ଝାରସୁଗୁଡ଼ା: ‘ଓଡ଼ିଶାରେ ବିଜେପି-ବିଜେଡିର ପାର୍ଟନରସିପ୍ ସରକାର ଚାଲିଛି। ଜଣେ ଆଦିବାସୀଙ୍କ ଜମି ଚୋରି କରୁଛି, ଆଉ ଜଣେ ତାକୁ ସହଯୋଗ କରୁଛି। ବିଜେପି-ବିଜେଡିରେ କେବଳ ‘ପି’ ଓ ‘ଡି’ର ଫରକ୍ ରହିଛି। ବାକି ସବୁ ସମାନ।’ ଆଜି ଝାରସୁଗୁଡ଼ାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଅବସରରେ ବେଲପାହାଡ଼ ମହିମାଛକରେ ଲୋକଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି। ଏହି ଯାତ୍ରା ସମୟରେ ଶ୍ରୀ ଗାନ୍ଧୀ ଦେଶବାସୀଙ୍କ ସହିତ କିଭଳି ସାମାଜିକ, ଅର୍ଥନୈତିକ, ଜାତିଭିତ୍ତିକ ଅନ୍ୟାୟ ହେଉଛି ତାହା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ, ‘ଦେଶରେ ଭୟଙ୍କର ସାମାଜିକ ଅନ୍ୟାୟ ହେଉଛି। ସାଧାରଣବର୍ଗର ଗରିବ ଲୋକଙ୍କୁ କୌଣସି ସ୍ଥାନରେ ସ୍ଥାନ ମିଳୁନି। ଦଳିତ, ଆଦିବାସୀ, ପଛୁଆବର୍ଗ ଅବହେଳିତ ହୋଇ ରହିଯାଇଛନ୍ତି। କେବଳ କୋଟିପତିମାନଙ୍କର ହିଁ ସବୁଠି ପ୍ରାଧାନ୍ୟତା ଦିଆଯାଉଛି। ଦେଶରେ ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ଦଳିତ ଓ ୫୦ ପ୍ରତିଶତ ଓବିସି ବର୍ଗର ଲୋକ ଅଛନ୍ତି। କିନ୍ତୁ ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ରର ମୋଦୀ ସରକାର ମନା କରୁଛନ୍ତି। ଆପଣ ଜିଏସ୍ଟି ଦେଉଛନ୍ତି, ତାହା ଆପଣଙ୍କ ପକେଟରୁ ସିଧାସଳଖ ଆଦାନୀ ପକେଟକୁ ଯାଉଛି। ସେହି ଆଦାନୀ ଓଡ଼ିଶାରେ ଖଣି କିଣୁଛି, ରାସ୍ତା, ପୋଲ ତିଆରି କରୁଛି। ତାହାରି ଗଣମାଧ୍ୟମ ହିଁ ପଚାରୁଛି ଜାତିଭିତ୍ତିକ ଜନଗଣନା କଥା କାହିଁକି ଉଠାଯାଉଛି। ଦେଶର ସବୁଠୁ ବଡ଼ ବଡ଼ କମ୍ପାନିରେ ଦଳିତ, ଆଦିବାସୀ, ପଛୁଆ ଲୋକ ଦେଖାନ୍ତୁ। ଘରୋଇ ହସ୍ପିଟାଲରେ, ସ୍କୁଲ, କଲେଜ ମାଲିକମାନଙ୍କ ମଧ୍ୟରେ ଏହି ଲୋକଙ୍କୁ ଦେଖାନ୍ତୁ। ୭୩ ପ୍ରତିଶତ ଜନସଂଖ୍ୟା ଥିବା ଲୋକଙ୍କୁ କେଉଁଠି ସ୍ଥାନ ମିଳୁନି। ସେମାନଙ୍କୁ ମୋଦୀ ସରକାର କିଛି ଦେଇନାହାନ୍ତି ତ’ ଭାରତ କେମିତି ଯୋଡ଼ି ହେବ?' ଲୋକଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବା ହିଁ ହେଉଛି ଭାରତ ଯୋଡ଼ୋ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ।
ଏହି ସମୟରେ ଶ୍ରୀ ଗାନ୍ଧୀ ବିମୁଦ୍ରୀକରଣ, ଜିଏସ୍ଟି, ପ୍ରଧାନମନ୍ତ୍ରୀଙ୍କ ପୋଷାକ ପରିବର୍ତ୍ତନ ଆଦି ସଂପର୍କରେ ମଧ୍ୟ ଉଲ୍ଲେଖ କରି ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ଏବେ ଯଦି କୌଣସି ବିଜେପି କାର୍ଯ୍ୟକର୍ତ୍ତା ଆପଣଙ୍କ ପାଖକୁ ଆସନ୍ତି ତେବେ ଏସବୁ ସଂପର୍କରେ ସେମାନଙ୍କୁ ନିଶ୍ଚିତ ପ୍ରଶ୍ନ କରନ୍ତୁ ବୋଲି ସେ ଉପସ୍ଥିତ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଆଜି ସକାଳୁ ଝାରସୁଗୁଡ଼ା ଅମଲିପାଲିସ୍ଥିତ ପଡ଼ିଆରୁ ଏହି ଯାତ୍ରା ଆରମ୍ଭ ହୋଇ ବେହେରାମାଲ କିଷାନ ଛକରେ ପହଞ୍ଚିଥିଲା। ସେଠାରୁ ପୁରୁଣା ବସ୍ଷ୍ଟାଣ୍ଡ ଯାଇ ପୁଣିଥରେ ବେହେରାମାଲ ଛକକୁ ଯାତ୍ରା ଫେରିଥିଲା। ଏହାପରେ ବ୍ରଜରାଜନଗର ଗାନ୍ଧୀ ଛକରେ ଯାତ୍ରାକୁ ସ୍ବାଗତ କରାଯାଇଥିଲା। ମହିମାଛକରେ ଉପସ୍ଥିତ ଲୋକଙ୍କୁ ଶ୍ରୀ ଗାନ୍ଧୀ ସମ୍ବୋଧନ କରିଥିବାବେଳେ କନକତୋରାରେ ପଦଯାତ୍ରା କରି ଛତିଶଗଡ଼କୁ ଯାଇଥିଲେ। ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, କହ୍ନେୟା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ରମେଶ ଜେନା, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ସିୟାରାମ ଦାସ, ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲ, ବେଲପାହାଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷ ନିମାଇଁଚରଣ ପଣ୍ଡା, ଲଖନପୁର ବ୍ଲକ୍ ସଭାପତି ଲିଙ୍ଗରାଜ ବଢ଼େଇ, ସୁବ୍ରତ ପ୍ରଧାନ, ବିହାରୀ ନାୟକ, ପ୍ରଦୀପ ସାହୁ, ମହେଶ ପ୍ରଧାନ, ପିଣ୍ଟୁ ଖମାରୀ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ବିଦ୍ୟାଧୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fhfshffhhffh-1.jpg)