ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଭାରତ ଓ କୋରିଆ କନିଷ୍ଠ ହକି ଦଳର ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଶେଷ ହୋଇଛି। ଏହି ତିନିଟି ମ୍ୟାଚ୍ରେ ଭାରତୀୟ ଦଳ ବିଜୟୀ ହେବାସହ ସିରିଜ୍ ମୂଳପୋଛ କରିଛି। ତେବେ ଏହି ଟେଷ୍ଟ୍ ସିରିଜ୍ରେ ଭାରତ ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିବା ସୁନ୍ଦରଗଡ଼ ମାଟିର ୩ ଯୁବ ତାରକାଙ୍କ ପ୍ରଦର୍ଶନ ଉନ୍ନତମାନର ରହିଛି।
ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ ଅମନଦୀପ ଲାକ୍ରା, ସୁଦୀପ ଚିରମାକୋ ଓ ସିରିଲ୍ ଲୁଗୁନ୍ ସାମିଲ ଥିଲେ। ତିନିଟି ମ୍ୟାଚ୍ରେ ଅମନଦୀପ ଓ ସୁଦୀପ ଖେଳିଥିବାବେଳେ ପ୍ରଥମ ମ୍ୟାଚ୍ରେ କିନ୍ତୁ ସିରିଲ୍ଙ୍କୁ ସୁଯୋଗ ମିଳିପାରିନଥିଲା। ତେବେ ଅବଶିଷ୍ଟ ଦୁଇ ମ୍ୟାଚ୍ରେ ସିରିଲ୍ ମଧ୍ୟ ଦଳରେ ସାମିଲ ହେବାସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏହି ସିରିଜ୍ରେ ଖେଳାଳିଙ୍କ ବ୍ୟତିତ ୪ ଜଣ ଓଡ଼ିଆ ମଧ୍ୟ ସଂପୃକ୍ତ ଥିଲେ। ସେମାନେ ହେଉଛନ୍ତି ହକି ଇଣ୍ଡିଆ ଟେକ୍ନିକାଲ ଅଫିସିଆଲ ନିଶାନ ଜ୍ୟୋତି ମହାନ୍ତି, ବିଶ୍ବରଞ୍ଜନ ଷଡ଼ଙ୍ଗୀ, ପ୍ରଫୁଲ୍ଲ ତିର୍କୀ ଓ ରାଜେନ ଏକ୍କା। ଏମାନେ ମ୍ୟାଚ୍ ଅଫିସିଆଲ ଦାୟିତ୍ବ ନିର୍ବାହ କରିଥିଲେ।