ଜୟପୁର: ଭୁବନେଶ୍ବର-ଜୟପୁର ‘ଇଣ୍ଡିଆ ୱାନ୍‌ ଏୟାର’ର ବିମାନ ଚଳାଚଳ ଗତ କିଛି ଦିନ ହେବ ଠିକରେ ପରିଚାଳିତ ହୋଇ ପାରୁନାହିଁ। କେବେ ଯନ୍ତ୍ରାଂଶ ମେଣ୍ଟନାନସ୍ ତ ଆଉ କେବେ ପାଗ ଖରାପ। ଏଭଳି ସ୍ଥିତିରେ ବହୁ ଦିନ ବିମାନ ଚଳାଚଳ ବାତିଲ୍ ରହୁଛି। ତେବେ ଟିକେଟ ସଂରକ୍ଷିତ କରିଥିବା ଏବଂ ବିମାନରେ ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ପଟେ ଖର୍ଚ୍ଚାନ୍ତ ଅପର ପଟେ ଘଣ୍ଟାକର ଯାତ୍ରାକୁ ୨ଦିନ ଧରି ଯାତ୍ରା କରିବାକୁ ପଡ଼ୁଛି। ମାନସିକ ଅବସାଦ ସହ ଭୟ ମଧ୍ୟରେ ଯାତ୍ରା କରିବାକୁ ପଢ଼ୁଛି ବୋଲି କହିଛନ୍ତି ବହୁ ଯାତ୍ରୀ। ଆଜି ଭୁବନେଶ୍ବରରୁ ଠିକଣା ସମୟରେ ବାହାରିଥିଲା ବିମାନ।

Advertisment

ଜୟପୁର ବିମାନବନ୍ଦ‌ରରେ ବିମାନ ଓହ୍ଲାଇବାର ରହିଥିଲା। ପାଗ ସାମାନ୍ୟ ମେଘୁଆ ଥିଲେ ହେଁ ଅନ୍ୟ ବର୍ଷା ଦିନ ଅପେକ୍ଷା ଆଜି ପାଗ ବି ଭଲ ରହିଥିଲା। ଅଳ୍ପ ସମୟ ପାଇଁ କୁଣ୍ଡା ବର୍ଷା ହୋଇ ବି ଛାଡ଼ି ଯାଇଥିଲା। ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପ‌ରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଯେଉଁ ଅନୁମତି ମିଳିବା କଥା କୁଆଡେ ମିଳି ନଥିଲା। ବହୁ ସମୟ ଧରି ବିମାନଟି ସହର ଉପରେ ଛଅ ରାଉଣ୍ଡ ମାରିଥିଲା। ଇନ୍ଧନକୁ ଦୃଷ୍ଟିରେ ରଖି ପାଇଲଟ୍ ଆଉ ଅଧିକା ସମୟ ନ ବୁଲାଇ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ। ତଳେ ଜୟପୁରରୁ ବିଶା‌ଖାପାଟଣା, ବିଶାଖାପାଟଣାରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀ ମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରି ସେଭଳି ଜଳକା ହୋଇ ଫେରିଥିଲେ। କିଛି ଯାତ୍ରୀ ବିମାନବନ୍ଦରରେ ପାଟିତୁଣ୍ଡ କରିଥିଲେ ହେଁ ସୁରକ୍ଷାକର୍ମୀ ଆଦି ବୁଝାସୁଝା କରି ପଠାଇ ଦେଇଥିଲେ।

ଗତ ୧୫ଦିନ ମଧ୍ୟରେ ଏଭଳି ୫ଥର ହୋଇଥିବା ସୂଚନା ମିଳିଛି। ସପ୍ତାହକରେ ୭ଦିନ ଚଳାଇବାକୁ ଘୋଷଣା କରିଥିବା ଇଣ୍ଡିଆ ୱାନ୍‌ ଏୟାର ନିଜ ଘୋଷଣାକୁ କାଏମ୍ ରଖିପାରୁନି। ଦିନକୁ ଦିନ ଏହା କମି କମି ସପ୍ତାହକ ୩ରୁ ୪ଦିନ ଚାଳୁଥିବା କହିଛନ୍ତି କିଛି ଟ୍ରାଭେଲସ୍ ଏଜେନସୀ ଓ ଇଣ୍ଟରନେଟ୍ କାଫେ ମାଲିକ। ଇଣ୍ଡିଆ ୱାନ୍ ଏୟାର ଆଣିଥିବା ଆଉ ୨ଟି ବିମାନ ସହ ଏହି ବିମାନ ୩ଟି କୁ ନେଇ ଜାମସେଦପୁର, କୋଲକାତା  ସହ ଜୟପୁର- ଭୁବନେଶ୍ବର, ଜୟପୁର–ବିଶାଖାପାଟଣା ଆଦି ଚଳାଉଛି। ଯନ୍ତ୍ରାଂଶ ମରାମତି ନାଁରେ ଅଧିକାଂଶ ସମୟ ଜୟପୁର- ଭୁବନେଶ୍ବର, ଜୟପୁର –ବିଶାଖାପାଟଣା ରୁଟର ବିମାନକୁ ବାତିଲ କରୁଛି। ଏହି ମାସର ୨୩ତାରିଖ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ ତା ପରେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଇଣ୍ଡିଆ ୱାନ୍ ଏୟାରର ଜଣେ ଅଧିକାରୀ ନିଜ ନାଁକୁ ଗୋପନରେ ରଖି କହିଛନ୍ତି। ଗତ କିଛି ଦିନ ତଳେ ଜୟପୁରରୁ ଭୁବନେଶ୍ବର ଏଭଳି ଗୋଟିଏ ବିମାନ ଚଳାଚଳ କରି ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ସେହିଭଳି ଏହାର ସ୍ଥିତି ହେବ ନାହିଁ ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସ୍ଥିତିରେ ‌ଯାତ୍ରୀ ମାନେ ଏହି ବିମାନରେ ଯିବା ପାଇଁ ଭରସା ଓ ବିଶ୍ବାସ ପାଇବେ କି ବୋଲି ପ୍ରଶ୍ନ ଉଠିଛି।