କେବଳ ସ୍ବାସ୍ଥ୍ୟ, ଦମକଳ, ଜରୁରୀକାଳୀନ ସେବା ସହିତ ଜଡ଼ିତ ସରକାରୀ ଓ ପୁଲିସ ଗାଡ଼ି ଚଳାଚଳ କରୁଛି। ଅରଡ଼ ବଜାର, ଖପରାପଦା, ପାତ୍ରପଡ଼ା, ସୁନହଟ, କଂସେଇମହଲା, ବାଲୁବଜାର, ବଙ୍କାଖଜୁରୀ, ଗୋଳାପୋଖରୀ ଆଦି ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି।