ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ; ଆଜି ବି ସୁଗାମାହା ଗାଁକୁ ରାସ୍ତା ନାହିଁ, ରୋଗୀଙ୍କୁ ଖଟିଆ ଓ ଦୋଳା ଭରସା

ଘୁ.ଉଦୟଗିରି : ସାରା ଦେଶ ଉତ୍ସବମୁଖର। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ଅମୃତ ଉତ୍ସବ ପାଳିତ ହେଉଛି। ହେଲେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ରାସ୍ତା ନଥିବା ଗାଁ ସୁଗାମାହାକୁ ଦେଖିଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ ବିଗତ ୭୫ ବର୍ଷ ଭିତରେ କିଭଳି ହୋଇଛି ତାହା ଅନୁମାନ କରିହେବ। ସରକାର ଗାଁ’ର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ତଥାପି ଆଜି ଏଭଳି ଅନେକ ଗାଁ ଅଛି ଯେଉଁଠିକୁ ରାସ୍ତା ନାହିଁ। ରାଜ୍ୟ ରାଜପଥ ଠାରୁ ୩ କିମି. ଦୂର ଜଙ୍ଗଲ ପାହାଡ଼ ଘେରରେ ରହିଛି ଏହି ଗାଁ। ରାସ୍ତା ନ ଥିବାରୁ ଚାଲି ଚାଲି ଯିବାକୁ ପଡ଼େ। ସୁଗାମାହା ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ମୋଟ ଜନସଂଖ୍ୟା ପ୍ରାୟ ୨୦୦ହେବ।  ଗାଁରେ ପ୍ରାୟ ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ସମସ୍ତ ଲୋକ ଚାଷ ଉପରେ ନିର୍ଭରଶୀଳ। ନିଜ ଗାଁ’କୁ ଲାଗି ଥିବା ଜମିରେ ଧାନ, ହଳଦି, କାନ୍ଦୁଲ, ଅଦା ଓ ସୋରିଷ ଚାଷ ସହ ବିନ୍‌ସ, ଫୁଲକୋବି, ମଟର ଓ ଟମାଟୋ ଭଳି ପରିବା ଚାଷ ମଧ୍ୟ କରନ୍ତି। ଏହାସହ ପାଖ ଜଙ୍ଗଲକୁ ଯାଇ ଜଙ୍ଗଲଜାତ ଦ୍ରବ୍ୟ ଯଥା ମହୁଲ, ଆମ୍ବ, ପଣସ, ଶାଳପତ୍ର ଓ ଶାଳମଞ୍ଜି ସଂଗ୍ରହ କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥା’ନ୍ତି। ହେଲେ ସୁଗାମାହା ଗ୍ରାମବାସୀଙ୍କ ଦୁଃଖ, ଗାଁ’କୁ ପକ୍କା ରାସ୍ତାଟିଏ ନାହିଁ। ନିଜ ଜମିରୁ ଉତ୍ପାଦିତ ଦ୍ରବ୍ୟ ସହରକୁ ଆଣି ବିକ୍ରି କରିବା ନିମନ୍ତେ ବହୁ ସମସ୍ୟାର ସମୁଖୀନ ହେବାକୁ ପଡୁଛି।
ରୋଗୀ କିମ୍ବା ପ୍ରସୂତି ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରନେବା ନିମନ୍ତେ ଖଟିଆ ଏବଂ ଦୋଳା ହିଁ ଏକ ମାତ୍ର ଭରସା। ନା’ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁଛି କିମ୍ବା କୌଣସି ଗାଡି। ମୁଖ୍ୟ ସଡକ ଠାରୁ ସୁଗାମାହା ପର୍ଯ୍ୟନ୍ତ ତିନି କିମି. ରାସ୍ତା ବର୍ଷକୁ ଥରେ ମନରେଗା ଯୋଜନାରେ ମାଟି ଖୋଳି ପକାହେଉଛି।  ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ପୁଣି ବର୍ଷା ହେଲେ ଖାଲୁଅକୁ ଧୋଇହୋଇ ଯାଉଛି। ପୁଣି ଆସନ୍ତା ବର୍ଷକୁ ସେହି ସମାନ ଧାରାରେ ସେହି ଯୋଜନାରେ ପୁଣି ମାଟିପକା କାମ ହେଉଛି। ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଏଭଳି ଏକ ନିୟମିତ ଧାରାରେ ଚାଲିଛି ରାସ୍ତା କାର୍ଯ୍ୟ। କାହାର ବି ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଆଗ୍ରହ ନାହିଁ। ଏନେଇ ଗ୍ରେସିଙ୍ଗିଆର ନିର୍ବାଚିତ  ହୋଇ ଆସୁଥିବା ଲୋକପ୍ରତିନିଧିଙ୍କୁ  ପଚାରିଲେ କୁହନ୍ତି ସୁଗାମାହା ଗ୍ରାମର ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ମୁଖ୍ୟ ସଡ଼କ ଠାରୁ ସୁଗାମାହା ଦେଇ ତେଲିଙ୍ଗିଆ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ୭କିମି. ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ବର୍ଷ ବର୍ଷ ଧରି କୌଣସି ଫଳ ମିଳୁନି। ବ୍ଲକ୍‌ କାର୍ଯ୍ୟାଳୟରେ ମଧ୍ୟ ଏହି ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି।  ହେଲେ ଆଜି ପର୍ଯ୍ୟନ୍ତ କାମ ହୋଇପାରିନି। ପ୍ରଶ୍ନ ଉଠୁଛି ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ଗାଁ ଲୋକ ଜଙ୍ଗଲି ଜୀବନଯାପନ କରୁଥିବା ଦେଖୁବାକୁ ମିଳୁଛି। ଆଧୁନିକତା ସ୍ପର୍ଶ କରିନି। ସରକାରୀ ସୁବିଧାରୁ ବଂଚିତ ହୋଇ ଏକ ପ୍ରକାର ଅବହେଳିତ ଅବସ୍ଥାରେ ଜୀବନଯାପନ କରୁଥିବା ବେଳେ ସରକାରୀ କାଗଜପତ୍ରରେ ଚାଲିଛି ବିକାଶ। ପ୍ରକୃତ ବିକାଶ କେବଳ ସରକାରୀ ନଥିପାତ୍ରରେ ସୀମିତ ହୋଇ ରହିଯାଇଛି।
ସମ୍ବନ୍ଧିତ ଖବର