ଭୁବନେଶ୍ବର: ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ଦୁଇ ଦେଶର ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବ। ବିଶ୍ୱ ଆହ୍ୱାନର ସମାଧାନ ପାଇଁ ଜ୍ଞାନକୌଶଳର ଉପଯୋଗ କରିପାରିବ। ଛାତ୍ରଛାତ୍ରୀଙ୍କ ପାଇଁ ଇନୋଭେସନ ଏବଂ ଉଦ୍ୟମିତା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ। ବିଶ୍ୱ-ବନ୍ଧୁ ହିସାବରେ ଭାରତ ମାନବ କେନ୍ଦ୍ରୀତ ବିକାଶରେ ବିଶ୍ୱସ୍ତ ଅଂଶୀଦାର ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅଷ୍ଟ୍ରେଲିଆର ମେଲବର୍ଣ୍ଣଠାରେ ଆୟୋଜିତ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଶ୍ରୀ ପ୍ରଧାନ ଯୋଗଦେବା ସହ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୁଦୃଢ଼ ଏବଂ ବିକଶିତ ଭାଗିଦାରୀକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଏହି ଦ୍ୱିପାକ୍ଷିକ ସହଯୋଗ ଉଭୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ। ଚତୁର୍ଥ ଶିଳ୍ପ ବିପ୍ଳବରେ ଏପରି ଶିକ୍ଷା ହେବା ଆବଶ୍ୟକ, ଯେଉଁ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟାର ସୃଷ୍ଟିକର୍ତ୍ତା ଏବଂ ଓ ପରିଚାଳକ ହେବା ପାଇଁ ପ୍ରସ୍ତୁତ କରିବ। ଭାରତର ଜାତୀୟ ଶିକ୍ଷା ନୀତି ପରିବର୍ତ୍ତିତ ଚାକିରି ବଜାର ସହ ଯୋଡ଼ି ହେବା ପାଇଁ ଡିଜିଟାଲ ସାକ୍ଷରତା, ସଫ୍ଟ ସ୍କିଲ୍, କ୍ରିଟିକାଲ ଥିଙ୍କିଂ ଏବଂ ଇଣ୍ଟରଡିସିପ୍ଲିନାରି ଷ୍ଟଡିଜ୍ ଉପରେ ଗୁରୁତ୍ୱାରୋପ କରି ଏକ ଢାଞ୍ଚା ପ୍ରଦାନ କରିଛି। ଶିକ୍ଷା କ୍ଷେତ୍ରରେ ସହଯୋଗ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ମୂଳଦୁଆ ବୋଲି ଶ୍ରୀ ପ୍ରଧାନ କହିଥିଲେ।
‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ୍ କ୍ଲେୟାର ତାଙ୍କ ଅଭିଭାଷଣରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୩୫ ସୁଦ୍ଧା ବିଶ୍ୱର ପ୍ରତି ଚାରି ଜଣଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟ ଡିଗ୍ରି ହାସଲ କରିଥିବା ଜଣେ ବ୍ୟକ୍ତି ଭାରତୀୟ ହେବେ। ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ସହକାରୀ ମନ୍ତ୍ରୀ ଟିମ୍ ୱାଟ୍ସଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଭିକ୍ଟୋରିଆର ପ୍ରିମିୟର ଜେସିଣ୍ଟା ଆଲାନଙ୍କୁ ଭେଟିଥିଲେ। ପରେ ସେ ଅଷ୍ଟ୍ରେଲିଆର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ।