ଭୁବନେଶ୍ବର : ଆସନ୍ତା ବର୍ଷ ମାର୍ଚ୍ଚ ୩୧ରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୨୪ଟି ଖଣିର ଲିଜ୍ ଅବଧି ଶେଷ ହୋଇଯିବ। ସେହି ସବୁ ଖଣି ବନ୍ଦ ହୋଇଗଲେ ଖଣି ଓ ଧାତୁ ଶିଳ୍ପରେ ଗୁରୁତର କଞ୍ଚାମାଲ ସମସ୍ୟା ଦେଖାଦେବ। ୨୦୨୦ ମାର୍ଚ ସମୟ ସୀମାକୁ ନେଇ ଚିନ୍ତିତ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଠିକ୍ ସମୟରେ ଓ ସ୍ବଚ୍ଛତାର ସହିତ ଖଣିଗୁଡ଼ିକର ଇ-ନିଲାମ ଏମ୍ଏସ୍‌ଟିସି ୱେବସାଇଟ୍‌ ଜରିଆରେ କରାଯିବ ବୋଲି ସେ କହିଛନ୍ତି।

Advertisment

ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ (ଆଇସିସି) ତରଫରୁ ହୋଟେଲ୍‌ ମେ’ ଫେୟାରରେ ଆୟୋଜନ କରାଯାଇଥିବା ଦୁଇଦିନିଆ ‘ଇଣ୍ଡିଆ ମାଇନିଂ କନ୍‌କ୍ଲେଭ୍ ୨୦୧୯’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ଖଣି ନିଲାମ ପ୍ରତି ରାଜ୍ୟ ସରକାର ପ୍ରତିବଦ୍ଧ। ଆମେ ଏହା ପୂର୍ବରୁ ତିନିଟି ଲୁହା ପଥର ଖଣି, ଗୋଟିଏ ମାଙ୍ଗାନିଜ, ଦୁଇଟି କ୍ରୋମାଇଟ ଓ ଗୋଟିଏ ଗ୍ରାଫାଇଟ୍‌ ଖଣିକୁ ନିଲାମ କରିସାରିଛୁ। ଆଗାମୀ ଦିନରେ ଆଉ ୩୧ଟି ଖଣି ନିଲାମ କରିବାକୁ ଯାଉଛୁ ଓ ସେଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସେଥି ମଧ୍ୟରୁ ୨୭ଟି ଲୁହା ପଥର ଖଣି ହୋଇଥିବା ବେଳେ ଦୁଇଟି ଲେଖାଏଁ ଗ୍ରାଫାଇଟ୍‌ ଓ ମାଙ୍ଗାନିଜ୍ ଖଣି ରହିଛି ବୋଲି ସେ କହିଛନ୍ତି।

କନ୍‌କ୍ଲେଭ୍‌ରେ ଉପସ୍ଥିତ ଥିବା ଖଣି ଶିଳ୍ପର ମୁଖ୍ୟମାନଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି, ରାଜ୍ୟରେ ଯେଉଁ ସବୁ ଖଣିଗୁଡ଼ିକ ବନ୍ଦ ହୋଇଯାଇଛି, ସେଠାରେ ସବୁଜିମା ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ। ଜଳାଶୟର ପୁନରୁଦ୍ଧାର କରିବା ଠାରୁ ଆରମ୍ଭ କରି ବ୍ୟାପକ ବନୀକରଣ ଜରିଆରେ ସେଗୁଡ଼ିକୁ ଇକୋ-ଟୁରିଜିମ୍ ସ୍ଥଳୀରେ ପରିଣତ କରିବାକୁ ସେ ଖଣି କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହା ବ୍ୟତୀତ କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍‌ଆର୍‌) ପଦକ୍ଷେପ ଜରିଆରେ ଖଣି ଅଞ୍ଚଳର ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ସାମାଜିକ, ଅର୍ଥନୈତିକ ଓ ମନୁଷ୍ୟ ସହାୟତା ଯୋଗାଇ ଦେବାକୁ ସେ ଖଣି କଂପାନିଗୁଡ଼ିକୁ କହିଛନ୍ତି।

୨୦୨୦ ମାର୍ଚ୍ଚ ସମୟ ସୀମାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀ ମଧ୍ୟ କହିଛନ୍ତି। ଖଣି କଂପାନିଗୁଡ଼ିକ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ସେ କହିଲେ, ଆଗାମୀ ଦିନରେ ଖଣିଗୁଡ଼ିକର ମାଲିକ ବଦଳିବାର ବହୁତ ସମ୍ଭାବନା ରହିଛି। ଖଣିଗୁଡ଼ିକ ପାଖରେ ଯେଉଁ ସବୁ ମଞ୍ଜୁରି ରହିଛି ତାହା ଆପେ ନୂଆ ସଂସ୍ଥା ପାଖରେ ପହଞ୍ଚିବ। ତେଣୁ ଉତ୍ପାଦନରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ସେ ଭାବୁଥିବା କହିଛନ୍ତି।

ଏହି ଅବସରରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର୍‌ କେ ଶର୍ମା କହିଛନ୍ତି ଯେ, ଓଡ଼ିଶାର ଜିଡିପି ପ୍ରତି ଖଣି କ୍ଷେତ୍ରର ଅବଦାନ ୧୦% ଭଳି ଉଚ୍ଚ ସ୍ତରରେ ଥିଲା। ବିଗତ କିଛି ବର୍ଷ ଭିତରେ ଖଣି କ୍ଷେତ୍ରରେ ଘଟିଥିବା କେତେକ ଘଟଣା ଯୋଗୁ ଏହି କ୍ଷେତ୍ରର ଯୋଗଦାନ ପରିମାଣ କମିଥିଲା। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ବହୁତ ଶୀଘ୍ର ଖଣି କ୍ଷେତ୍ରରେ ସ୍ବାଭାବିକତା ଫେରାଇ ଆଣିପାରିଛି। ଏଠ‌ାରେ ଥିବା ଖଣିଗୁଡ଼ିକ ନିୟମ ପାଳନ କରିବାରେ ଆଗରେ ରହିଛନ୍ତି ବୋଲି ସେ କହିଛନ୍ତି। ଆଜିର କନ୍‌କ୍ଲେଭ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ନିର୍ଦେଶକ ପ୍ରବୋଧ ମହାନ୍ତି, ବେଦାନ୍ତ ଗ୍ରୁପ୍‌ର ନିର୍ଦେଶକ ସ୍କଟ୍ କାଥ୍‌ନେସ୍, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏମ୍ ସି ଥୋମାସ୍, ସହ-ଅଧ୍ୟକ୍ଷ ଜେ ବି ପାଣି ଓ ଇସ୍ପାତ ଓ ଖଣି କମିଟିର ସଂଯୋଜକ ମନିଷ ଖରବନ୍ଦା ଉପସ୍ଥିତ ଥିଲେ।