ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସର ପର୍ଦା ପଛରେ ଆମେରିକା, ସାଉଦି ଆରବ

ନୂଆଦିଲ୍ଲୀ : ଗତକାଲି ଭାରତ ଓ ପାକିସ୍ତାନର ବାୟୁସେନା ଯେପରି ମୁହାଁମୁହିଁ ହୋଇଥିଲେ ତାହା ଗତ ୪୮ ବର୍ଷ ମଧ୍ୟରେ କେବେ ହୋଇ ନଥିଲା। ମଙ୍ଗଳବାର ଦିନ ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ଶିବିର ଧ୍ବଂସ କରିଦେଇଥିଲେ। ଗତକାଲି ପାକିସ୍ତାନୀ ବିମାନ ଭାରତରେ ପଶି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ଦୁଇ ବାୟୁ ‌େସନା ମୁହାଁମୁହିଁ ହୋଇଥିଲେ। ଏହା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବାରୁ ସେମାନଙ୍କୁ ଶାନ୍ତ କରିବା ଲାଗି ବିଭିନ୍ନ ଦେଶ ଉଦ୍ୟମ ଆରମ୍ଭ କରିଦେଇଥିଲେ। ତେବେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆମେରିକ‌ାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ଜାୟେଦ।

ଭିଏତ୍‌ନାମ ଗସ୍ତରେ ଥିବ‌ା ଟ୍ରମ୍ପ ଆଜି ଏହି ସୂଚନା ଦେଇ କହିଥିଲେ ଯେ‌ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି। ଏହି ପ୍ରକ୍ରିୟାରେ ତାଙ୍କ ଦେଶ ମଧ୍ୟ ସଂପୃକ୍ତ ଅଛି। ଏଦିଗରେ ଅଗ୍ରଗତି ଘଟିଛି ଏବଂ ଖୁବଶୀଘ୍ର ଭଲ ଖବର ମିଳିବ। ଉଭୟ ଦେଶ ଆାଲୋଚନା କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ପାକିସ୍ତାନ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ କହିଥିଲେ।

ସେହିଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ସାଉଦି ଆରବ ମଧ୍ୟ ଉଦ୍ୟମ କରିଥିଲା। ସାଉଦି ରାଜକୁମାର ମହମ୍ମଦ ଜାୟେଦ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇମ୍ରାନ ଖାନଙ୍କୁ ଫୋନ୍‌ କରି କଥାବାର୍ତା ହୋଇଥିଲେ। ସାମରିକ କାର୍ଯ୍ୟାନୁଷ୍ଠାନ ପରିବ‌େର୍ତ ଆଲୋଚନାକୁ ଅଗ୍ରାଧିକାର ଦେବାକୁ ସେ ଅନୁରୋଧ କରିଥିଲେ। ଏହାର କିଛି ସମୟ ପରେ ସାଉଦି ଅର୍ଥମନ୍ତ୍ରୀ ଇସଲାମାବାଦ ଯାଇ ଇମ୍ରାନଙ୍କ ସହ କଥା ହୋଇଥିଲେ। ସେହି ସମୟରେ ଦିଲ୍ଲୀରେ ସାଉଦି ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

ଏମାନଙ୍କ ବ୍ୟତୀତ ବ୍ରିଟେନ୍‌, ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ମଧ୍ୟ ପରିସ୍ଥିତିକୁ ଶାନ୍ତ କରିବା ଲାଗି କଥାବାର୍ତା ଚଳାଇଥିଲେ। ଏଭଳିକି ଚୀନ ମଧ୍ୟ ଏଥିରେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର