‘ଭାରତ-କାନାଡ଼ା ସମ୍ପର୍କ ବିଗିଡ଼ିଛି’: ଚୀନ୍‌-ପାକ୍‌ ପ୍ରସଙ୍ଗରେ ସାଲିସ୍‌ର ପ୍ରଶ୍ନ ଉଠୁନି

ଅଭିଯୋଗର ପ୍ରମାଣ ଦେବାକୁ କାନାଡ଼ା ସରକାର କୁନ୍ଥକୁନ୍ଥ: ଜୟଶଙ୍କର

ଭୁବନେଶ୍ବର: କାନାଡ଼ାର ବ୍ରିଟିସ କଲମ୍ବିଆରେ ଗତବର୍ଷ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲା ଗମ୍ଭୀର ରୂପ ନେଇଛି। ଗତକାଲି ଏହି ମାମଲାରେ ସଂପୃକ୍ତ ହିଟ୍ ସ୍କ୍ବାଡ୍‌ର ତିନି ସଦସ୍ୟଙ୍କୁ କାନାଡ଼ା ପୁଲିସ ଗିରଫ କରିଛି। ଏଥିସହିତ ଏହି ଘଟଣାଟି ନୂଆ ମୋଡ଼ ନେଇଛି। ଠିକ୍ ଏହି ସମୟରେ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି।ପାଦକମାନଙ୍କ ସହ ମତ ବିନିମୟ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଏଯାଏ କାନାଡ଼ା କେବଳ ସବୁ କଥାରେ କହି ଆସୁଛି। ଭାରତ କିନ୍ତୁ ପ୍ରମାଣ ମାଗୁଛି। ଆମେ ଅପେକ୍ଷା କରୁଛୁ, ସେମାନଙ୍କ ପୁଲିସ ଅଧିକ ତଦନ୍ତ କରି ତଥ୍ୟ ଦେବ। ତେବେ ଏକଥା ସମସ୍ତେ ଜାଣିବା ଉଚିତ୍‌ ଯେ ଭା‌ରତ ଏବଂ କାନାଡ଼ା ମଧ୍ୟରେ ଗତ କିଛିମାସ ହେଲା କୂଟନୈତିକ ସଂପର୍କ ବିଗିଡ଼ିଛି। ଏହି ସଂପର୍କ ଖରାପ ହେବା ପଛରେ କାନାଡ଼ାର ଆଭ୍ୟନ୍ତରୀଣ ରାଜନୀତି ଏକ କାରଣ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତ ପ୍ରଶ୍ନ ହେବାରୁ ଜୟଶଙ୍କର କହିଲେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଦେଶର ମୁଖ୍ୟମାନେ ‌ଯଥେଷ୍ଟ ସମ୍ମାନ ଦେଇଥାନ୍ତି। ନିକଟରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଆମ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବସ୍‌ ବୋଲି କୁହନ୍ତି। ମୋଦୀଙ୍କ ଲୋକପ୍ରିୟତା ୧୦ ବର୍ଷ ପରେ ମଧ୍ୟ କିଭଳି ୬୫ ପ୍ରତିଶତରୁ ଉପରେ ରହିଛି ତାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମୋଦୀଙ୍କ ଲୋକପ୍ରିୟତା ପଛର ରହସ୍ୟ କ’ଣ ସେ ଜାଣିବାକୁ ଚାହିଛନ୍ତି। ବିଶ୍ବରେ ଭାରତର ଭାବମୂର୍ତ୍ତି ବାସ୍ତବରେ ଏତେ ଉପରେ ରହିଛି ଯେ ଯାହା ପୂର୍ବରୁ କେବେ ଦେଖାଦେଇ ନଥିଲା।

ହେଲେ କାନାଡ଼ା ଏକ ବ୍ୟତିକ୍ରମ। ବିଭିନ୍ନ ଦେଶର ମୁଖ୍ୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରୁଛନ୍ତି। ଅସଲ କଥା ହେଲା, ଖାଲିସ୍ତାନୀ ଚିନ୍ତାଧାରାର କିଛି ବ୍ୟକ୍ତି କାନାଡ଼ାର ଗଣତନ୍ତ୍ରଙ୍କୁ ବ୍ୟବହାର କରୁଛନ୍ତି। ସେଠାରେ ଲବି ସୃଷ୍ଟି କରି ତାହାକୁ ଭୋଟବ୍ୟାଙ୍କ୍‌ରେ ପରିଣତ କରିଛନ୍ତି। ସେଠାରେ କିଛି ରାଜନୈତିକ ଦଳ ଅନୁଭବ କରୁଛନ୍ତି ଯେ ଏହି ଖାଲିସ୍ତାନୀ ଆଦର୍ଶବାଦୀମାନେ ହେଉଛନ୍ତି ସେମାନଙ୍କର ଭୋଟବ୍ୟାଙ୍କ। ଏଣୁ ଏହାକୁ ସୁରକ୍ଷା ଦେବାକୁ ଯାଇ ଯାବତୀୟ ଅଘଟଣ ଘଟୁଛି। ଆହୁରି ବଡ଼ କଥା ହେଲା, ସେଠାରେ ଶାସକ ଦଳର ସଂସଦରେ ସଂଖ୍ୟାଗରିଷ୍ଠତା ନାହିଁ। କିଛି ଦଳ ଖାଲିସ୍ତାନ ସପକ୍ଷବାଦୀ ନେତାଙ୍କ ଉପରେ ନିର୍ଭରଶୀଳ। ଆମେ ସେମାନଙ୍କୁ ବାରମ୍ବାର ବୁଝାଇଛୁ ଯେ ଯେଉଁମାନେ ସେମାନଙ୍କ ପାଇଁ, ଆମ ପାଇଁ ଏବଂ ଦୁଇ ଦେଶର ସଂପର୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଭିସା ଦିଅନାହିଁ। ଆଇନଗତ ମାନ୍ୟତା ଦିଅନାହିଁ କିମ୍ବା ରାଜନୈତିକ ସ୍ଥାନ ମଧ୍ୟ ଦିଅନାହିଁ। କିନ୍ତୁ କାନାଡ଼ା ସରକାର କିଛି କରୁନାହାନ୍ତି। ୨୫ ଜଣଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ କରିଥିବା ଆବେଦନ ଉପରେ କାନାଡ଼ା କିଛି ପଦକ୍ଷେପ ନେଉନାହିଁ। ଏହି ବ୍ୟକ୍ତିମାନେ ମୁଖ୍ୟତଃ ଖାଲିସ୍ତାନୀ ଏବଂ ଅନ୍ୟ ଆଦର୍ଶବାଦୀ। କାନାଡା ସରକାର ସେମାନଙ୍କ ବିରୋଧରେ ନା କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ଭାରତକୁ କୌଣସି ପ୍ରମାଣ ଦେଉଛି। ଏପରିକି ସେଠାକାର ପୁଲିସ ଏଜେନ୍ସି ମଧ୍ୟ ଆମକୁ ସହଯୋଗ କରୁନାହିଁ। ଭାରତକୁ ଦୋଷ ଦେବା ସେମାନଙ୍କର ରାଜନୈତିକ ବାଧ୍ୟବାଧକତା। କାନାଡ଼ାରେ ଆଗକୁ ନିର୍ବାଚନ ଆସୁଛି। ସେମାନେ ଭୋଟ୍‌ବ୍ୟାଙ୍କ ରାଜନୀତିରେ ବୁଡ଼ିରହି ଭାରତକୁ ବଦନାମ କରୁଛନ୍ତି ବୋଲି ଜୟଶଙ୍କର କହିଥିଲେ।

ଭୁବନେଶ୍ବର: ଚୀନ ହେଉ କି ପାକିସ୍ତାନ, ଯଦି ଭାରତ ଆଡ଼କୁ ପାଦେ ଆସିବେ, ଆମେ ବି ପାଦେ ମାଡ଼ିଯିବୁ। ପରିସ୍ଥିତି ଯାହା ଆବଶ୍ୟକ କରିବ, ମୋଦୀ ସରକାର ସୁରକ୍ଷା କ୍ଷେତ୍ରରେ ତାହା କରିବାକୁ ପଛଘୁଞ୍ଚା ଦେବେ ନାହିଁ। ସୀମା ସୁରକ୍ଷା ପ୍ରସଙ୍ଗରେ ଆଜି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏଭଳି ଢଙ୍ଗରେ ଜବାବ ରଖିଛନ୍ତି। ଭୁବନେଶ୍ବର ଠାରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଭେଟିବା ସମୟରେ ପଡ଼ୋଶୀ ପାକିସ୍ତାନ, ଚୀନ, ନେପାଳ ଠାରୁ ଆରମ୍ଭ କରି କାମ୍ବୋଡ଼ିଆ ଆଦି ଦେଶରେ ଭାରତୀୟମାନଙ୍କୁ ନେଇ ଦେଖାଦେଇଥିବା ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପାକିସ୍ତାନ ପ୍ରସଙ୍ଗରେ ଜୟଶଙ୍କର କହିଥିଲେ, ମୋଦୀ ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଆମେ ସବୁକିଛି ସହୁଥିଲୁ। ଆମେ ଅଲଗା ପଟ ଗାଲ ଦେଖାଉଥିଲୁ। ଆମେ ପଦକ୍ଷେପ ନେଉନଥିଲୁ। କିନ୍ତୁ ମୋଦୀ ଆସିବା ପରେ ସେଥିରେ ପରିବର୍ତ୍ତନ ଆସିଛି। ଆପଣ ଉରି, ବାଲାକୋଟ ଘଟଣା ଆଦି ଦେଖିଲେ। ତେଣୁ ଆମେ ଆଜି ଏହା ସ୍ପଷ୍ଟ କରିଦେଇଛୁ ଯେ ଆତଙ୍କବାଦ ଏବଂ ପାକିସ୍ତାନ ଓ ଚୀନ୍‌ ପଟୁ ଯେକୌଣସି ପ୍ରକାର ବିପଦର ଉପଯୁକ୍ତ ଜବାବ ଭାରତ ଦେବ।

ଚୀନ୍‌ ସଂପର୍କରେ ଜୟଶଙ୍କର କହିଥିଲେ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ବହୁସଂଖ୍ୟକ ସୈନ୍ୟ ମୁତୟନ କରି ଗତ ୪ ବର୍ଷ ହେଲା ଆମ ଉପରେ ଚାପ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଆମେ ଏହାର କଡ଼ା ଜବାବ ଦେଇଛୁ। ଆଜି ହଜାର ହଜାର ଭାରତୀୟ ଯବାନ ଚୀନ ସୀମା ନିକଟରେ ମୁତୟନ ହୋଇଛନ୍ତି। ଆମର ଚିନ୍ତାଧାରା ଅତ୍ୟନ୍ତ ସ୍ପଷ୍ଟ। ଆମେ ସେଠାରେ ଅଛୁ, ଦୃଢ଼ ଅଛୁ। ପରିସ୍ଥିତି ଅନୁସାରେ ଯାହା କିଛି ପଦକ୍ଷେପ ନେବାକୁ ହେବ ଆମର ସେନାବାହିନୀ ସେ ସଂପର୍କରେ ଉଚିତ ପଦକ୍ଷେପ ନେବେ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମୋଦୀ ସରକାର ଆଦୌ ସାଲିସ କରିବେ ନାହିଁ। ସେହିଭଳି ନେପାଳ ସରକାର ତାଙ୍କ ଦେଶର ୧୦୦ ଟଙ୍କିଆ ନୋଟ୍‌ ଯେଉଁଥିରେ ଭାରତ ସହିତ ବିବାଦୀୟ ଅଞ୍ଚଳର ମାନଚିତ୍ର ରହିଛି ତାହାକୁ ଛାପିବା ପାଇଁ ନେଇଥିବା ନିଷ୍ପତ୍ତି ସଂପର୍କରେ ଜୟଶଙ୍କର କହିଲେ, ‌ଏହି ଏକପାଖିଆ ଘଟଣା ବାସ୍ତବ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆଣିବନାହିଁ। ଶୁକ୍ରବାର ନେପାଳ ସରକାର ୧୦୦ ଟଙ୍କିଆ ନୂଆ ନୋଟ୍‌ ଛାପିବା ପାଇଁ ଘୋଷଣା କରିଛନ୍ତି, ଯେଉଁଥିରେ ଲିପୁଲେଖ, ଲିମ୍ପିଆଧୁରା ଏବଂ କାଲାପାଣି ଭଳି ବିବାଦୀୟ ଅଞ୍ଚଳ ସ୍ଥାନ ପାଇବ। ଭାରତ ନେପାଳର ଏଭଳି ମାନଚିତ୍ରକୁ ‘କୃତ୍ରିମ ବିସ୍ତାର’ ଏବଂ ‘ଅସମର୍ଥନୀୟ’ ବୋଲି ପୂର୍ବରୁ କହିଆସୁଛି। ସାଇବର ଅପରାଧ କାର୍ଯ୍ୟ ସଂପାଦନ ପାଇଁ କାମ୍ବୋଡ଼ିଆରେ ଅନେକ ଭାରତୀୟ ବନ୍ଧା ପଡ଼ିଥିବା ଶୀର୍ଷକ ପ୍ରଶ୍ନରେ ଶ୍ରୀ ଜୟଶଙ୍କର କହିଥିଲେ ଯେ ଏହି ଘଟଣା ମନ୍ତ୍ରାଳୟର ନଜରକୁ ଆସିଛି। ଦିଲ୍ଲୀରୁ ତାଙ୍କ ମନ୍ତ୍ରାଳୟ ଏବଂ କାମ୍ବୋଡିଆସ୍ଥିତ ଭାରତୀୟ ଦୂତାବାସ ଏନେଇ ସତର୍କ ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ମଧ୍ୟ ଏହି ପ୍ରସଙ୍ଗରେ କାମ୍ବୋଡ଼ିଆ ସରକାରଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର