କେନ୍ଦୁଝର: ଦିନକୁ ଦିନ ପୃଥିବୀର ପରିବେଶ ନଷ୍ଟ ହେବାକୁ ବସିଛି। ଧ୍ବଂସାଭିମୁଖୀ ପୃଥିବୀକୁ କେବଳ ଭାରତ ସୁରକ୍ଷା ଦେଇ ପାରିବ ବୋଲି କେନ୍ଦୁଝର ସାଂସଦ ଅନନ୍ତ ନାୟକ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ଡିମ୍ବୋସ୍ଥିତ ସିଟିଜି ମହାବିଦ୍ୟାଳୟ ପରିସରରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସମ୍ମାନିତ ଅତିଥି ଭାବେ କେନ୍ଦୁଝର ପୌର ଅଧ୍ୟକ୍ଷା ନିକୁ ସାହୁ, ଅନ୍ୟତମ ସମ୍ମାନିତ ଅତିଥି ପରିବେଶବିତ୍‌ ତଥା ଅବସରପ୍ରାପ୍ତ ‌ରେଞ୍ଜର ବିଜୟ ମହାନ୍ତ, ମୁଖ୍ୟବକ୍ତା ଭାବେ ସିଟିଜି ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ. ‌ରାଜେନ୍ଦ୍ର ପଲେଇ ଯୋଗ ଦେଇଥିଲେ। 

Advertisment

‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ନାୟକ କହିଥିଲେ, ଏଇ ଶତାବ୍ଦୀ ଶେଷ ବେଳକୁ ପୃଥିବୀ ହୁଏତ ଧ୍ବଂସ ହୋଇପାରେ। ଏହାର ମୁଖ୍ୟ କାରଣ ହେଉଛି ପରିବେଶ ଧ୍ବଂସ। ପୃଥିବୀକୁ କେବଳ ଭାରତ ରକ୍ଷା କରିପାରିବ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ‘ଏକ ପେଡ୍‌ ମା’କେ ନାମ’ କାର୍ଯ୍ୟକ୍ରମରେ ଗଛ ଲଗାଇ ପରିବେଶ ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ସମସ୍ତ ଜୀବଜନ୍ତୁ ପ୍ରକୃତି ଅନୁସାରେ ଚାଲିଛନ୍ତି। ମଣିଷ ପ୍ରକୃତିର ନିୟମ ନ ମାନି ନିତିଦିନ ଏହାକୁ ଧ୍ବଂସ କରି ଚାଲିଛି। ‌‌ଯେତେବେଳେ ଏହି ଧ୍ବଂସଲୀଳା ଅଧିକ ହେବ, ପ୍ରକୃତି ତାଣ୍ଡବ ଦେଖାଇବ, ଯାହା ଆମ ନିୟନ୍ତ୍ରଣରେ ନ ଥିବ। ତେଣୁ ବେଦ-ପୁରାଣ ଅନୁସାରେ, ଆମେ ସବୁବେଳେ ପ୍ରକୃତି ପୂଜା କରି ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ। 
ଅନ୍ୟତମ ଅତିଥି ଅବସରପ୍ରାପ୍ତ ରେଞ୍ଜର ବିଜୟ ମହାନ୍ତ କହିଥିଲେ, ଦିନକୁ ଦିନ ପରିବେଶ ଉତ୍ତପ୍ତ ହେବାରେ ଲାଗିଛି। କଳକାରଖାନାରୁ ନିର୍ଗତ ଧୂଆଁ, ବ୍ୟାପକ ଗାଡ଼ି ଚଳାଚଳ, ବୃକ୍ଷଛେଦନ ଏହାର ମୁଖ୍ୟ କାରଣ। ଏହାକୁ ସୁଧାରିବା ଲାଗି ଆମେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ।

କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପରିବେଶ ସୁରକ୍ଷା ଦିଗରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ଏବଂ ସାଧାରଣ ଲୋକ ‘ଏକ ପେଡ୍‌ ମା’ କେ ନାମ’ରେ କିଭଳି ସାମିଲ ହୋଇଛନ୍ତି, ତାହା କହିଥିଲେ। ମୁଖ୍ୟବକ୍ତା ତଥା ସିଟିଜି ଫାଉଣ୍ଡେସନ୍‌ର ଚେୟାରମ୍ୟାନ ଡ. ରାଜେନ୍ଦ୍ର ପଲେଇ ବୃକ୍ଷରୋପଣକୁ ସମସ୍ତେ ଜୀବନର ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ବୃକ୍ଷରୁ ଆମେ ଫଳଫୁଲ, ଡାଳଠୁ ଆରମ୍ଭ କରି ଛାଇ ପାଇଥାଉ। ତେଣୁ ବୃକ୍ଷ ସୁରକ୍ଷା ଦିଗରେ ସମସ୍ତେ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସିଟି ରିପୋର୍ଟର ସୁଧାଂଶୁ ଶେଖର ସାହୁ, ବିଜ୍ଞାପନ ଅଧିକାରୀ ପାର୍ଥସାରଥୀ ନାୟକ, ସାମ୍ବାଦିକ ହେମନ୍ତ ମହାରଣା, ଅଭୟ କୁମାର ମହାନ୍ତି, ସିଟିଜିର ଆୟୁଷୀ ପଲ, ରାଜୀବ ରଞ୍ଜନ ପଲେଇ, ସତ୍ୟମ ଦାସ, ମମତାମୟୀ ଜେନା, ସ୍ମୃତିମୟୀ ସାହୁ, ସୌମ୍ୟରଞ୍ଜନ ରାଜ, ନିକିତା ପଲେଇ ସହଯୋଗ କରିଥିଲେ।