ଭୁବନେଶ୍ବର: ଖୁବ୍ ଶୀଘ୍ର ଓଡ଼ିଶାରେ କରୋନା ଟିକା ଉତ୍ପାଦନ ହେବ। ହାଇଦ୍ରାବାଦସ୍ଥିତ ସଂସ୍ଥା ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ (ବିବିଆଇଏଲ୍) ଭୁବନେଶ୍ବରସ୍ଥିତ ଅନ୍ଧାରୁଆରେ ଏକ ବାୟୋଟେକ୍ ପାର୍କ ନିର୍ମାଣ କରୁଛି। ଏଠାରେ ‘କୋଭାକ୍ସିନ୍’ ଟିକା ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଭାରତ ବାୟୋଟେକ୍ କରୋନା ଟିକା ‘କୋଭାକ୍ସିନ୍’ ସମେତ ବିଭିନ୍ନ ରୋଗ ପାଇଁ ୧୦ପ୍ରକାରର ଟିକା ପ୍ରସ୍ତୁତ କରିବ। ଏଥିରେ ରୋଟାଭାଇରସ୍ ଡାଏରିଆ, ମ୍ୟାଲେରିଆ ଜାପାନିଜ୍ ଏନସେଫାଲାଇଟିସ୍, ରାବିଜ୍, ପାନ୍ଡେମିକ୍ ଏନଫ୍ଲୁଏଞ୍ଜା ଟିକା ସମେତ ଔଷଧ ପ୍ରତିରୋଧକ ଷ୍ଟାଫିଲୋକୋକସ୍ ଆରିଅସ୍ ଆଦି ପ୍ରସ୍ତୁତ ହେବ। ଏଥିପାଇଁ ସଂସ୍ଥା ୩୦୦କୋଟି ଟଙ୍କା ନିବେଶ କରିବ ବୋଲି ଭାରତ ବାୟୋଟେକ୍ର ଅଧ୍ୟକ୍ଷ ଡା. କ୍ରିଷ୍ଣା ଇଲା କହିଛନ୍ତି।
ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାବେଳେ ବିବିଆଇଏଲ୍ ଅଧ୍ୟକ୍ଷ ଡା. ଇଲା ଓଡ଼ିଶାରେ କରୋନା ଟିକା ଉତ୍ପାଦନ ହେବା ନେଇ ସୂଚନା ଦେଇଛନ୍ତି। ଏହାସହ କହିଛନ୍ତି ଯେ, ସବୁଠୁ ଉତ୍କୃଷ୍ଟ ଜ୍ଞାନକୌଶଳ ଏଠାରେ ବ୍ୟବହାର ହେବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିବିଆଇଏଲ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଉଛନ୍ତି, ଭବିଷ୍ୟତ ସମ୍ପ୍ରସାରଣ ପାଇଁ ମଧ୍ୟ ସବୁ ପ୍ରକାରର ସହଯୋଗ କରାଯିବ। ରାଜଧାନୀରେ ଯେପରି ଟିକା ଉତ୍ପାଦନ ଯଥାସମ୍ଭବ ଶୀଘ୍ର ହେବ ସେଥିପାଇଁ ଆସନ୍ତା ୧୫ଦିନ ମଧ୍ୟରେ ବାୟୋଟେକ୍ ପାର୍କ ନିର୍ମାଣ କାମ ଆରମ୍ଭ କରିବାକୁ ବିବିଆଇଏଲ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧାରୁଆରେ ପ୍ରଥମ ପର୍ଯ୍ୟାୟରେ ବାୟୋଟେକ୍ ପାର୍କ ସମେତ ‘ଷ୍ଟେଟ୍ ଅଫ୍ ଆର୍ଟ’ ବାୟୋଟେକ୍ ଇନକ୍ୟୁବେସନ୍ ସେଣ୍ଟର, ଆଇଟି କରିଡର ଆଦି ନିର୍ମାଣ କରିବା ସହ ସ୍ଥାନୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
ଇଡ୍କୋ ସିଏମ୍ଡି ସଞ୍ଜୟ ସିଂହ କହିଥିଲେ ଯେ, ବାୟୋଟେକ୍ ପାର୍କ ପାଇଁ ଜମି ଉପଲବ୍ଧ ଅଛି। ବିଲ୍ଡିଂ ପ୍ଲାନ୍ ଓ ଡିଜାଇନ୍କୁ ବି ଅନୁମୋଦନ କରାଯାଇଛି। ଖୁବ୍ଶୀଘ୍ର ଏହାର ଶିଳାନ୍ୟାସ କରାଯିବ। ଏଥିରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ କହିଥିଲେ ଯେ, ବାୟୋଟେକ୍ ପାର୍କ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାରର ଏନ୍ଓସି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ମିଳିସାରିଛି।
ସୂଚନାଯୋଗ୍ୟ ଯେ, ବିବିଆଇଏଲ୍ ଅନ୍ଧାରୁଆରେ ବାୟୋଟେକ୍ ପାର୍କ ନିର୍ମାଣ କରିବା ପାଇଁ ୨୦୧୦ ମସିହାରୁ ପ୍ରକ୍ରିୟା ଆରମ୍ଭ କଲାଣି। ଅଗଷ୍ଟ ୨୬, ୨୦୧୦ରେ ବିବିଆଇଏଲ୍, ହାଇଦ୍ରାବାଦ ଏବଂ ଇଡ୍କୋ ମଧ୍ୟରେ ଏକ ଲିଜ୍ କମ୍ ଡେଭଲପମେଣ୍ଟ ଏଗ୍ରିମେଣ୍ଟ (ଏଲ୍ଡିଏ) ସ୍ବାକ୍ଷର ହୋଇଥିଲା। ଏହି ଏଲ୍ଡିଏ ଅନୁଯାୟୀ, ସମସ୍ତ ବୈଷୟିକ ଅନୁମୋଦନ ପାଇବାର ୬୦ଦିନ ମଧ୍ୟରେ ପାର୍କ ନିର୍ମାଣ ହେବ। ହେଲେ ବିବିଏଆଇଏଲ୍ ଧାର୍ଯ୍ୟ ସମୟରେ ପାର୍କ ନିର୍ମାଣ କାମ ଆରମ୍ଭ ନକରିବାରୁ ସେପ୍ଟେମ୍ବର, ୨୦୧୪ରେ ଏଲ୍ଡିଏ ରଦ୍ଦ କରିବାକୁ ଇଡ୍କୋ ନୋଟିସ୍ କରିଥିଲା। ଏହାପରେ ନଭେମ୍ବର ୨୦, ୨୦୧୪ରେ ବିବିଆଇଏଲ୍ ଇଡ୍କୋକୁ ଚିଠି ଲେଖି ଏକ ଶେଷ ସୁଯୋଗ ଦେବାକୁ କହିଥିଲା। ନଭେମ୍ବର ୨୦, ୨୦୧୪ରେ ବସିଥିବା ଏମପାୱାରଡ କମିଟି ଅନ୍ ଇନଫ୍ରାଷ୍ଟ୍ରକଚର୍ (ଇସିଆଇ)ବିବିଆଇଏଲ ସହ ହୋଇଥିବା ଏଲ୍ଡିଏକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଓବିପିପିଏଲ୍ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଓ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଇଡ୍କୋ ସିଏମ୍ଡି ଜାନୁଆରି ୨୮, ୨୦୧୫ରେ ବସିଥିବା ବୈଠକରେ ଓବିପିପିଏଲ୍ ବାୟୋଟେକ୍ ପାର୍କର ବିକାଶ ପାଇଁ ଏକ ସଂଶୋଧିତ ଧାର୍ଯ୍ୟ ସମୟ ଉପସ୍ଥାପନ କରିଥିଲେ। ଏହି ସଂଶୋଧିତ ଧାର୍ଯ୍ୟ ସମୟ ଇଡ୍କୋ ବୋର୍ଡର ୧୦୦ତମ ବୈଠକରେ ଅନୁମୋଦନ ପାଇଥିଲା। ନଭେମ୍ବର ୨୦୨୦ ସୁଦ୍ଧା ବିବିଆଇଏଲ୍କୁ ସମସ୍ତ ପ୍ରକାରର ଅନୁମତି ମିଳିଥିବାବେଳେ ପାର୍କ ନିର୍ମାଣ କାମ ଚାଲିଛି। ଅପରପକ୍ଷେ ଏବେ ପାର୍କ ନିର୍ମାଣ କାମ ଚାଲିଥିବାବେଳେ କେବେ ଏହା ସରିବ, କେବେ ଟିକା ଉତ୍ପାଦନ ହେବ ସେନେଇ ଦ୍ବନ୍ଦ୍ବ ଉପୁଜିଛି। ଏବେ ରାଜଧାନୀବାସୀ କରୋନା ଟିକାକୁ ଅପେକ୍ଷା କରିଥିବାବେଳେ କେବେ ଭୁବନେଶ୍ବରରେ କରୋନା ଟିକା ଉତ୍ପାଦନ ହେବ ତାହାକୁ ଅପେକ୍ଷା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/vaccine-corona.jpg)