ବାରବାଟୀରେ ଲଙ୍କା ଦଳନ

୯୩ ରନ୍‌ରେ ଜିତିଲା ଭାରତ

ଟି-୨୦ରେ ଭାରତର ସର୍ବବୃହତ ବିଜୟ
୮୭ ରନ୍‌ରେ ଶ୍ରୀଲଙ୍କା ସଫା
ଚହଲ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

କଟକ : ଆଜି ବାରବାଟୀରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ୧୮୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍‌ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ୨୩ ରନ ବିନିମୟରେ ୪ ଓ୍ଵିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ ହରାଇ ଲୋକେଶ ରାହୁଲଙ୍କ ୬୧ ସହାୟତାରେ ୧୮୦ ରନ୍‌ କରିଥିଲା। ୧୮୧ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚହଲ, ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଶ୍ରୀଲଙ୍କା ବ୍ୟାଟିଂକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିଲେ। ଫଳରେ ଶ୍ରୀଲଙ୍କା ଇନିଂସ ମାତ୍ର ୧୬ ଓଭରରେ ୮୭ ରନରେ ସୀମିତ ରହିଥିଲା।

ମ୍ୟାଚ ଆରମ୍ଭରେ କାକର ସମସ୍ୟାକୁ ନଜରରେ ରଖି ଶ୍ରୀଲଙ୍କା ଅଧିନାୟକ ଥିସାରା ପେରେରା ଟସ୍‌ ଜିତି ବୋଲିଂ କରିବାକୁ ଉଚିତ୍‌ ଭାବିଥିଲେ। ମ୍ୟାଚ୍‌ରେ ବିଶ୍ୱ ଫର୍ଣ୍ଣାଣ୍ଡୋ ୭୪ତମ ଶ୍ରୀଲଙ୍କା ଖେଳାଳି ଭାବେ ଟେ୍ଵଣ୍ଟି-୨୦ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଫର୍ଣ୍ଣାଣ୍ଡୋଙ୍କୁ ବୋଲିଂ ଆରମ୍ଭ କରିବାକୁ ଅଧିନାୟକ ସୁଯୋଗ ମଧ୍ୟ ଦେଇଥିଲେ। କିନ୍ତୁ ପ୍ରଥମରୁ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଓଭରର ପ୍ରଥମ ବଲ୍‌କୁ ସେ ଫୁଲ୍‌ଟସ୍‌ ପକାଇଥିଲା ବେଳେ ରୋହିତ୍‌ ଶର୍ମା ଏଥିରୁ ଦୁଇ ରନ୍‌ ସଂଗ୍ରହ କରିଥିଲେ। ପରବର୍ତ୍ତୀ ବଲ୍‌କୁ ରୋହିତ୍‌ କଭର୍‌ ଅଞ୍ଚଳକୁ ଚୌକା ମାରି ପ୍ରଥମ ବାଉଣ୍ଡରି ନିଜ ନାମରେ କରିଥିଲେ। ପ୍ରଥମ ଓଭରରେ ଫର୍ଣ୍ଣାଣ୍ଡିସ୍‌ ୧୦ ରନ୍‌ ବ୍ୟୟ କରିଥିଲେ। ପାଖାପାଖି ୧୦ ରନ୍‌ ହାରରେ ରନ୍‌ ସଂଗ୍ରହ ହେଉଥିବାବେଳେ ପଞ୍ଚମ ଓଭରରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଥିଲା। ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ବଲ୍‌କୁ ଲଙ୍ଗ ଅନ୍‌ ଉପରେ ଛକା ମାରିବାକୁ ପ୍ରୟାସ କରି ରୋହିତ୍‌ ୩୦ ଗଜ ସୀମା ଭିତରେ ଧରା ପଡ଼ି ଯାଇଥିଲେ। ୩୮ ରନ୍‌ରେ ଭାରତ ରୋହିତଙ୍କୁ ହରାଇବା ପରେ ଷଷ୍ଠ ଓଭରରେ ରାହୁଲ୍‌ ଓ ଶ୍ରେୟସ ଆୟାର ଭାରତକୁ ୫୦ ରନ୍‌ ପାର୍‌ କରାଇଥିଲେ। ୧୦ ଓଭରରେ ଭାରତ ୧ ଓ୍ଵିକେଟ ବିନିମୟରେ ୮୪ ରନ୍‌ କରିସାରିଥିଲା ବେଳେ ଏହି ଦୁଇଜଣ ଦ୍ୱିତୀୟ ଓ୍ଵିକେଟରେ ୬୩ ରନ୍‌ ଯୋଗ କରିଥିଲେ। ତେବେ ଦଳୀୟ ରନ୍‌ ୧୦୧ ଥିଲାବେଳେ ଶ୍ରେୟସଙ୍କ ରୂପରେ ଭାରତକୁ ଦ୍ୱିତୀୟ ଝଟ୍‌କା ଲାଗିଥିଲା। ନୂଆନ୍‌ ପ୍ରଦୀପଙ୍କ ଛାତି ଉଚ୍ଚ ବଲ୍‌କୁ ଶ୍ରେୟସ୍‌ ଥାର୍ଡ ମ୍ୟାନ୍‌ ଅଞ୍ଚଳକୁ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ୍‌ ବ୍ୟାଟ୍‌ ଧାରରେ ବାଜି ଓ୍ଵିକେଟ୍‌ ରକ୍ଷକ ନିରୋଶାନ ଡିକ୍‌ଓ୍ଵାଲାଙ୍କ ହାତକୁ ଚାଲିଯାଇଥିଲା। ଆଉଟ୍‌ ହେଲା ବେଳକୁ ଶ୍ରେୟସ୍‌ ୨୦ ବଲ୍‌ରୁ ୨୪ ରନ୍‌ ସଂଗ୍ରହ କରିଥିଲେ।

ଦୁଇ ଓଭର ପରେ ରାହୁଲ୍‌ ମଧ୍ୟ ପାଭିଲିଅନ୍‌ ଫେରିଥିଲେ। ୧୪.୩ ଓଭର୍‌ରେ ପେରେରାଙ୍କ ବଲ୍‌ରେ ରାହୁଲ୍‌ ବୋଲ୍ଡ ହେବାବେଳକୁ ୪୮ ବଲ୍‌ରୁ ୬୧ ରନ୍‌ (୭ଚୌକା, ୧ଛକା) ସଂଗ୍ରହ କରିବା ସହ ଭାରତ ପାଇଁ ଦୃଢ ମୂଳଦୁଆ ପକାଇସାରିଥିଲେ। ବଳକା କାମ ମହେନ୍ଦ୍ର ସିଂହ ଧୋନି ଓ ମନୀଷ ପାଣ୍ଡେ ପୂରା କରିଥିଲେ। ଉଭୟ ଦର୍ଶକଙ୍କ ପୂର୍ଣ୍ଣମାତ୍ରାରେ ମନୋରଂଜନ କରିବା ସହ ଚତୁର୍ଥ ଓ୍ଵିକେଟରେ ୬୮ ରନ୍‌ ଯୋଗ କରିଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିବାବେଳେ ଧୋନି ୩୯* (୨୨ ବଲ, ୪ ଚୌକା, ୧ ଛକା) ଓ ମନୀଷ ୩୨*(୧୮ ବଲ, ୨ ଚୌକା, ୨ ଛକା) ରନ୍‌ ସଂଗ୍ରହ କରିଥିଲେ।

ବିଜୟ ଲକ୍ଷ୍ୟର ପିଛା କରି ଓଭର ପିଛା ୯ ରନ୍‌ ହାରରେ ରନ୍‌ ସଂଗ୍ରହ କରିବାକୁ ଥିଲେ ବି ଶ୍ରୀଲଙ୍କା କାକରର ଫାଇଦା ଉଠାଇ ପାରିନଥିଲା। ଉଭୟ ପଟୁ ପେସ୍‌ ଓ ସ୍ପିନ୍‌ ଆକ୍ରମଣ କରି ଭାରତୀୟ ବୋଲରମାନେ ସିଂହଳୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ହାତଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ। ଦ୍ୱିତୀୟ ଓଭରର ଚତୁର୍ଥ ବଲ୍‌ରେ ଡିକ୍‌ଓ୍ଵାଲା (୧୩)ଙ୍କୁ ଜୟଦେବ ଉନାଦକତ୍‌ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଉନାଦକତଙ୍କ ଧୀମା ବଲ୍‌କୁ ବୁଝିନପାରି ଡିକ୍‌ଓ୍ଵାଲା ଉଚା ସଟ୍‌ ମାରିବାକୁ ଯାଇଥିଲେ। କିନ୍ତୁ ବଲ୍‌ ଠିକ୍‌ରେ ନବାଜିବାରୁ ଏକ୍ସଟ୍ରା କଭର୍‌ ଅଞ୍ଚଳରେ ରାହୁଲ୍‌ ତାଙ୍କ କ୍ୟାଚ ନେଇଥିଲେ। ପରେ ଉପୁଲ ଥରଙ୍ଗା ଓ କୁଶଲ ପେରେରା କିଛି ସମୟ ପାଇଁ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ୟୁଜବେନ୍ଦ୍ର ଚହଲ୍‌ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ତରଙ୍ଗାଙ୍କ ଗୋଡ଼ ପଟକୁ ଚହଲ୍‌ ବଲ୍‌ ପକାଇଥିଲେ, ତାହାକୁ ମାରିବାକୁ ଯାଇ ବଲ୍‌ ତରଙ୍ଗାଙ୍କ ଗ୍ଲୋଭ୍‌ସରେ ବାଜିଥିଲା। ତେବେ ଧୋନି ଏହି କ୍ୟାଚ ହାତଛଡ଼ା କରିନଥିଲେ। ଏହାପରଠୁ ଶ୍ରୀଲଙ୍କାର ଓ୍ଵିକେଟ ପତନ ଧାରା ଆରମ୍ଭ ହୋଇଥିଲା।

ଗୋଟିଏ ପଟରେ କୁଶଲ ରନ୍‌ କରିବାକୁ ସଂଘର୍ଷ କରୁଥିବାବେଳେ ଅନ୍ୟପଟରେ ନିୟମିତ ଅନ୍ତରାଳରେ ଓ୍ଵିକେଟ ଖସିବାରେ ଲାଗିଥିଲା। ଆଞ୍ଚେଲୋ ମାଥ୍ୟୁସ୍‌ (୧), ଆସେଲା ଗୁଣରତ୍ନେ (୪), ଥିସାରା ପେରେରା (୩)ଙ୍କୁ ଚହଲ ଆଉଟ କରି ଶ୍ରୀଲଙ୍କାର ମଧ୍ୟକ୍ରମ ବ୍ୟାଟିଂକୁ ଚୂରମାର୍‌ କରି ଦେଇଥିଲେ। ସେହିପରି ଅନ୍ୟପଟେ ଦାସୁନ ସନକା (୧)ଙ୍କୁ ଆଉଟ କରି କୁଲଦୀପ ଯାଦବ ପ୍ରଥମ ଓ୍ଵିକେଟ ନେଇଥିଲା ବେଳେ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିବା କୁଶଲ (୧୯)ଙ୍କ ରୂପରେ ସେ ଦ୍ୱିତୀୟ ସଫଳତା ପାଇଥିଲେ। ମାତ୍ର ୭୧ ରନ୍‌ରେ ଶ୍ରୀଲଙ୍କାର ପ୍ରଥମ ୭ ଓ୍ଵିକେଟ ଖସିଯାଇଥିଲା। ଚହଲ୍‌ ଓ କୁଲଦୀପ ଶ୍ରୀଲଙ୍କାର ମଧ୍ୟକ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ତାଙ୍କ ପଛକୁ ଅଖିଳ ଧନଞ୍ଜୟ (୭)ଙ୍କୁ ନିଜ ବୋଲିଂରେ କ୍ୟାଚ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଓ୍ଵିକେଟ ଖାତା ଖୋଲିଥିଲେ। ପରେ ଦୁଷ୍ମନ୍ତ ଚାମିରା (୧୨) ଓ ପଦାର୍ପଣ ମ୍ୟାଚ ଖେଳୁଥିବା ଫର୍ଣ୍ଣାଣ୍ଡୋ (୨)ଙ୍କୁ ଆଉଟ କରି ହାର୍ଦ୍ଦିକ ଭାରତକୁ ଶୃଙ୍ଖଳାର ପ୍ରଥମ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର