ଗାନ୍ଧୀ ଗାଳିର ଅନ୍ତରାଳେ

ଅମିୟ ପାଣ୍ତବ

ସ୍ୱାଧୀନତାର ୭୩ ବର୍ଷ ପୂର୍ତ୍ତି ଦିବସ ଗାନ୍ଧୀଙ୍କୁ ଆପଣ ଭଲ ପାଆନ୍ତୁ କି ନ ପାଆନ୍ତୁ ତାଙ୍କୁ ଏଡ଼ାଇ ଯିବାର କଳ୍ପନା ଯେ ଏଇ ଭାରତରେ ଅନ୍ତତଃ ଅସମ୍ଭବ ତାହା ବିଭିନ୍ନ ସାମ୍ପ୍ରତିକ ଘଟଣାବଳୀ ପୁନର୍ବାର ପ୍ରମାଣିତ କରିଛି। ଏଇ ଯେମିତି ଯେଉଁ ଅମିତ ଶାହ ବିଜେପିର ସଭାପତି ଥିବା ବେଳେ ଏକ ସଭାରେ ଗାନ୍ଧୀଙ୍କୁ ଚତୁର ବଣିଆ ଭାବେ ଆଖ୍ୟାୟିତ କରି ଚାରିଆଡ଼ୁ ସମାଲୋଚିତ ହୋଇଥିଲେ, ସେହି ଅମିତ ଶାହ ଦେଶର ଗୃହମନ୍ତ୍ରୀ ଭାବେ ଓଡ଼ିଶାର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଶ˚ସା କରିବାକୁ ଯାଇ ଓଡ଼ିଶାର ଗାନ୍ଧୀ ବୋଲି କହିଲେ। ଏ କଥା ଅବଶ୍ୟ ଅଦ୍ୟାବଧି ଅଜଣା ଯେ ଷଡ଼ଙ୍ଗୀ ବାବୁ ଏହାକୁ ଗ୍ରହଣ କରିଛନ୍ତି କି ନାହିଁ, କାରଣ ଗାନ୍ଧୀଙ୍କୁ ଜାତିର ପିତା ସମ୍ବୋଧନ କରିବା ନେଇ ତାଙ୍କର ଆପତ୍ତି ରହିଛି ଏବ˚ ସେ ନିଜେ ଏହା ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ର ବିତର୍କରେ ବ୍ୟକ୍ତ କରିସାରିଛନ୍ତି। ତେବେ ଏହା କ’ଣ ସୂଚାଉଛି?

କିଛିମାସ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ବିଜେପି ସା˚ସଦ ଅନନ୍ତ ହେଗଡ଼େ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିବା ସ୍ବାଧୀନତା ସ˚ଗ୍ରାମକୁ ଏକ ଡ୍ରାମା ବୋଲି କହିବା ସହିତ, ତାଙ୍କୁ ଇ˚ରେଜଙ୍କ ସହଯୋଗୀ ଭାବେ ଆଖ୍ୟାୟିତ କରି ଏମିତି ଲୋକଙ୍କୁ ‘‘ମହାତ୍ମା’ କୁହାଯିବ କାହିଁକି ବୋଲି କହିଥିଲେ। ଏହାକୁ ନେଇ ସବୁଆଡ଼ୁ ସମାଲୋଚିତ ହେବା ସତ୍ତ୍ବେ ସେ ଅନୁତପ୍ତ ଥିବା ପରି ହୃଦ୍‌ବୋଧ ହେଲାନାହିଁ। କାରଣ ସେମିତି ବିଚାର ହିଁ ତାଙ୍କ ରାଜନୈତିକ ଆଦର୍ଶବାଦର ନାଭିକେନ୍ଦ୍ର! ସେହିପରି ମଧ୍ୟପ୍ରଦେଶର ଭୋପାଳରୁ ବିଜେପିର ସା˚ସଦ ଥିବା ପ୍ରଜ୍ଞା ଠାକୁର ୨୦୧୯ ନିର୍ବାଚନ ପୂର୍ବରୁ ଏକ ସଭାରେ ଏବ˚ ଏପରିକି ଗତ ଶୀତ ଅଧିବେଶନରେ ସ˚ସଦ ଭିତରେ ଗାନ୍ଧୀ ହତ୍ୟାକାରୀର ଗୁଣକୀର୍ତ୍ତନ କରିବା ସହ ତାକୁ ମହାନ୍‌ ଦେଶପ୍ରେମୀ ଭାବେ ବର୍ଣ୍ଣନା କରିଥିଲେ। ଏପରି ବିବୃତି ପଛରେ ଯେଉଁ ବିଷାକ୍ତ ବିଚାରଟି କାର୍ଯ୍ୟ କରୁଛି ତାହା କ’ଣ କାହାକୁ ଅଜଣା? କେବଳ ସେ ନୁହଁନ୍ତି, ଉତ୍ତରପ୍ରଦେଶରୁ ଆସିଥିବା ସେହି ବିଜେପି ଦଳର ଅନ୍ୟତମ ବିତର୍କିତ ସା˚ସଦ ସାକ୍ଷୀ ମହାରାଜ ମଧ୍ୟ ଏକାଧିକବାର ଗାନ୍ଧୀ ହତ୍ୟାକାରୀର ଜୟଜୟକାର କରି ନିଜକୁ ଗର୍ବିତ ମନେ କରିଛନ୍ତି!

ଏହା ପୂର୍ବରୁ ହରିଆଣା ସରକାରରେ ମନ୍ତ୍ରୀ ଥିବା ଅନିଲ୍‌ ବିଜ୍‌ ଗାନ୍ଧୀଙ୍କୁ ନେଇ ଗାନ କରାଯାଉଥିବା ‘ସାବରମତୀର ସନ୍ଥ’କୁ ନେଇ ଆପତ୍ତି ଉଠାଇବା ସହ ଖଦିର ପ୍ରସାରରେ ଗାନ୍ଧୀଙ୍କ ଫଟୋ କାମ ଦେଲାନାହିଁ କହି ତାଙ୍କ ଫଟୋ ହଟାଇ ଦେବାକୁ ଦାବି କରିଥିଲେ।

ମଧ୍ୟପ୍ରଦେଶରେ ବିଜେପିର ପୂର୍ବତନ ମୁଖପାତ୍ର ଅନିଲ ସୌମିତ୍ର ଗାନ୍ଧୀଙ୍କୁ ‘ଫାଦର ଅଫ୍‌ ଦି ନେସନ୍‌’ ବଦଳରେ ‘ଫାଦର‌୍‌ ଅଫ୍‌ ଦି ନେସନ୍‌ ଅଫ୍‌ ପାକିସ୍ତାନ’ ବୋଲି ଉଲ୍ଲେଖ କରିବା ପରେ ଏହାକୁ ନେଇ ଖୁବ୍‌ ହୋହଲ୍ଲା ହୋଇଥିଲା। ସେହିପରି ଆସାମରୁ ବିଜେପିର ରାଜ୍ୟସଭା ସା˚ସଦ ଥିବା କାମାକ୍ଷା ପ୍ରସାଦ ତାସା ୨୩ ଅକ୍େ‌ଟାବର ୨୦୧୭ରେ ଏକ ସାଧାରଣ ସଭାରେ କ˚ଗ୍ରେସ ଦେଶର ଜନଗଣଙ୍କ ମୁଣ୍ତରେ ଗାନ୍ଧୀ-ନେହରୁ ଆବର୍ଜନା ଭର୍ତ୍ତି କରିଦେଇଛି ବୋଲି ଆକ୍ଷେପ କରିଥିଲେ। କିଛିଦିନ ତଳେ ଇନ୍ଦୋରର ବିଜେପି ବିଧାୟିକା ଉଷା ଠାକୁର ଏକ ସାକ୍ଷାତକାରରେ ଗାନ୍ଧୀ ହତ୍ୟାକାରୀକୁ ଜଣେ ସଚ୍ଚା ରାଷ୍ଟ୍ରଭକ୍ତ କହିଥିବା ବେଳେ ସେଇ ଇନ୍ଦୋରରେ ବିଜେପି ଆଇ.ଟି. ସେଲ୍‌ର ପ୍ରଭାରୀ ଭିକି ମିତ୍ତଲ ନିଜ ଫେସବୁକ୍‌ ପୋଷ୍ଟରେ ଲେଖିଥିଲେ ଗଡ୍‌ସେର ପିସ୍ତଲକୁ ନିଲାମ କଲେ ଜଣାପଡ଼ିବ ସେ କେତେ ମହାନ୍‌ ଦେଶପ୍ରେମୀ ଥିଲେ! ଆମ ଓଡ଼ିଶାର ପୂର୍ବତନ ବିଜେପି ସା˚ସଦ ଖାରବେଳ ସ୍ବାଇଁ ମଧ୍ୟ ଏକ ଟିଭି ଚ୍ୟାନେଲ୍‌ ବିତର୍କରେ ଅ˚ଶଗ୍ରହଣ କରି ଗାନ୍ଧୀ ଦେଶର ପିତା ନୁହଁନ୍ତି ବୋଲି ଯୁକ୍ତି କରିଥିଲେ। ୨୦୧୭ ମସିହାରେ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଟେଲିଭିଜନ୍‌ ବିତର୍କରେ ମୋଦୀଙ୍କୁ ହିଁ ଦେଶର ବାପ ବୋଲି ଜୋର‌୍‌ଦେଇ କହିଥିଲେ। ଏପରିକି ଆମ ପ୍ରଧାନମନ୍ତ୍ରୀ ଆମେରିକା ଯାଇ ସେଠାକାର ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରଚାର କରିବା ପରେ କୃତକୃତ୍ୟ ହୋଇ ଟ୍ରମ୍ପ୍‌ ମଧ୍ୟ ମୋଦୀଙ୍କୁ ଭାରତର ପିତା ବୋଲି ସମ୍ବୋଧନ କରିଦେଲେ। ଏହା ଟ୍ରମ୍ପଙ୍କ ଚାଟୁକାରିତା ବା ବାଚାଳାମି ହୋଇପାରେ, ମାତ୍ର ଏହା ପରୋକ୍ଷରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ସଦୃଶ ହୋଇଥିଲେ ସୁଦ୍ଧା ଆମ ପ୍ରଧାନମନ୍ତ୍ରୀ ଏହାକୁ ନାପସନ୍ଦ କରିବା ପରିବର୍ତ୍ତେ ମୌନ˚ ସମ୍ମତି ଲକ୍ଷଣ˚ ସଦୃଶ ମୁଦ୍ରାରେ ରହିଗଲେ। ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କ’ଣ ହୋଇପାରେ?

ତେବେ ଏଇଠି ଉଲ୍ଲେଖ କରିବା ଉଚିତ୍‌ ହେବ ଯେ ପ୍ରତିବର୍ଷ ଯେଉଁ ଖଦି ଓ ଗ୍ରାମଦ୍ୟୋଗ ବିଭାଗର କ୍ୟାଲେଣ୍ତର‌୍‌ରେ ଗାନ୍ଧୀଙ୍କ ଚରଖା କଟା ଫଟୋ ଛପାଯାଉଥିଲା, ୨୦୧୭ ମସିହାରେ ଗାନ୍ଧୀଙ୍କୁ ହଟାଇ ସେହି ମୁଦ୍ରାରେ ମୋଦୀଙ୍କ ଚରଖା କଟା ଫଟୋ ଛପାଯାଇଥିଲା। ଗାନ୍ଧୀ ତାହା ନିଜ ଜୀବନଚର୍ଯ୍ୟାର ବ୍ରତ ଭାବେ ପାଳନ କରିଥିଲେ ବୋଲି ଦର୍ଶାଇବା ଏହାର ଉଦ୍ଦେଶ୍ୟ ଥିଲେ ମଧ୍ୟ ମୋଦୀଙ୍କ ଏହି ଅଭିନୟର ଫଟୋ ଛପାଯିବା ପଛରେ କେଉଁ ଅଭିସନ୍ଧି ଥିଲା ତାହାର ବର୍ଣ୍ଣନା ଅନାବଶ୍ୟକ। ତେବେ ପ୍ରବଳ ପ୍ରତିବାଦ କାରଣରୁ ତାହା ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ସମୁଦାୟ ପ୍ରକରଣ ପଛରେ ଲୁକ୍କାୟିତ ଉଦ୍ଦେଶ୍ୟଟି ଆଦୌ ଅଛପା ନୁହେଁ!

ତେବେ ଗାନ୍ଧୀଙ୍କୁ ଗାଳିଦେବାର ବା ନ୍ୟୂନ କରି ଦେଖାଇବାର ଏହି ପ୍ରଥା ଓ ପରମ୍ପରା ଏବେକାର ନୁହେଁ। ଆଜିକାର ଏହି ଆତ୍ମଘୋଷିତ ରାଷ୍ଟ୍ରବାଦୀ ନେତାମାନେ କେବଳ ସେମାନଙ୍କ ପୂର୍ବସୂରୀ ଓ ପଥପ୍ରଦର୍ଶକମାନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଗାନ୍ଧୀଙ୍କୁ ଘୃଣା ଓ ନିନ୍ଦା କରୁଥିବା ତଥାକଥିତ ଦେଶପ୍ରେମୀମାନେ ସ୍ବାଧୀନତା ସ˚ଗ୍ରାମରେ ସେମାନଙ୍କ ଅବଦାନ କ’ଣ ତାହା ଉଲ୍ଲେଖ କରିପାରିବେ କି? ଅନନ୍ତ ହେଗ୍‌ଡେଙ୍କ ପରି ଯେଉଁମାନେ ଗାନ୍ଧୀଙ୍କୁ ଇ˚ରେଜଙ୍କ ସହ ସଲାସୁତୁରାର ନାଟକ ବୋଲି କହୁଛନ୍ତି, ସେମାନେ ଓ ତାଙ୍କ ମାର୍ଗଦର୍ଶକବୃନ୍ଦ ଇ˚ରେଜଙ୍କ ସପକ୍ଷରେ ଛିଡ଼ା ହୋଇ ସ୍ବାଧୀନତା ସ˚ଗ୍ରାମକୁ ବିରୋଧ କରିଛନ୍ତି କି ନାହିଁ? ଗାନ୍ଧୀ ନିନ୍ଦୁକମାନେ ଜାଣିରଖିବା ଉଚିତ୍‌ ଯେ ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର ଗାନ୍ଧୀଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିବା ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ତାଙ୍କୁ ଜାତିର ପିତା ବୋଲି ସମ୍ବୋଧନ କରିଥିଲେ। ଏହାର ଔଚିତ୍ୟ ନେଇ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି, ଶକ୍ତି ଓ ସ˚ଗଠନଗୁଡ଼ିକ ସୁଭାଷଙ୍କୁ ପରୋକ୍ଷରେ କାଠଗଡ଼ାରେ ଛିଡ଼ା କରାଇବାର ଧୃଷ୍ଟତା କରୁନାହାନ୍ତି କି?

[email protected]

ସମ୍ବନ୍ଧିତ ଖବର