ରାଉରକେଲା: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଓଡ଼ିଶାରେ ଗଡ଼ିବାକୁ ଯାଉଛି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୩୦ ତାରିଖ ସୁଦ୍ଧା ପୁରୀ- ରାଉରକେଲା ମଧ୍ୟରେ ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍‌ ଚାଲିବ। ରେଳବାଇ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନଥିଲେ ହେଁ ପରୀକ୍ଷାମୂଳକ ରନିଂ ପାଇଁ (ଆପାତତଃ) ସମୟ, ରହଣି ଷ୍ଟେସନଗୁଡ଼ିକର ସାରଣୀ ପ୍ରକାଶ ପାଇଛି।

Advertisment

ସେପ୍‌ଟେମ୍ବର ଦ୍ବିତୀୟ ସପ୍ତାହରେ ପୁରୀ- ରାଉରକେଲା ମଧ୍ୟରେ ପରୀକ୍ଷାମୂଳକ ରନିଂ କରାଯିବ ବୋଲି ଜଣାପଡ଼ିଛି। ଆଜି ଚେନ୍ନାଇରୁ ବାହାରିଥିବା ୮ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ପୁରୀର ସାକ୍ଷୀଗୋପାଳରେ ପହଞ୍ଚିଛି। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୬ଟା ୪ ମିନିଟ୍‌ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍‌ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍‌ରେ ​ଢେଙ୍କାନାଳ, ୮ଟା ୧୪ ମିନିଟ୍‌ରେ ଅନୁଗୁଳ, ୧୦ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

ପୁନର୍ବାର ରାଉରକେଲା ଷ୍ଟେସନରୁ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ପୁରୀ ଅଭିମୁଖେ ବାହାରିବ। ଅପରାହ୍ନ ୩ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ୪ଟା ୩ ମିନିଟ୍‌ରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ୍‌ରେ ଅନୁଗୁଳ ଷ୍ଟେସନରେ ପହଞ୍ଚିବ। ୬ଟା ୫୪ ମିନିଟ୍‌ରେ ଢେଙ୍କାନାଳ, ୭ଟା ୪୨ ମିନିଟ୍‌ରେ କଟକ, ରାତି ୮ଟା ୧୫ ମିନିଟ୍‌ରେ ଭୁବନେଶ୍ବର, ୮ଟା ୩୭ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଶନିବାର ବ୍ୟତୀତ ସପ୍ତାହର ବାକି ୬ ଦିନ ଏହି ଟ୍ରେନ୍‌ ଚାଲିବ। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍‌ ନେବ। ପରୀକ୍ଷାବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।