ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ଦ୍ୱାଦଶ ଦିବସ । ଆଉ ମାତ୍ର ଦୁଇଦିନପରେ ସମାପ୍ତ ହେବ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଭିଲିୟନରେ କ୍ରମଶଃ ଜନଗହଳି ବଢ଼ିବାରେ ଲାଗିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଓଡ଼ିଶାରୁ ଉତ୍ପନ୍ନ ମିଲେଟ୍ରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଆରିସା, କାକରା, ନୁଡୁଲ୍ସ, ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟର ଗୁଣ୍ଡ ଆଦି ସାମଗ୍ରୀକୁ ଦର୍ଶକ ଆଗ୍ରହର ସହିତ ବହୁ ପରିମାଣରେ କ୍ରୟ କରୁଛନ୍ତି। ସେହିପରି, କନ୍ଧମାଳ ଜିଲ୍ଲାର ଜୈବିକ କୃଷିଜାତ ସାମଗ୍ରୀ ଯଥା ହଳଦୀ, ଅଦା, ସୋରିଷ, ପାଳୁଅ ଆଦିକୁ ମଧ୍ୟ ଗ୍ରାହକ କିଣୁଛନ୍ତି।
ଖଜୁରୀ ରସରୁ ପ୍ରସ୍ତୁତ ଗୁଡ଼ ଓ ଚିନି, ତାଳ ଗଛର ବିଭିନ୍ନ ଅଂଶରୁ ପ୍ରସ୍ତୁତ ଅନ୍ୟାନ୍ୟ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀକୁ ନେଇ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଚଳିତ ବର୍ଷ ପ୍ରଥମଥର ପାଇଁ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସମିତି ଅଂଶ ଗ୍ରହଣ କରିଛି। ଓଡ଼ିଶା ପାଭିଲିୟନକୁ ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଓ ଆଧୁନିକ ଡିଜାଇନର ହସ୍ତତନ୍ତ ବସ୍ତ୍ର। ବୟନିକା ଷ୍ଟଲରେ ମିଳୁଥିବା ଏହିସବୁ ହସ୍ତତନ୍ତ ସାମଗ୍ରୀ ସହିତ କଟକର ସୁପ୍ରସିଦ୍ଧ ରୁପା ତାରକସୀ ସାମଗ୍ରୀ, ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ କାଷ୍ଠ ଓ ପ୍ରସ୍ତର କାରୁକାର୍ଯ୍ୟ, ରଘୁରାଜପୁର ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ଆଦି ହସ୍ତଶିଳ୍ପ ସାମଗ୍ରୀ ମିଳୁଥିବା ଉତ୍କଳିକା ଷ୍ଟଲରେ ମଧ୍ୟ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି। ପାଭିଲିୟନର ମଧ୍ୟଭାଗରେ ଥିବା ବୋଇତ ଉପରେ ତନ୍ତରେ ବସ୍ତ୍ର ପ୍ରସ୍ତୁତି କଳାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉପଭୋଗ କରିବା ସହିତ ଚାନ୍ଦୁଆ, ପଟ୍ଟଚିତ୍ର ଓ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଶୈଳୀ, ଏହାର ଉପଲବ୍ଧତା ଆଦି ସମ୍ପର୍କରେ ଶିଳ୍ପୀମାନଙ୍କଠାରୁ ପଚାରି ବୁଝୁଛନ୍ତି। ୧୪ ତାରିଖରୁ ୨୪ ତାରିଖ ମଧ୍ୟରେ ଓଡ଼ିଶା ପାଭିଲିୟନର ବ୍ୟବସାୟ ୫୦ ଲକ୍ଷ ଛୁଇଁଥିବା ବେଳେ ଦେଶବିଦେଶର ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଓଡ଼ିଶା ପାଭିଲିୟନ ସଫଳ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।