ବିଶ୍ବର ବଡ଼ ଆହ୍ୱାନର ସମାଧାନ ପାଇଁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର

ଭୁବନେଶ୍ବର : ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ ସହିତ ଭାରତ ବିଶ୍ବର ବଡ଼ ଆହ୍ବାନର ସମାଧାନ ପାଇଁ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସାନମ୍‌ କମ୍ପାନି ପକ୍ଷରୁ ଭର୍ଚୁଆଲ ମୋଡରେ ଆୟୋଜିତ ‘ଏସ୍‌-୪ ବାର୍ଷିକ ଏସ୍‌ଡିଜ୍ ସମ୍ମିଳନୀ’ରେ ଯୋଗଦେଇ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ଅଣାଯାଇଥିବା ପରିବର୍ତ୍ତନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଭାରତର ଶିକ୍ଷା ନୀତିରେ ଶ୍ରେଣୀବଦ୍ଧତା ଏବଂ ବିଶ୍ବ ଦୃଷ୍ଟିକୋଣ ଓ ସମ୍ବେଦନଶୀଳତାର ସହିତ ଭାରତର ଯୁବକମାନଙ୍କ ପୋଷଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଛନ୍ତି ଯେ, ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ ସହିତ ଭାଗିଦାରୀରେ ପ୍ରାଥମିକତା ଉପରେ କାର୍ଯ୍ୟ କରିବା ଏବଂ ବିଶ୍ବର କିଛି ବଡ଼ ଆହ୍ବାନର ସମାଧାନ ପାଇଁ ଭାରତ ସମଗ୍ର ବିଶ୍ବର ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ଏକାଡେମି ଏବଂ ଶିଳ୍ପ ସହିତ ନେଟୱାର୍କ ନିର୍ମାଣ ପାଇଁ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ‌ଅଛି। ଏସ୍‌ଡିଜି ଲକ୍ଷ୍ୟକୁ ହାସଲ କରିବା ପାଇଁ ଶିଳ୍ପ ସଂସ୍ଥା, ପଲିସି ମେକର, ଏକାଡେମି ଏବଂ ସମାଜ ମିଳିତ ଭାବେ କାମ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି ନୂଆଦିଲ୍ଲୀସ୍ଥିତ ବାସଭବନରେ ଅନ୍ୟ ଏକ ପୃଥକ ଆଲୋଚନାରେ ଶ୍ରୀ ପ୍ରଧାନ ସାମୁଦ୍ରିକ ପରିସଂସ୍ଥାନର ସୁରକ୍ଷା ଉପରେ ଭାରତରେ ଅବସ୍ଥାପିତ ନରୱେର ରାଷ୍ଟ୍ରଦୂତ ହାନ୍ସ ଜ୍ୟାକବ ଫ୍ରାଇଡେନଲୁଣ୍ଡଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଛନ୍ତି। ଏହି ବ୍ୟକ୍ତିବିଶେଷମାନେ ହେଲେ ଗ୍ରିନ୍ ବେଲ୍‌ଟ ଏବଂ ରୋଡ ଇନଷ୍ଟିଚ୍ୟୁଟ୍‌ର ସଭାପତି ଇରିକ୍ ସୋଲହେମ୍, ପାରଲି ଫର୍‌ ଦ ଓସେନ୍ସର ପ୍ରତିଷ୍ଠାତା ସିରିଲ୍‌ ଗସଚ୍, ଗ୍ଲୋବାଲ୍ ଆଲାଏନ୍ସ ଫର୍ ସଷ୍ଟେନବଲ୍ ପ୍ଲାନେଟର ମହାସଚିବ ସତ୍ୟ ଏସ୍‌. ତ୍ରିପାଠୀ ପ୍ରମୁଖ।

ସମ୍ବନ୍ଧିତ ଖବର