ଡ.ବନ୍ଦନା ଶିବା। କେବଳ ଭାରତବର୍ଷ ନୁହେଁ, ଅନ୍ତର୍ଜାତୀୟସ୍ତରରେ ଜଣେ ପ୍ରତିଷ୍ଠିତ ପରିବେଶବିତ୍ ଭାବେ ସେ ଏକ ପରିଚିତ ନାମ। କୃଷି କ୍ଷେତ୍ରରେ ଅତ୍ୟଧିକ ରାସାୟନିକ ବିଷ ବ୍ୟବହାର ଯୋଗୁଁ ମଣିଷ ସମାଜ ଆଜି ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରୁଥିବାବେଳେ ‘ନବଦାନିଆ ସଙ୍ଗଠନ’ ଜରିଆରେ ସେ ଦେଶବ୍ୟାପୀ ସଚେତନତା ସୃଷ୍ଟି କରୁଛନ୍ତି। ୧୯୬୨ ନଭେମ୍ବର ୫ ତାରିଖରେ ଡେରାଡୁନ୍ରେ ଜନ୍ମଗ୍ରହଣ କରିଥିବା ଡ.ବନ୍ଦନା ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ବିହନ, ପନିପରିବା ସଂରକ୍ଷଣ, ଜୈବିକ କୃଷି ପଦ୍ଧତିରେ ଭାରତକୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଅହର୍ନିଶ ପ୍ରୟାସ ଜାରି ରଖିଛନ୍ତି। ନିକଟରେ ବାଲେଶ୍ବର ନୀଳଗିରିକୁ ମହିଳା ଅନ୍ନ ସ୍ବରାଜ ସମାବେଶରେ ଯୋଗ ଦେବା ପାଇଁ ଆସିଥିବା ସମୟରେ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ସହର ପ୍ରତିନିଧି କବିତା ପାତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଶସ୍ୟଶ୍ୟାମଳା ଭୂଖଣ୍ଡ ଡେରାଡୁନ୍ରେ ଜନ୍ମ ହୋଇଥିଲେ। ପରିବେଶକୁ ଗଭୀର ଭାବେ ଅଧ୍ୟୟନ ଓ ଭଲ ପାଇବା ପଛରେ କାହାର ପ୍ରେରଣା ଥିଲା?
ପିଲାଟି ଦିନରୁ ମୁଁ ପ୍ରକୃତି ସହ ଜଡ଼ିତ। ମୋ ବାପା, ମା’ ମଧ୍ୟ ଥିଲେ ପରିବେଶପ୍ରେମୀ। ଉତ୍ତରାଧିକାରୀ ସୂତ୍ରରେ ହୁଏତ ପ୍ରକୃତି ସହିତ ମୋର ସଂପର୍କ ନିବିଡ଼ି ହୋଇଯାଇଛି।
କୃଷିର ବିକାଶ ପାଇଁ ଆପଣ ଭାରତ ସମେତ ଆଫ୍ରିକା, ଏସିଆ ମହାଦେଶ, ଲାଟିନ୍ ଆମେରିକା, ଆୟାର୍ଲାଣ୍ଡ, ସ୍ବିଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ପରି ଅନେକ ଦେଶରେ କାମ କରିଛନ୍ତି। ଆମ ଦେଶରେ କୃଷି ଓ କୃଷକଙ୍କ ପାଇଁ ଆଉ କଣ କରିବାକୁ ବାକି ଅଛି ବୋଲି ଭାବନ୍ତି?
ଭାରତର କୃଷି ପଦ୍ଧତି ବିଶ୍ବରେ ବହୁ ପୁରୁଣା ଓ ସୁରକ୍ଷିତ। ହେଲେ; ଅଧିକ ଅମଳ ପାଇଁ ଆଜି କ୍ଷେତରେ ଅତ୍ୟଧିକ ରାସାୟନିକ ସାର, ଔଷଧ ବ୍ୟବହାର କରାଯାଉଛି। ଯାହାଦ୍ବାରା ଆଜି ଭାରତ କୁପୋଷଣ ଦେଶ ବନିଯାଇଛି। ଚାଷୀ ଚାଷ କରୁଛି ସତ, ହେଲେ କୁପୋଷଣ, ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାସହିତ ଋଣରେ ଡୁବିଗଲାଣି। ତେଣୁ ଚାଷକୁ ଜୈବିକ ଉପାୟରେ କରିବା ପାଇଁ ନବଦାନିଆ ସଙ୍ଗଠନ ୪୦ ବର୍ଷ ଧରି କାମ କରିଆସୁଛି। ରାସାୟନିକ ଔଷଧରୁ ଦୂରେଇ ରହିବା ଲାଗି ସଚେତନତା ଜରୁରୀ। ଆମ ସଙ୍ଗଠନ ବହୁ ଚାଷୀଙ୍କୁ ସଚେତନ କରିବା ସହିତ ଜୈବିକ ପ୍ରଣାଳୀରେ ଚାଷ କରିବାକୁ ବୁଝାଉଛି। ଓଡ଼ିଶା ଏକ କୃଷିବହୁଳ ରାଜ୍ୟ। କିନ୍ତୁ ଏଠାକାର ସ୍ଥିତି ମଧ୍ୟ ଚିନ୍ତାଜନକ। ଏହାର ମୁକାବିଲା ପାଇଁ ଜୈବିକ କୃଷି ପଦ୍ଧତି ଆପଣେଇବା ଆବଶ୍ୟକ।
ଆପଣଙ୍କୁ ‘ଗାନ୍ଧୀ ଅଫ୍ ଗ୍ରେନ୍ ଆଖ୍ୟା ମିଳିଛି। ଏହି ଅଭିଯାନ ପଛର ମୁଖ୍ୟ ଉଦ୍ଦେଶ୍ୟ କଣ?
ପ୍ରକୃତି ଓ କୃଷି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ମୋର ଲକ୍ଷ୍ୟ। ବିହନ ବ୍ୟାଙ୍କ ଜରିଆରେ ଆଜି ସୁଦ୍ଧା ନବଦାନିଆରେ ୪ ହଜାରରୁ ଅଧିକ କିସମର ବିହନ ଗଚ୍ଛିତ ରଖାଯାଇଛି। ଚାଷରେ ଅଧିକ ବିଷ ପ୍ରୟୋଗ ନ କରିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି। ଏହା ଉପରେ ଏକ ଆଇନ୍ ପ୍ରଣୟନ ଲାଗି ସୁପ୍ରିମ୍କୋର୍ଟରେ ମାମଲା ବି ଦାୟର କରିଛି। ଜୈବିକ ପଦ୍ଧତିରେ ଚାଷର ସଫଳତା ଓ ଏ ଦିଗରେ ସଚେତନତା ପାଇଁ ‘ଗାନ୍ଧୀ ଅଫ୍ ଗ୍ରେନ୍’ ଆଖ୍ୟା ମିଳିଛି।
ବିକାଶ ଦିଗରେ ପାରମ୍ପରିକ ଅଭ୍ୟାସ କ’ଣ ଅନ୍ତରାୟ ହେଉନି?
ପ୍ରକୃତି ସହିତ ମାନବ ସମାଜ ଓତଃପ୍ରୋତ ଭାବେ ଜଡ଼ିତ। ତୁଳସୀ ପୂଜା, ଗୋପୂଜା ଆମର ସଂସ୍କୃତି। ଆମେ ପ୍ରକୃତିର ଲାଭ ନେଇପାରିବା, କିନ୍ତୁ ପ୍ରକୃତିକୁ ନଷ୍ଟ କରିବା ଅର୍ଥ ବିନାଶକୁ ସିଧାସଳଖ ଆମନ୍ତ୍ରଣ। ମାଟିର ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖିପାରିଲେ ଆମ ସମାଜ ଏକ ସୁସ୍ଥ ଓ ପରିପୂର୍ଣ୍ଣ ସମାଜ ହୋଇପାରିବ। ଏ ସବୁ ମୋ ପୁସ୍ତକ ‘ବେଦିକ୍ ଇକୋଲୋଜି’ରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।
ଜୈବିକ ପଦ୍ଧତିରେ ଚାଷ ଓ ଉନ୍ନତମାନର ବିହନ ବ୍ୟବହାର ଦିଗରେ ଆପଣଙ୍କ ସଙ୍ଗଠନ ‘ନବଦାନିଆ’ କାମ କରୁଛି। କେତେ ସଫଳ ହୋଇଛି ଆପଣଙ୍କର ଏ ଉଦ୍ୟମ?
ମୁଁ ଏବେ ଶାନ୍ତିରେ ମରିପାରିବ। କାରଣ ଯାହା ମୁଁ ଆରମ୍ଭ କରିଥିଲି, ଆଜି ସାରା ଦେଶରେ ତାହା ଏକ ଆନ୍ଦୋଳନର ରୂପ ନେଇଛି। ୧୯୮୭ ମସିହାରୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଚାଷୀଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରଶିକ୍ଷଣ ଦେଇଛି। ପାଖାପାଖି ୧ କୋଟି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଛି। ଏବେ ସାରା ଦେଶରେ ମୋର ପ୍ରୟାସ ପ୍ରତିଫଳିତ ହେବାରେ ଲାଗିଛି।
ସାରା ଦେଶରେ ୧୫୦ରୁ ଅଧିକ କିସମର ବିହନ ସଂଗ୍ରହାଳୟ ପ୍ରତିଷ୍ଠା କରିବାରେ ଆପଣ ସକ୍ଷମ ହୋଇଛନ୍ତି।
ଆମେ ଯଦି ଏବେଠୁ ରାସ୍ତା ନ ବଦଳାଇବା, ତେବେ ଆଗାମୀ ଦିନରେ ବଡ଼ ବିପର୍ଯ୍ୟୟ ନିଶ୍ଚିତ। ତେଣୁ ବଞ୍ଚିବାକୁ ହେଲେ ଆମକୁ ଜୈବିକ ପଦ୍ଧତିର ରାସ୍ତା ଆପଣେଇବାକୁ ହେବ। ଆଜି ପର୍ଯ୍ୟନ୍ତ ଛୋଟବଡ଼ ମିଶି ସାରା ଭାରତରେ ୧୫୦ ବିହନ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରିଛି। ବଡ଼ ବିହନ ସଂଗ୍ରହାଳୟ ଡେରାଡୁନ୍ ଓ ବାଲେଶ୍ବରରେ ରହିଛି। ବାଲେଶ୍ବରର କୁସୁମ ମିଶ୍ର ଓ ଡ.ଅଶୋକ ପାଣିଗ୍ରାହୀ ଏଥିପାଇଁ ଧନ୍ୟବାଦର ପାତ୍ର। ଆଗାମୀ ୧୦ ବର୍ଷ ଭିତରେ ୧ ହଜାରରୁ ଅଧିକ ବିହନ ସଂଗ୍ରହାଳୟ ପ୍ରତିଷ୍ଠା ଲକ୍ଷ୍ୟ ରହିଛି।
ଭାରତ ସରକାର ଓ ବିଦେଶରେ ଅନେକ ଅନୁଷ୍ଠାନରେ ଆପଣ ଉପଦେଷ୍ଟା ଭାବେ କାମ କରୁଛନ୍ତି। ଏତେ ସବୁ କାମକୁ ଆପଣ କେମିତି ସମୟ ଦିଅନ୍ତି?
ମୁଁ ପ୍ରକୃତି ଓ ମାଟି ମାକୁ ଭଲ ପାଏ। ସେବା ଭାବନା ସହିତ ଉତ୍ସାହ, ଆବେଗ ରହିଲେ ସବୁକିଛି ମ୍ୟାନେଜ୍ ହୋଇପାରିବ।
ପରିବେଶ ଉପରେ ଆପଣ ଲେଖିଛନ୍ତି ୨୪ରୁ ଅଧିକ ଗବେଷଣାଧର୍ମୀ ପୁସ୍ତକ। ଅନ୍ତର୍ଜାତୀୟ ‘ରାଇଟ୍ ଲାଇଭ୍ଲି ଆୱାର୍ଡ, ଯାହାକୁ ‘ନୋବେଲ୍ ପୁରସ୍କାର’ ସହ ତୁଳନା କରାଯାଏ; ତାହା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଛି। ‘ସିଡ୍ନୀ ପିସ୍ ପ୍ରାଇଜ୍’, ମିରୋଦୀ ପ୍ରାଇଜ୍, ‘ଫୁକୌକା ଏସିଆନ୍ କଲ୍ଚର’ ପ୍ରାଇଜ୍ ସମେତ ଏକାଧିକ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ଏସବୁ ଆପଣଙ୍କୁ କେତେ ଉତ୍ସାହିତ କରିଛି?
ସମ୍ମାନକୁ ଶ୍ରଦ୍ଧାର ସହ ନେଇଥାଏ। ଗାଳିକୁ ବି ମୁଁ ଗୋଟିଏ ପୁରସ୍କାର ଭାବେ ଗ୍ରହଣ କରେ। ଏସବୁରୁ ମୁଁ ଶିଖିଥାଏ, ଆଉ ଆଗକୁ ବଢ଼େ। ଅନେକ ବହୁରାଷ୍ଟ୍ରୀୟ କମ୍ପାନି ମୋର ଏ ପ୍ରୟାସକୁ ପ୍ରଭାବିତ କରିବା ଲାଗି ପଛରେ ଲାଗିଛନ୍ତି। ହେଲେ ମୁଁ ଏଥିରେ ଆଦୌ ବିଚଳିତ ହୁଏ ନାହିଁ। କାରଣ ଭାରତବାସୀଙ୍କ ମୋ ପ୍ରତି ରହିଛି ଅକୁଣ୍ଠ ସମର୍ଥନ।