ଭୁବନେଶ୍ବର: ୭୯ତମ ସ୍ବାଧୀନତା ଦିବସ ଏଥର ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ଦିଲ୍ଲୀର ଲାଲ୍କିଲ୍ଲାରେ ଅଗଷ୍ଟ ୧୫ରେ ଆୟୋଜନ ହେବାକୁ ଥିବା ଏହି ସ୍ବାଧୀନତା ଦିବସରେ ଓଡ଼ିଶାର ୧୦୦ଜଣ ଥଇଥାନ ହୋଇଥିବା ଗୋତି ଶ୍ରମିକ ସପରିବାର ଯୋଗଦେବେ। ଯେଉଁ ଗୋତି ଶ୍ରମିକମାନେ ବର୍ଷବର୍ଷ ଧରି ପରାଧୀନ ହୋଇ ମହାଜନ ପାଖରେ ଖଟୁଥିଲେ, ଆଉ ଏବେ ସ୍ବାଧୀନତା ପାଇଛନ୍ତି ସେହି ଗୋତି ଶ୍ରମିକମାନେ ବାସ୍ତବରେ ସ୍ବାଧୀନତା କ’ଣ, କିପରି ସ୍ବାଧୀନତା ଦିବସକୁ ପାଳନ କରାଯାଏ ତାହା ଦେଖିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ର ଅତିଥି ଭାବେ ଏଥିରେ ଯୋଗଦେବେ।
କେବଳ ଓଡ଼ିଶା ନୁହେଁ, ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ କେନ୍ଦ୍ର ସରକାରଙ୍କ ଗୋତି ଶ୍ରମିକଙ୍କ ପାଇଁ ଥଇଥାନ ଯୋଜନା-୨୦୨୧ରେ ଉପକୃତ ହୋଇଥିବା ୧୦୦ ଜଣ ଲେଖାଏ ଏହି ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଚିଠି ଆସିବା ପରେ ସେମାନେ ତାଲିକା ପଠାଇଛନ୍ତି। ଗତ ୫ ବର୍ଷରେ ଅର୍ଥାତ୍ ୨୦୧୯-୨୦ରୁ ୨୦୨୪-୨୫ମଧ୍ୟରେ କେତେ ଗୋତି ଶ୍ରମିକ ଉଦ୍ଧାର ହୋଇ ଥଇଥାନ ହୋଇଛନ୍ତି ସେମାନଙ୍କ ତାଲିକା ଜୁନ୍ ୬ ତାରିଖ ସୁଦ୍ଧା ପଠାଇବାକୁ ଥିବା ବେଳେ ଓଡ଼ିଶା କିନ୍ତୁ ଏପର୍ଯ୍ୟନ୍ତ ୧୦୦ଜଣ ଥଇଥାନ ହୋଇଥିବା ଗୋତି ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରିପାରିନଥିବାରୁ କେନ୍ଦ୍ରକୁ ତାଲିକା ପଠାଇପାରିନି।
ଏହା ପଛର କାରଣ ହେଉଛି କେନ୍ଦ୍ର ସରକାର ଶ୍ରମ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିବାବେଳେ ଓଡ଼ିଶାରେ ଗୋତି ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କରୁଛି। ଶ୍ରମ ବିଭାଗ ଚିଠି ପାଇବା ପରେ ଏହାକୁ ପଞ୍ଚାୟତିରାଜ ବିଭାଗକୁ ପଠାଇଛି। ଏବେ ସବୁ ବିଭାଗ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଓଡ଼ିଶା ଏହି ତାଲିକା ପଠାଇ ପାରିନଥିବା ଜଣାପଡ଼ିଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରିଶ ଏସ୍.ଏନ୍ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମେ ଗତ କିଛି ବର୍ଷ ମଧ୍ୟରେ ଯେଉଁ ଗୋତି ଶ୍ରମିକମାନଙ୍କୁ ଉଦ୍ଧାର କରିଛୁ ଓ ଥଇଥାନ କରିଛୁ ସେମାନଙ୍କ ତାଲିକା କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟକୁ ପଠାଇବୁ। ସେମାନେ ଯେଉଁ ୧୦୦ଜଣଙ୍କୁ ବାଛିବେ ସେମାନଙ୍କୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ପଠାଇବୁ। ଆମ ରାଜ୍ୟରେ ବିଭିନ୍ନ ରାଜ୍ୟରୁ ଉଦ୍ଧାର ହୋଇ କେନ୍ଦ୍ର ସରକାରଙ୍କ ଯୋଜନାରେ ଥଇଥାନ ଓ ରୋଜଗାରକ୍ଷମ ହୋଇଥିବା ବହୁ ଗୋତି ଶ୍ରମିକ ଥିବାରୁ ଆମକୁ ତାଲିକା ପଠାଇବାରେ ଅସୁବିଧା ହେବନି। ଖୁବ୍ ଶୀଘ୍ର ତାଲିକା ପଠାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଗୋତି ଶ୍ରମିକ ଅଧିକ। ସ୍ବାଧୀନତାର ୭୮ବର୍ଷ ପରେ ବି ଓଡ଼ିଶାର ହଜାର ହଜାର ଶ୍ରମିକ ଏବେବି ରୋଜଗାର ପାଉନଥିବାରୁ ନିଜ ମୁଣ୍ଡ ବିକି ସପରିବାର ଅନ୍ୟ ରାଜ୍ୟରେ ଗୋତି ଖଟୁଛନ୍ତି। ରାଜ୍ୟ ସରକାରଙ୍କ ରେକର୍ଡ ଅନୁଯାୟୀ, ଗତ ୫ବର୍ଷରେ ଦେଶର ବିଭିନ୍ନ ସ୍ଥାନରୁ ୨୩୦୦ଜଣ ଗୋତି ଶ୍ରମିକ ଉଦ୍ଧାର ହୋଇଥିବାବେଳେ ଗତ ୮ବର୍ଷରେ ୨୪୧୧ଜଣ ଉଦ୍ଧାର େହାଇଛନ୍ତି। ହେଲେ ସେମାନଙ୍କ ନିକଟରେ ସରକାରଙ୍କ ପୁନଃଥଇଥାନ ଯୋଜନା ଠିକ୍ ଭାବେ ପହଞ୍ଚିପାରୁନଥିବାରୁ ସେମାନେ ଉଦ୍ଧାର ହେବା ପରେ ବି ପୁଣି ଗୋତି ଖଟିବାକୁ ପଳାଉଛନ୍ତି।
ସରକାରୀ ରେକର୍ଡରେ ମାତ୍ର ୨୪୧୧ ଜଣ ଉଦ୍ଧାର ହୋଇଥିବାବେଳେ ଓଡ଼ିଶାରୁ କେତେ ଗୋତି ଶ୍ରମିକ ଖଟୁଛନ୍ତି ତା’ର ହିସାବ ନାହିଁ। ବେସରକାରୀ ତଥ୍ୟ କହୁଛି ଓଡ଼ିଶାରୁ ଏବେବି ୫୦ହଜାରରୁ ଅଧିକ ଶ୍ରମିକ ଗୋତି ଖଟୁଛନ୍ତି। ଓଡ଼ିଶାର ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, ମାଲକାନଗିରି, କଟକ, ପୁରୀ, ସମ୍ବଲପୁର, ନୂଆପଡ଼ା, ସୁବର୍ଣ୍ଣପୁର ଭଳି ୧୧ଟି ଜିଲ୍ଲା ଗୋତିଶ୍ରମିକ ପ୍ରବଣ ପାଲଟିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp