ନୂଆଦିଲ୍ଲୀ/ଭୁବନେଶ୍ବର : ଦେଶରେ ଶସ୍ତା, ସୁରକ୍ଷିତ ଓ ସ୍ଥାୟୀ ଉର୍ଜା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜୋର୍‌ ଦେଇ ଆସୁଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଅନେକ ନୀତିଗତ ନିଷ୍ପତ୍ତି କାରଣରୁ ଦେଶରେ ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଉର୍ଜା ମହତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ଆଜି ନୂଆଦିଲ୍ଲୀଠାରେ ବିଶ୍ବ ଅର୍ଥନୀତି ଫୋରମ୍‌ ପକ୍ଷରୁ ଆୟୋଜିତ ଅର୍ଥନୀତି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉର୍ଜା ବ୍ୟବହାର କରିବା ଦିଗରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ଦେଶର ଦାରିଦ୍ର୍ୟକୁ ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଜନସାଧାରଣଙ୍କ ପାଖରେ ଉର୍ଜା ଉପଲବ୍ଧି, ଉର୍ଜା ଦକ୍ଷତା, ଉର୍ଜା ସ୍ଥିରତା, ଉର୍ଜା ସୁରକ୍ଷା ଭଳି ୪ଟି ସ୍ତମ୍ଭକୁ ଆଦୃତ କରିଛନ୍ତି।

ବିଶେଷକରି, ସାଉଦିଆରବର ତୈଳ କମ୍ପାନି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଦ୍ବ‌ାରା ବଜାରରେ ସୃଷ୍ଟି ହୋଇଥିବା ତୈଳଦର ଓ ମହଜୁଦ ତୈଳର ରପ୍ତାନି କ୍ଷେତ୍ରରେ ଅନିୟମିତତା ଯୋଗୁ ଭାରତ ସମେତ ସମସ୍ତ ତୈଳ ଆମଦାନକାରୀ ଦେଶଗୁଡ଼ିକ ସ୍ଥାୟୀ ଓ ଶସ୍ତା ଉର୍ଜାର ସ୍ରୋତକୁ ପ୍ରାଥମିକତା ଦେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ୫ ଟ୍ରିଲିୟନ୍‌ ଅର୍ଥନୀତିର ଲକ୍ଷ୍ୟ ରଖିଥିବାବେଳେ ୧୩୦ କୋଟି ଲୋକଙ୍କ ପାଇଁ ଅର୍ଥାତ୍‌ ଯେଉଁମାନଙ୍କ ମୁଣ୍ଡ ପିଛା ଉର୍ଜା ବ୍ୟବହାର ବିଶ୍ବ ହାରାହାରିଠାରୁ କମ୍‌ ସେମାନଙ୍କ ପାଇଁ ଉର୍ଜାର ଉପଲବ୍ଧି ବୃଦ୍ଧି କରିବାର ଆବଶ୍ୟକତା ରହିଛି। ୨୦୩୫ ମସିହା ସୁଦ୍ଧା ଉର୍ଜା ଆବଶ୍ୟକତା ପ୍ରତିବର୍ଷ ୪.୨ ପ୍ରତିଶତ ହାରରେ ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।