ରାଉରକେଲା: ଗୁରୁବାର ଅପରାହ୍ନରେ ଭାରତୀୟ ଦଳ ପୋଜିସନ ମ୍ୟାଚ୍ ଖେଳିବ। ବିଶ୍ବକପ୍ ଟ୍ରଫି ଦୌଡ଼ରୁ ବାଦ୍ ପଡ଼ିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍ରେ ଜାପାନକୁ ଭେଟିବ। ଏହି ମ୍ୟାଚ୍ ଅପରାହ୍ନ ୭ଟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍କୁ ଜିତିଲେ ଭାରତୀୟ ଦଳ ନବମ ସ୍ଥାନରେ ରହିବ। ଯଦି ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୁଏ, ତା’ହେଲେ ଆସନ୍ତା ୨୮ ତାରିଖରେ ପୁନର୍ବାର ପଜିସନ ମ୍ୟାଚ୍ ଖେଳିବ।
ଅପେକ୍ଷାକୃତ ଦୁର୍ବଳ ତଥା ବିଶ୍ବ ତାଲିକାର ୧୬ତମ ସ୍ଥାନରେ ଥିବା ଜାପାନ ବିପକ୍ଷ ଏହି ମ୍ୟାଚ୍ ଭାରତ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ସନ୍ଧ୍ୟା ୭ଟାରେ ଜାପାନକୁ ଭେଟିବ ଭାରତ
ଭାରତୀୟ ଖେଳାଳିଙ୍କ ଝାଲବୁହା ଅଭ୍ୟାସ
ତେବେ ଏହି ମ୍ୟାଚ୍କୁ ଜିତି ସମ୍ମାନ ରକ୍ଷା କରିବାକୁ ଭାରତୀୟ ଖେଲାଳି ପ୍ରଚେଷ୍ଟା କରିବେ। ତେବେ ଏହି ମୁକାବିଲା ପୂର୍ବରୁ ଆଜି ଭାରତୀୟ ଖେଳାଳି ପଡ଼ିଆରେ ଝାଲବୁହା ଅଭ୍ୟାସ କରିଛନ୍ତି। ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ ଓ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆଜି ସକାଳେ ପ୍ରାୟ ୧ ଘଣ୍ଟା ଅଭ୍ୟାସ କରିଥିଲା। ଖେଳାଳିମାନେ ଷ୍ଟାଡିୟମ୍ର ମୁଖ୍ୟ ପିଚ୍ରେ ସକାଳ ସାଢ଼େ ୮ଟାରୁ ସାଢ଼େ ଟା ଯାଏଁ ଅଭ୍ୟାସ କରିଥିଲେ। ଅପରାହ୍ନରେ ମଧ୍ୟ ଦଳ ପଡ଼ିଆକୁ ଓହ୍ଲାଇଥିଲା। ଖେଳାଳିମାନେ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ପ୍ରାୟ ୮ଟା ଯାଏ ଅଭ୍ୟାସ କରିଥିଲେ। ଉଲ୍ଲେଖଯୋଗ୍ୟ, ଗୁରୁବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୋଟ୍ ୪ଟି ମ୍ୟାଚ୍ ଖେଳାଯିବ। ସକାଳ ସାଢ଼େ ୧୧ଟାରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ସେହିଭଳି ଦ୍ବିତୀୟ ମ୍ୟାଚ୍ ଅପରାହ୍ନ ୨ଟାରେ ୱେଲ୍ସ ଓ ଫ୍ୟାନ୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଅପରାହ୍ନ ସାଢ଼େ ୪ଟାରେ ଚିଲି ଓ ଆର୍ଜେଣ୍ଟିନା ଏବଂ ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ରେ ଭାରତ-ଜାପାନ ମୁହାଁମୁହିଁ ହେବେ।