ରାଜଭବନରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’: ‘ଓଡ଼ିଶା ହେଉଛି ସର୍ଜନାର ମହାଭୂମି’

ଭୁବନେଶ୍ୱର : ଓଡ଼ିଶା ହେଉଛି ସର୍ଜନାର ମହାଭୂମି। ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି। ଓଡ଼ିଆ ଜାତୀୟତା ପ୍ରକୃତରେ ବିଶ୍ୱ କଲ୍ୟାଣ ପାଇଁ ଅଭିପ୍ରେତ। ଆଗାମୀ ଦିନରେ ଓଡ଼ିଆ ଭାବ ସାରା ପୃଥିବୀକୁ ମାର୍ଗଦର୍ଶନ କରାଇବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।
ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆୟୋଜିତ ଏକ କବି ସମ୍ମିଳନୀରେ ପ୍ରଫେସର ଲାଲ୍‌ କହିଲେ, ଦେଶପ୍ରେମ ଓ ଜାତୀୟତାବୋଧ ଆମ ଚେତନାର ଅବିଚ୍ଛେଦ୍ୟ ଅଙ୍ଗ। ଜାତିପ୍ରୀତି ହିଁ ଦେଶର ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ନିମନ୍ତେ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଥାଏ। ସାହିତ୍ୟରେ ଜାତୀୟତା ପ୍ରସଙ୍ଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି।

କବି ସମ୍ମିଳନୀରେ ଯୋଗଦେଇଥିବା କବିମାନଙ୍କୁ ରାଜ୍ୟପାଳ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କବି ସୁଚେତା ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର, ଅୟସକାନ୍ତ ମହାପାତ୍ର, ରକ୍ଷକ ନାୟକ, ମନୋରଞ୍ଜନ ପାଣିଗ୍ରାହୀ, ଗାୟତ୍ରୀବାଳା ପଣ୍ଡା, ସୁଜାତା ପରିଜା, ଇପ୍‌ସିତା ଷଡ଼ଙ୍ଗୀ, କେ. ଶ୍ୟାମବାବୁ ଦୋରା, ନରେନ୍ଦ୍ର କୁମାର ଭୋଇ, ପ୍ରୀତିଧାରା ସାମଲ, ଅଶୋକ କୁମାର ରାଉତ, ହରପ୍ରସାଦ ମହାପାତ୍ର, ଅମରେନ୍ଦ୍ର ମାଧବ ଦାସ, ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓ ରଜନୀ ରଣସିଂହ ଦେଶାତ୍ମବୋଧ କବିତାମାନ ପାଠ କରିଥିଲେ। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର