ବିଶୋଇ: ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ସାରା ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ମୟୂରଭଂଜ ଜିଲ୍ଲା ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ବୃକ୍ଷ ଲଗାଇ ଏହି ଦିବସ ପାଳନ କରିଛି। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଅଧିନ ପୁଣ୍ଡିଦା ଗ୍ରାମ ସନ୍ନିକଟରେ ବୃକ୍ଷ ଲଗାଇ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ସଚେତନତା ବାର୍ତ୍ତା ଦେଇଛନ୍ତି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ନବୀନ ଚନ୍ଦ୍ର ନାଏକ, ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରଦ ଚନ୍ଦ୍ର ସିଂ, ସରଗଡ଼ା ବନପାଳ ଜୀବନ ବଲ୍ଲଭ ପାତ୍ର, ବିଶୋଇ ବନପାଳ ସଞ୍ଜୟ ପ୍ରସାଦ ବେହେରା ସମେତ ଵନକର୍ମଚାରୀମାନେ ଓ ସ୍ଥାନୀୟ ବନ ସୁରକ୍ଷା ସମିତିର ମହିଳା ଓ ପୁରୁଷ ସଦସ୍ୟ ଏକତ୍ରିତ ହୋଇ ବୃକ୍ଷ ରୋପଣ କରିଥିଲେ। ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାନ୍ତି ଆବଶ୍ୟକ ବୋଲି ରେଞ୍ଜର ଶ୍ରୀ ସିଂ କହିଥିଲେ। ଶେଷରେ "ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚିବ" ସ୍ଲୋଗାନ ଦେଇ ବନପାଳ ଜୀବନ ବଲ୍ଲଭ ପାତ୍ର ସମସ୍ତଙ୍କୁ ଶପଥ ଗ୍ରହଣ କରାଇଥିଲେ।