ନୂଆଦିଲ୍ଲୀ/ଭୁବନେଶ୍ବର: ଆଗାମୀ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌-ୟୁନାଇଟେଡ ବାଇ ଟ୍ରେଡ’ ଆଧାରରେ ଏଥିରେ ଓଡ଼ିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

Advertisment

ଓଡ଼ିଶାର ବାଣିଜ୍ୟ ପରଂପରା ବହୁ ପ୍ରାଚୀନ। ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ, ବିଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ବବାସୀଙ୍କ ପାଇଁ ଆକର୍ଷଣୀୟ ସାମଗ୍ରୀ ହୋଇ ଆସିଛି। ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡ଼ିଶାର କୁଟୀର ଶିଳ୍ପ ସମେତ ଓଡ଼ିଶାର ମିଲେଟ, ଅଦା ଓ ହଳଦୀ, କୋରାପୁଟ କଫି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପାୟନ ଆଦିକୁ ଓଡ଼ିଶା ପାଭିଲିୟନ ମାଧ୍ୟମରେ ବିଶ୍ବବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିସନର ଶ୍ରୀମତୀ ଗର୍ଗ ବୈଠକରେ ଉପସ୍ଥିତ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ।

publive-image

ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡ଼ିଶା ଅଂଶଗ୍ରହଣ କରି ବିଶ୍ବବାସୀଙ୍କୁ ଓଡ଼ିଶାର ଅନନ୍ୟ ସୁସ୍ବାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତବର୍ଷର ବାଣିଜ୍ୟ ମେଳାରେ ଓଡ଼ିଶା ପୁରସ୍କୃତ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଏହି ପରଂପରାକୁ ବଜାୟ ରଖିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ବାରୋପ କରିଥିଲେ।