ଭୁବନେଶ୍ବର : ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ିଛି। ଧନୀଙ୍କ ଧନ ବଢ଼ୁଥିବା ବେଳେ ଗରିବ ଆହୁରି ଗରିବ ହେଉଛନ୍ତି। ଅସମାନତା ଦୂର କରିବାରେ ପ୍ରତିବଦ୍ଧତା ବା ସିଆରଆଇ ଇଣ୍ଡେକ୍‌ସରେ ଭାରତ ଗତବର୍ଷ ତୁଳନାରେ ଚଳିତବର୍ଷ ୧୫ତମ ସ୍ଥାନ ତଳକୁ ଖସିଛି। ୧୫୭ଟି ଦେଶକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଭାରତ ୧୪୭ତମ ସ୍ଥାନରେ ରହିଛି। ନେପାଳ, କଙ୍ଗୋ, ପାକିସ୍ତାନ, ବୁରୁଣ୍ଡି ଭଳି ଦେଶମାନେ ଭାରତଠାର ଯଥେଷ୍ଟ ଆଗରେ ରହିଛନ୍ତି। ତେବେ ଅସମାନତା ଦୂର ପାଇଁ ସରକାରଙ୍କ ପ୍ରତିବଦ୍ଧତାର ମୁଖା ଖୋଲି ଦେଇଛି ଅକ୍ସଫାମ୍ ଇଣ୍ଡିଆର ଏହି ରିପୋର୍ଟ। ବିଶ୍ବସ୍ତରରେ ଏହି ରିପୋର୍ଟ ଉନ୍ମୋଚିତ ହୋଇ ସାରିଥିଲେ ହେଁ, ଅକ୍ସଫାମ୍ ଇଣ୍ଡିଆ ପକ୍ଷରୁ ରାଜଧାନୀରେ ଏହାର ଉନ୍ମୋଚନ କରାଯାଇଛି।

Advertisment

ରିପୋର୍ଟ ଅନୁଯାୟୀ, ଶ୍ରମ ଅଧିକାର, ପ୍ରଗତିଶୀଳ ଟିକସ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ କେଉଁ ରାଷ୍ଟ୍ର କେତେ ପରିମାଣର ଖର୍ଚ କରୁଛନ୍ତି ତାହାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାର ଯେତିକି ଖର୍ଚ କରୁଛନ୍ତି ତାହା ଅତ୍ୟନ୍ତ ନଗଣ୍ୟ। ଶ୍ରମ ଅଧିକାର ଓ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ସମ୍ମାନକୁ ବିଚାର କରାଗଲେ ଦେଶର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। କୃଷି ଓ ଅଣସଂଗଠିତ କ୍ଷେତ୍ରରେ ଶ୍ରମ ୟୁନିୟନ ନାହିଁ କି ମହିଳାଙ୍କ ଅଧିକାର କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ଭାରତରେ ଜିଡିପି ଟିକସ ଅନୁପାତ ସମଗ୍ର ପୃଥିବୀରେ କମ୍ ଅନୁପାତ ଥିବା ଦେଶମାନଙ୍କ ମଧ୍ୟରେ ଗୋଟିଏ। କର୍ପୋରେଟଗୁଡ଼ିକ ବହୁଳ ପରିମାଣର କର ରିହାତି ପାଉଥିବା ଯୋଗୁଁ ସରକାର ମୋଟା ଅଙ୍କର ରାଜସ୍ବ ଆୟ ହରାଉଛନ୍ତି। ଭାରତ ଯଦି ଏକ ତୃତୀୟାଂଶ ଅସମାନତା ଦୂର କରିପାରିବ ତେବେ ଦେଶର ୧୭ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇପାରିବେ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପାଇଁ ସରକାର ଯେତିକି ଅର୍ଥ ଖର୍ଚ କରୁଛନ୍ତି ଦକ୍ଷିଣ ଏସିଆରେ ଭାରତର ସ୍ଥାନ ହେଉଛି ଷଷ୍ଠ। ଏହି ୩ଟି କ୍ଷେତ୍ରରେ ସରକାର ୦.୦୬୧ ଖର୍ଚ କରୁଥିବା ବେଳେ ଭୁଟାନ ଭଳି ଦେଶ ଭାରତଠାରୁ ଯଥେଷ୍ଟ ଅଧିକ ଖର୍ଚ କରୁଛି। ଭୁଟାନ ୦.୨୩୯, ମାଳଦୀପ ୦.୨୨୨, ଶ୍ରୀଲଙ୍କା ୦.୧୦୬, ବାଂଲାଦେଶ ୦.୦୯୮, ନେପାଳ ୦.୦୮୦ ଭାରତଠାରୁ ଆଗରେ ଅଛନ୍ତି। ତେବେ ପ୍ରଗତିଶୀଳ ଟିକସ ନୀତିରେ ଦକ୍ଷିଣ ଏସିଆରେ ଭାରତ ୧ନଂ ସ୍ଥାନରେ ରହିଛି। ଏହା ପଛକୁ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ନେପାଳ, ମାଳଦୀପ ଓ ଭୁଟାନ ରହିଛନ୍ତି। ଶ୍ରମ ଅଧିକାର ଓ ସର୍ବନିମ୍ନ ମଜୁରିରେ ଭାରତ ୬ନଂ ସ୍ଥାନରେ ରହିଛି। ମାଳଦୀପ ୧ନଂ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ଦ୍ବିତୀୟ, ଆଫଗାନିସ୍ତାନ, ପାକିସ୍ତାନ ଓ‌ ନେପାଳ ରହିଛି। ସିଆରଆଇ ରୢାଙ୍କରେ ଭାରତର ସ୍ଥାନ ୧୪୭ ଥିବା ବେଳେ ସରକାରୀ ଖର୍ଚରେ ୧୫୧, କର ନୀତିରେ ୫୦ ଓ ଶ୍ରମ ଅଧିକାରରେ ୧୪୧ତମ ସ୍ଥାନ ଭାରତ ହାସଲ କରିଛି।

ନିମ୍ନ ଆୟକାରୀ ୫୦ଟି ଦେଶ ମଧ୍ୟରେ ଆୟ ତୁଳନାରେ ସ୍ବାସ୍ଥ୍ୟ ଖର୍ଚ ଅଧିକ କରୁଥିବା ଦେଶ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭ‌ାରତରେ ସ୍ବାସ୍ଥ୍ୟ ପାଇଁ ଖର୍ଚ ହେଉଥିବା ସରକାରୀ ଖର୍ଚ ପୃଥିବୀରେ ସବୁଠାରୁ କମ୍। ଜିଡିପିର ୧.୪ପ୍ରତିଶତ ସ୍ବାସ୍ଥ୍ୟ ପାଇଁ ଖର୍ଚ ହେଉଥିବା ବେଳେ ପୃଥିବୀରେ ଅନ୍ୟ ଦେଶ ତୁଳନାରେ ମଧ୍ୟ ଏହା ଯଥେଷ୍ଟ କମ୍। ଦେଶରେ ପ୍ରତ୍ୟେକ ବକ୍ତି ପ୍ରତିବର୍ଷ ସ୍ବାସ୍ଥ୍ୟ ବାବଦରେ ୧୧୧୨ଟଙ୍କା ଖର୍ଚ କରୁଛନ୍ତି। ମୁଣ୍ଡପିଛା ସ୍ବାସ୍ଥ୍ୟ ପାଇଁ ହେଉଥିବା ଏହି ଖର୍ଚକୁ ହିସାବକୁ ନେଲେ ମାସକୁ ପ୍ରତ୍ୟେକ ବ୍ୟକ୍ତି ପିଛା ୯୩ଟଙ୍କା ଖର୍ଚ ହେଉଛି। ଏହି ଖର୍ଚର ପରିମାଣ ଜିଡିପିର ୧.୦୨ପ୍ରତିଶତ। ୨୦୦୯ ମସିହାରୁ ଏହା ଅପରିବର୍ତିତ ରହିଛି।

ଅକ୍ସଫାମ୍ ପକ୍ଷରୁ ପୂର୍ବରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ‌ପୃଥିବୀର ବଡ଼ କମ୍ପାନି ସିଇଓ ବର୍ଷକୁ ଯେତିକି ଟଙ୍କା ରୋଜଗାର କରିଥାନ୍ତି ଜଣେ ଶ୍ରମିକକୁ ସେତିକି ଟଙ୍କା ରୋଜଗାର କରିବା ପାଇଁ ୯୪୧ବର୍ଷ ଲାଗିବ। ତେଣୁ ଜଣେ ଶ୍ରମିକକୁ ଏଥିପାଇଁ ୧୦ଥର ଜନ୍ମ ନେବାକୁ ପଡ଼ିପାରେ। ଆଜିର ରିପୋର୍ଟ ଉନ୍ମୋଚନ ଅବସରରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ପ୍ରଫେସର ନବନୀତା ରଥ ଓ ଅକ୍ସଫାମ୍‌ର ଆଞ୍ଚଳିକ ମହାପ୍ରବନ୍ଧକ ଅକ୍ଷୟ ବିଶ୍ବାଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଭାସ ମିଶ୍ର ସଂଯୋଜନା କରିଥିଲେ।