ଯାଜପୁର/ପାଣିକୋଇଲି: ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଇସ୍ରାଇଲ୍ ଜ୍ଞାନକୌଶଳରେ ଅତ୍ୟାଧୁନିକ କୃଷି ଉଦ୍ୟାନ ପାଇଁ ଯୋଜନା ହେଲା। ଏହି ପ୍ରକଳ୍ପ ପାଇଁ ୧୪କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହେଲା। ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ୧୨କୋଟି ୮୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଅଥଚ ପ୍ରକଳ୍ପର ନାମଗନ୍ଧ କିଛି ନାହିଁ। ଠିକାଦାର ଏବେ ବି ଖାଲୁଆ ଜମିକୁ ବାଲି, ମାଟି ପକାଇ ପୋତିବାରେ ଲାଗିଛନ୍ତି। ପାଚେରି ନିର୍ମାଣ ଅଧା ହୋଇଛି। ଫଳରେ ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି।

Advertisment

ଭାରତ-ଇସ୍ରାଏଲ୍‌ କୃଷି ପ୍ରକଳ୍ପ ନାମରେ ଦେଶର ବିଭିନ୍ନ ରାଜ୍ୟରେ ୨୨ଟି ଉଦ୍ୟାନ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ଓଡ଼ିଶାରେ ୨୩ ତମ ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ୩ବର୍ଷ ହେଲା ପାଣିକୋଇଲି ନିକଟ ମାଳଆନ୍ଦପୁର ପଞ୍ଚାୟତର ଷଠିପୁର ଠାରେ ଖାଲଜମି ପୋତା ଚାଲିଛି। ଉନ୍ନତ ଧରଣର ଫଳ ଓ ପନିପରିବା ଚାଷ, ନର୍ସରି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ୪୦ ଏକରରୁ ଅଧିକ ଜମିରେ ଏହି ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲା। ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ରୁ ୧୪କୋଟି ୧୧ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ଖାଲଜମି ପୋତାରେ ୩ବର୍ଷରେ ୧୨କୋଟି ୮୫ଲକ୍ଷ ଟଙ୍କା ବ୍ୟୟ ହୋଇଗଲାଣି। ମାତ୍ର ୧କୋଟି ୨୬ଲକ୍ଷ ଟଙ୍କା ବାକି ରହିଛି। ତଥାପି ଏହି ଜମିରେ ପାଣି ଜମୁଛି। ଅତ୍ୟାଧୁନିକ କୃଷି ଉଦ୍ୟାନ ପ୍ରକଳ୍ପ ପାଇଁ ଏହି ସ୍ଥାନ ଅନୁପଯୋଗୀ ଥିବାବେଳେ କାହିଁକି ଏଠାରେ ପ୍ରକଳ୍ପ ପାଇଁ ପରିକଳ୍ପନା କରାଗଲା ବୋଲି ପ୍ରଶ୍ନ ହେଉଛି।

ଯୋଜନା ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ରାଜ୍ୟର ବିଭିନ୍ନ ଅଞ୍ଚଳର କୃଷକ ଓ ଯୁବକଯୁବତୀମାନେ ଆଧୁନିକ ଉଦ୍ୟାନ କୃଷି ସମ୍ପର୍କରେ ତାଲିମ ପାଇଥାନ୍ତେ। ଇସ୍ରାଏଲ୍‌ ବୈଜ୍ଞାନିକଙ୍କ ସହଯୋଗରେ ଉଦ୍ୟାନ କୃଷିରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିଥାନ୍ତା। କୃଷକମାନେ ପାରମ୍ପରିକ ଚାଷ ବଦଳରେ ଉନ୍ନତ ପ୍ରଣାଳୀରେ ଚାଷ କରି ଲାଭବାନ୍‌ ହୁଅନ୍ତେ। ଇସ୍ରାଏଲ୍ କୃଷି ବିଜ୍ଞାନୀ ଓ ବିଶେଷଜ୍ଞ ଦଳ ଏହି ଅଞ୍ଚଳ ଗସ୍ତ କରି ସମୀକ୍ଷା କରି କରିବା ପରେ ଉଦ୍ୟାନ ବିଭାଗ ଅଧିକାରୀ ଓ ଡିଏମ୍‌ଏଫ କର୍ମଚାରୀ ପଞ୍ଜାବ ଯାଇ ସେଠାରେ କାର୍ଯ୍ୟକାରୀ ହୋଇଥିବା ଉତ୍କର୍ଷ କେନ୍ଦ୍ର ପରିଦର୍ଶନ କରିଥିଲେ। ଇତିମଧ୍ୟରେ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିଥିବା ଏଡିଏଚ୍ ସୂର୍ଯ୍ୟନାରାୟଣ ମହାରଣା ଅବସର ନେଇଗଲେଣି। ହେଲେ ଏଯାଏଁ ପ୍ରକଳ୍ପ ନାମରେ ଖାଲଜମି ପୋତା କାର୍ଯ୍ୟ ଚାଲିଛି। ସାଧାରଣତଃ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରଚାର ପ୍ରସାର ବ୍ୟବସ୍ଥା କରନ୍ତି। ହେଲେ ପାଣିକୋଇଲି ଅଞ୍ଚଳର ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥି​ଲେ ମଧ୍ୟ ଲୋକେ ସଂପୂର୍ଣ୍ଣ ଅନ୍ଧାରରେ ଅଛନ୍ତି। ଏପରିକି ପ୍ରକଳ୍ପର ସ୍ଥିତି ସଂପର୍କରେ ସଂପୃକ୍ତ ବିଭାଗ ମଧ୍ୟ ଜାଣିପାରୁ ନାହିଁ।