ଭୁବ‌ନେଶ୍ବର : ନ୍ୟାସନାଲ ଫାଉଣ୍ଡେସନ୍‌ ଫର୍‌ ଇଣ୍ଡିଆ(ଏନ୍‌ଏଫ୍‌ଆଇ) ପକ୍ଷରୁ ଦିଆଯିବାକୁ ଥିବା ‘ସ୍ବାଧୀନ ସାମ୍ବାଦିକ ଫେଲୋସିପ୍‌’ ପାଇଁ ଆବେଦନକୁ ଆଉ ମାତ୍ର ୨ ଦିନ ବାକି ରହିଲା। ଏହି ଫେଲୋସିପ୍‌ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୨୬ ତାରିଖ ସୁଦ୍ଧା ଏନ୍‌ଏଫ୍‌ଆଇର ୱେବ୍‌ସାଇଟ୍‌ http://nfi.org.in/fellowships ରେ ନିଜ ନାମ ପଞ୍ଜୀକରଣ କରିନେବାକୁ ଏନ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି। ‘ସମ୍ବାଦ’ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ୧୫ଜଣ ଯୋଗ୍ୟ ଓଡ଼ିଆ ସ୍ବାଧୀନ ସାମ୍ବାଦିକଙ୍କୁ ଫେଲୋସିପ୍‌ ପ୍ରଦାନ କରାଯିବ।

Advertisment

ସାମ୍ବାଦିକତା ଯେଉଁମାନଙ୍କ ପ୍ରାଥମିକ ବୃତ୍ତି ତଥା ଜୀବିକାର ଉତ୍ସ ହୋଇଥିବ ଓ କୌଣସି ସଂସ୍ଥାର ବେତନପ୍ରାପ୍ତ କର୍ମଚାରୀ ଭାବେ ପୂର୍ଣ୍ଣକାଳୀନ ଭିତ୍ତିରେ ନିଯୁକ୍ତ ହୋଇନଥିବେ, ସେମାନେ ଏହି ଫେଲୋସିପ୍‌ ପାଇଁ ଆବେଦନ କରିପାରିବେ। ସାମ୍ବାଦିକତା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ କୌଣସି ମିଡିଆ ସଂସ୍ଥା କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ପୂର୍ଣ୍ଣକାଳୀନ ଭାବେ ଚାକିରି କରୁନଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଫେଲୋସିପ୍‌ ପାଇବା ପାଇଁ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ଓ ଅନ୍ୟାନ୍ୟ ନିୟମାବଳୀ ସଂପର୍କରେ ଜାଣିବା ପାଇଁ http://nfi.org.in/fellowships ରେ ଲଗ୍‌-ଇନ୍‌ କିମ୍ବା ମେଲ୍‌ ଯୋଗେ [email protected]ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ମେଲ୍‌ ପଠାଇବା ବେଳେ ‘ବିଷୟ’ (subject) ସ୍ଥାନରେ “ଜିଜ୍ଞାସା: NFI ମିଡିଆ ଫେଲୋସିପ୍” ଉଲ୍ଲେଖ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏନ୍‌ଏଫ୍‌ଆଇ ସଚ୍ଚୋଟ ତଥା ବିଶ୍ବସନୀୟ ସାମ୍ବାଦିକତାକୁ ପ୍ରୋତ୍ସାହିତ ପାଇଁ ନଭେମ୍ବର ୨୦୨୦ରୁ ‘ମିଡିଆ ଫେଲୋସିପ୍ କାର୍ଯ୍ୟକ୍ରମ’ ଜରିଆରେ ବିଭିନ୍ନ ଭାଷାର ସ୍ବାଧୀନ ସାମ୍ବାଦିକମାନଙ୍କୁ ଏଭଳି ଫେଲୋସିପ୍‌ ପ୍ରଦାନ କରିଆସୁଛି। ଚଳିତଥର ୧୫ଜଣ ଓଡ଼ିଆ ସ୍ବାଧୀନ ସାମ୍ବାଦିକଙ୍କୁ ଏହି ଫେଲୋସିପ୍‌ ପ୍ରଦାନ କରାଯିବ। ଓଡ଼ିଶାରେ ସର୍ବାଧିକ ପଠିତ ଓ ପ୍ରସାରିତ ଖବର କାଗଜ ‘ସମ୍ବାଦ’ ସହଯୋଗରେ ଏନ୍‌ଏଫ୍‌ଆଇ ଏହି ଫେଲୋସିପ୍‌ କାର୍ଯ୍ୟକ୍ରମ କରୁଛି।