ଭୁବନେଶ୍ୱର: ପୁରୀ-ରାଉରକେଲା ସମେତ ଦେଶରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମୋଡ୍ରେ ଏହି ସେବାର ଶୁଭାରମ୍ଭ କରି କହିଲେ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରତି ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ଆରମ୍ଭ ହେବା ଦିନରୁ ଏପର୍ଯ୍ୟନ୍ତ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଟ୍ରେନ୍ଗୁଡ଼ିକରେ ଯାତ୍ରା କରିଛନ୍ତି। ନୂଆ ଉତ୍ସାହର ପ୍ରତୀକ ସାଜିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ। ଏହି ଏକ୍ସପ୍ରେସ୍ ପହଞ୍ଚୁଥିବା ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଲୋକଙ୍କୁ ସେବା ପ୍ରଦାନ କରୁଛି। ୨୦୧୪ ତୁଳନାରେ ଚଳିତବର୍ଷ ରେଳ ବଜେଟରେ ୮ ଗୁଣ ଅଧିକ ଅର୍ଥ ମଞ୍ଜୁର ହୋଇଛି। ଦୋହରୀକରଣ, ବିଦ୍ୟୁତୀକରଣ ଓ ନୂଆ ମାର୍ଗ କାର୍ଯ୍ୟ ଜାରି ରହିଛି। କିଛି ଦିନ ତଳେ ୫୦୦ରୁ ଅଧିକ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଅମୃତକାଳ ସମୟରେ ନିର୍ମିତ ଏହି ନୂତନ ଷ୍ଟେସନଗୁଡ଼ିକୁ ଅମୃତ ଭାରତ ଷ୍ଟେସନ କୁହାଯିବ ଏବଂ ଆଗାମୀ ଦିନରେ ଏହି ଷ୍ଟେସନ ନୂଆ ଭାରତର ପରିଚୟ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସ୍ ସମ୍ପର୍କରେ ମତପ୍ରକାଶ କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଓଡ଼ିଶା ପାଇଁ ଗୌରବର ଦିନ। ଏହି ଟ୍ରେନ୍ ଦ୍ୱାରା ଅନୁଗୁଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକେ ସୁବିଧା ପାଇବେ। ଗତ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରୀ-ହାୱଡା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ର ଲୋକାର୍ପଣ ହୋଇଥିଲା। ଆଗକୁ ଯଦି ସୁବିଧା ହୁଏ ତେବେ ରାୟପୁରରୁ ସମ୍ବଲପୁର ଦେଇ ପୁରୀକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ନିଶ୍ଚିତ ଚାଲିବ। ୪୨୦ କୋଟି ବ୍ୟୟରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ଚାଲିଛି। ଏଥିସହ ପ୍ରାୟ ୫୭ଟି ଷ୍ଟେସନର ଉନ୍ନତିକରଣ ପାଇଁ ୧୪୦୦ କୋଟିର ବ୍ୟୟବରାଦ ହୋଇଥିବା ସେ ସୂଚନା ଦେଇଥିଲେ।
ପୁରୀ-ରାଉରକେଲା ସମେତ ୯ଟି ଏକ୍ସପ୍ରେସ୍ର ଶୁଭାରମ୍ଭ
ବନ୍ଦେ ଭାରତରେ ଯାତ୍ରା କଲେଣି ୧.୧୧ କୋଟି: ମୋଦୀ
ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଇବାକୁ ଦାବି
ଟ୍ରେନ୍ରେ ଅନୁଗୁଳ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଯୋଗଦେଇ ବଲାଙ୍ଗୀର-କଳାହାଣ୍ଡି-କୋରାପୁଟ-ନୂଆପଡ଼ାକୁ ଯୋଡ଼ି ପୁରୀରୁ ରାୟପୁର ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବାକୁ ଦାବି ରଖିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୧୪ ପରେ ରେଳ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ। ସାଂସଦ ସୁଲତା ଦେଓ ଓଡ଼ିଶାର ସମସ୍ତ ଜିଲ୍ଲାକୁ ରେଳପଥ ସଂଯୋଗ ଉପରେ ମତପ୍ରକାଶ କରିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଭଡ଼ା ହ୍ରାସ କରିବାକୁ ଦାବି ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଅନୁଗୁଳକୁ ଯାତ୍ରା କରିଥିଲେ। ପୁରୀ-ରାଉରକେଲା ବ୍ୟତୀତ ଉଦୟପୁର-ଜୟପୁର, ତିରୁନେଲଭେଲି-ମଦୁରାଇ-ଚେନ୍ନାଇ, ହାଇଦ୍ରାବାଦ-ବେଙ୍ଗାଲୁରୁ, ବିଜୟୱାଡା-ଚେନ୍ନାଇ(ଭାୟା ରେନିଗୁଣ୍ଟା), ପାଟନା-ହାୱଡା, କାସରଗୋଡ-ତିରୁଅନନ୍ତପୁରମ୍, ରାଞ୍ଚି-ହାୱଡା, ଜାମନଗର-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଆସନ୍ତା ୨୭ ତାରିଖଠାରୁ ଶନିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ନିୟମିତ ଭାବେ ଚଳାଚଳ କରିବ। ଏହି ଟ୍ରେନ୍ ୭ ଘଣ୍ଟା ୪୫ ମିନିଟ୍ରେ ୫୦୫ କିମି ଦୂରତା ଅତିକ୍ରମ କରିବ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍(୨୦୮୩୬) ଭୋର ୫ଟାରେ ପୁରୀରୁ ବାହାରି ଅପରାହ୍ଣ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ସମୟରେ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍(୨୦୮୩୫) ଅପରାହ୍ଣ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଓ ଝାରସୁଗୁଡ଼ା ଷ୍ଟେସନରେ ଏହି ଟ୍ରେନ୍ ରହଣି କରିବ।